ଟୋକିଓ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ମୁଖ୍ୟ ଥୋମାସ ବାକ୍ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ମଙ୍ଗଳବାର ଟେଲିଫୋନ୍ରେ ଏଥିନେଇ ସବିଶେଷ ଆଲୋଚନା ହେବା ପରେ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ କରିବାକୁ ଉଭୟ ସହମତ ହୋଇଛନ୍ତି। ଆଲୋଚନା ପରେ ଆବେ କହିଥିଲେ ଯେ ଅଲିମ୍ପିକ୍ସକୁ ବର୍ଷକ ପାଇଁ ସ୍ଥଗିତ ରଖିବାକୁ ମୁଁ ପ୍ରସ୍ତାବ ଦେଇଥିଲି ଏବଂ ବାକ୍ ଏଥିରେ ଶତପ୍ରତିଶତ ଏକମତ ହୋଇଥିଲେ। କରୋନା ଭୂତାଣୁର ଭୟାବହତା ଭିତରେ ଅଲିମ୍ପିକ୍ସ ଆୟୋଜନ କରିବା ସମ୍ଭବ ନୁହେଁ। ଏଣୁ ଏହାକୁ ସ୍ଥଗିତ ରଖିବା ଛଡ଼ା ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ଆବେଙ୍କ ଏହି ଘୋଷଣା ପରେ ଅଲିମ୍ପିକ୍ସକୁ ନେଇ ଦ୍ବନ୍ଦ୍ବ ଓ ଚାପରେ ଥିବା ସାରା ବିଶ୍ବର କ୍ରୀଡ଼ା ତାରକାମାନେ ଏବେ ଆଶ୍ବସ୍ତ ହୋଇଛନ୍ତି। ଅଲିମ୍ପିକ୍ସ ସ୍ଥଗିତ ରଖିବା ଖବରକୁ ଆଇଓସି ମଧ୍ୟ ପୁଷ୍ଟି କରିଛି। ପରିଷଦ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ହେବ ନାହିଁ ଏହା ୨୦୨୧ ଗ୍ରୀଷ୍ମ ଋତୁ ପୂର୍ବରୁ ଖେଳାଯିବ ବୋଲି କହିଛି। ଆଲୋଚନା ଅବସରରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ମୁଖ୍ୟ ମୋରି ୟାସିରୋ, ଅଲିମ୍ପିକ୍ସ ମନ୍ତ୍ରୀ ହାସିମତୋ ସେଇକୋ ଓ ଟୋକିଓ ସହର ଗଭର୍ନର କୋଇକେ ୟାରିକୋ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।
ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଥିବା ଖେଳାଳି, ଅଧିକାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଅଧିଆଗରେ ରଖି ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ବିଭିନ୍ନ ଖେଳାଳି ସଂଗଠନ ଦାବି କରି ଆସୁଥିଲେ। ଏପରିକି କୋରାନା ଆତଙ୍କ ପାଇଁ ସୋମବାର କାନାଡା ଓ ଅଷ୍ଟ୍ରେଲିଆ ଓହରି ଯାଇଥିଲେ। ଆମେରିକୀୟ ଅଲିମ୍ପିକ୍ସ ସଂଘ ଓ ବିଶ୍ବ ଦୌଡ଼କୁଦ ମହାସଂଘ ମଧ୍ୟ ଅଲିମ୍ପିକ୍ସ ସ୍ଥଗିତ କରିବା ଲାଗି ଦାବି ଉପସ୍ଥାପନ କରିଥିଲେ। ଅନ୍ୟ କେତେକ ଦେଶ ମଧ୍ୟ ଓହରିବା ବିକଳ୍ପକୁ ଗୁରୁତର ସହ ବିଚାର କରୁଥିବାର ସଙ୍କେତ ଦେଇଥିଲେ। ସେହିଭଳି ଖେଳାଳିମାନେ ମଧ୍ୟ ଅଭ୍ୟାସ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ଓ ଆଇଓସି କିନ୍ତୁ ପୂର୍ବ ନିର୍ଧାରିତ ସମୟରେ ଅଲିମ୍ପିକ୍ସ କରିବା ଜିଦ୍ରେ ଅଟଳ ରହିଥିଲେ। ଚାରିଆଡ଼ୁ ଚାପ ପଡ଼ିବା ସହ କରୋନା ୧୯୨ ଦେଶକୁ ବ୍ୟାପିବା ଏବଂ ଦିନକୁ ଦିନ ଏଥିନେଇ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପରେ ଆଇଓସି ନରମ ପଡ଼ିଥିଲା। ଶେଷରେ ଆବେ ଓ ବାକ୍ଙ୍କ ମଧ୍ୟରେ ଏଥିନେଇ ମଙ୍ଗଳବାର ଆଲୋଚନା ହୋଇଥିଲା। ଏହି ସମୟରେ ଅଲିମ୍ପିକ୍ସକୁ ୨୦୨୦ ପରିବର୍ତେ ୨୦୨୧ରେ କରିବାକୁ ଆବେ ପ୍ରସ୍ତାବ ରଖିଥିଲେ ଏବଂ ଏହାକୁ ବାକ୍ ସ୍ବୀକାର କରି ନେଇଥିଲେ।
ଏହି ଖବର କିନ୍ତୁ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ପାଇଁ ଏକ ବଡ଼ ଝଟ୍କା ହୋଇଛି। ସମିତିର ବ୍ୟୟ ଅଟକଳ ମଧ୍ୟ ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିବାର ଆଶଙ୍କା ଦେଖାଦେଇଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଜାପାନ ସରକାର ୧୨.୬ ବିଲିୟନ ଡଲାର ଖର୍ଚ କରିସାରିଛନ୍ତି। ଯାହା ଏବେ ୨୦ ବିଲିୟନ ଡଲାରକୁ ବଢ଼ିବାର ସମ୍ଭାବନା ରହିଛି। ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସ ଘୁଞ୍ଚିବା ପ୍ରାୟୋଜକ ଓ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଶକ୍ତ ଧକ୍କା ହୋଇଛି। ଟୋକିଓ ପ୍ରଥମ ଏସୀୟ ସହର ଭାବେ ୧୯୪୦ରେ ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଥିଲା। ତେବେ ଚୀନ୍ ସହ ଯୁଦ୍ଧ ହେବା ପରେ ଏଥିରୁ ଓହରି ଯାଇଥିଲା। ତେବେ ସାଂପ୍ରତିକ ସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ କରିବା ଏକ ପ୍ରକାର ଅସମ୍ଭବ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ରଖିଛନ୍ତି। କ୍ରୀଡ଼ା ଜଗତର ସାମଗ୍ରିକ ହିତ ଓ ବିଶ୍ବର ମଙ୍ଗଳ ପାଇଁ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି। ରବିବାର ଆଇଓସି ଟୋକିଓ ଅଲିମ୍ପିକ୍ସ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ୪ ସପ୍ତାହର ସମୟ ମାଗିଥିଲା। ହେଲେ ମାତ୍ର ଦିନକ ପରେ ହିଁ ଏହାକୁ ୨୦୨୧କୁ ଘୁଞ୍ଚାଇ ଦେବାକୁ ରାଜି ହୋଇଯାଇଛି। ଆଇଓସି
ଇତିହାସର ପ୍ରଥମ ସ୍ଥଗିତ, ପୂର୍ବରୁ ତିନି ଥର ବାତିଲ ହୋଇଥିଲା
ଅଲିମ୍ପିକ୍ସ ପୂର୍ବରୁ ବିକ୍ଷୋଭ, ବିରୋଧ ଓ ବର୍ଜନର ସମ୍ମୁଖୀନ ହୋଇଥିଲା। ହେଲେ ଏହା ୧୯୪୮ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଆୟୋଜିତ ହୋଇ ଆସୁଥିଲା। ଏବେ ଅଲିମ୍ପିକ୍ ଇତିହାସରେ ପ୍ରଥମ ଥର ସ୍ଥଗିତ ରହିଥିଲା ବେଳେ ଏହା ପୂର୍ବରୁ ତିନି ଥର ବାତିଲ ହୋଇଥିଲା। ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ଏହି ତିନି ଥର ଅଲିମ୍ପିକ୍ ବାତିଲ ହୋଇଥିଲା। ୧୯୪୦ ଓ ୧୯୪୪ରେ ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ ଅଲିମ୍ପିକ୍ସ ଆୟୋଜିତ ହୋଇ ନଥିଲା। ଏହା ପୂର୍ବରୁ ପ୍ରଥମ ବିଶ୍ବଯୁଦ୍ଧ ପାଇଁ ୧୯୧୬ରେ ଅଲିମ୍ପିକ୍ସ ଆୟୋଜନ ହୋଇ ନଥିଲା। ସଂଯୋଗବଶତଃ ୧୯୪୦ରେ ଅଲିମ୍ପିକ୍ସ ଟୋକିଓରେ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯିବାରୁ ଏହାକୁ ଜୁଲାଇ ୨୦ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଫିନ୍ଲାଣ୍ଡ୍ର ହେଲ୍ସିଙ୍କିଠାରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତୀ ସମୟରେ ଅବଶ୍ୟ ଏହାକୁ ସଂପୂର୍ଣ୍ଣ ବାତିଲ କରିଦିଆଯାଇଥିଲା। ୧୮୯୬ ମସିହାଠାରୁ ଆଧୁନିକ ଅଲିମ୍ପିକ୍ସର ପ୍ରଥମ ଆୟୋଜନ ପରଠାରୁ ସମ୍ଭବତଃ କୌଣସି ଏକ ଭୂତାଣୁ ପାଇଁ ପ୍ରଥମ ଥର ଏହି ମହାନ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ହୋଇଛି। ଅଲିମ୍ପିକ୍ସ ୧୮୯୬ରେ ଗ୍ରିସର ଏଥେନ୍ସ, ୧୯୦୦ରେ ଫ୍ରାନ୍ସର ପ୍ୟାରିସ୍, ୧୯୦୪ରେ ଆମେରିକାର ସେଣ୍ଟ ଲୁଇସ୍, ମିସୋରୀ, ୧୯୦୮ରେ ଇଂଲଣ୍ଡର ଲଣ୍ଡନ, ୧୯୧୨ରେ ସ୍ବିଡେନର ଷ୍ଟକହୋମ୍, ୧୯୨୦ରେ ବେଲଜିୟମର ଅନ୍ତ୍ବର୍ପ, ୧୯୨୪ରେ ଫ୍ରାନ୍ସର ପ୍ୟାରିସ୍, ୧୯୨୮ରେ ନେଦରଲାଣ୍ଡର ଆମଷ୍ଟରଡାମ୍, ୧୯୩୨ରେ ଆମେରିକାର ଲସ୍ ଏଞ୍ଜେଲ୍ସ, ୧୯୩୬ରେ ଜର୍ମାନିର ବର୍ଲିନ, ୧୯୪୮ରେ ଇଂଲଣ୍ଡର ଲଣ୍ଡନ, ୧୯୫୨ରେ ଫିନଲାଣ୍ଡର ହେଲସିଙ୍କି, ୧୯୫୬ରେ ଅଷ୍ଟ୍ରେଲିଆର ମେଲବର୍ନ, ୧୯୬୦ରେ ଇଟାଲିର ରୋମ, ୧୯୬୪ରେ ଜାପାନର ଟୋକିଓ, ୧୯୬୮ରେ ମେକ୍ସିକୋର ମେକ୍ସିକୋ ସିଟି, ୧୯୭୨ରେ ଜର୍ମାନିର ମ୍ୟୁନିକ୍, ୧୯୭୬ରେ କାନାଡାର ମଣ୍ଟ୍ରିଲ, ୧୯୮୦ରେ ରୁଷିଆର ମସ୍କୋ, ୧୯୮୪ରେ ଆମେରିକାର ଲସ୍ ଏଞ୍ଜେଲ୍ସ, ୧୯୮୮ରେ ଦକ୍ଷିଣ କୋରିଆର ସିଓଲ, ୧୯୯୨ରେ ସ୍ପେନର ବାର୍ସେଲୋନା, ୧୯୯୬ରେ ଆମେରିକାର ଆଟଲାଣ୍ଟା, ୨୦୦୦ରେ ଅଷ୍ଟ୍ରେଲିଆର ସିଡ୍ନି, ୨୦୦୪ରେ ଗ୍ରିସର ଏଥେନ୍ସ, ୨୦୦୮ରେ ଚୀନ୍ର ବେଜିଂ, ୨୦୧୨ରେ ଇଂଲଣ୍ଡର ଲଣ୍ଡନ ଓ ୨୦୧୬ରେ ବ୍ରାଜିଲର ରିଓ ଡି ଜାନେଇରୋରେ ଆୟୋଜିତ ହୋଇସାରିଛି।