ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୨୫ ଦିନ, ତେଜିନ୍ଦରଙ୍କ ଲକ୍ଷ୍ୟ ୨୨ ମିଟର

ଜାଭେଲିନ୍ ବିଜେତା ରୋହଲର ବାଦ୍, ସାଜନଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ନୂଆଦିଲ୍ଲୀ: ଟୋକିଓ ଟିକେଟ ହାସଲ କରି ସାରିଥିବା ଭାରତୀୟ ସଟ୍‌ପୁଟର ତେଜିନ୍ଦର ପାଲ ସିଂହ ତୁର୍ ଅଲିମ୍ପିକ୍ସରେ ୨୨ ମିଟର ଦୂରତା ଛୁଇଁବା‌କୁ ଲକ୍ଷ୍ୟ ରଖିଛନ୍ତି। ପତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରି-୪ରେ ଜାତୀୟ ରେକର୍ଡ ସହ ଟୋକିଓ ଟିକେଟ ହାସଲ କରିଥିବା ତେଜିନ୍ଦର ନିଜ ପିତାଙ୍କ ସ୍ବପ୍ନ ପୂରଣ କରିବା ଆଶାରେ ବି ଅଛନ୍ତି। ତାଙ୍କ ପିତା ଚାହୁଁଥିଲେ ତେଜିନ୍ଦର ଏକ ଅଲିମ୍ପିକ୍ସ ପଦକ ଜିତି ଦେଶକୁ ଗର୍ବିତ କରନ୍ତୁ। ତାଙ୍କର ଏହି ଆଶା ପୂରଣ କରିବାକୁ ସେ କଠିନ ପରିଶ୍ରମ କରୁଛନ୍ତି। ବହୁ ଘାତ ପ୍ରତିଘାତ ଓ ବାଧାବିଘ୍ନ ପରେ ୨୧.୪୯ ମିଟର ଦୂରତାକୁ ସଟ୍ ପୁଟ୍ ଫିଙ୍ଗି ଇତିହାସ ରଚିଥିବା ଏହି ଆତ୍ମବିଶ୍ବାସୀ କ୍ରୀଡ଼ାବିତ୍ ୨୨ ମିଟର ଲକ୍ଷ୍ୟକୁ ଛୁଇଁ ପାରିଲେ ଟୋକିଓରେ ପଦକ ଜିତିବାର ସମ୍ଭାବନା ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଆମେରିକାର ରିୟାନ କ୍ରୁସର ୨୨.୫୨ ମିଟର ସଫଳତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦ୍ବିତୀୟ ସ୍ଥାନରେ ରହିଥିବା ଜୋ କୋଭାକ୍ସ ୨୧.୭୮ ଓ ନ୍ୟୁଜିଲାଣ୍ଡର ଥୋମାସ ୱାଲ୍ସ ୨୧.୩୬ ମିଟର ଦୂରତାକୁ ଛୁଇଁ କାଂସ୍ୟ ପଦକ ହାସଲ କରିଥିଲେ।

ବର୍ଲିନ୍: ଟୋକିଓ ଅଲିମ୍ପିକ୍ସରୁ ଗତ ସଂସ୍କରଣର ଜାଭେଲିନ୍ ବିଜେତା ଜର୍ମାନୀର ଥୋମାସ୍ ରୋହଲର ଓହରି ଯାଇଛନ୍ତି। ପିଠିରେ ଆଘାତ ଲାଗିବା ପରେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଅଭ୍ୟାସ କରୁଥିଲା ବେଳେ ଆହତ ହୋଇ ଚଳିତ ବର୍ଷର ଅଧିକାଂଶ ପ୍ରତିଯୋଗିତାରୁ ବି ସେ ଦୂରେଇ ରହିଥିଲେ। ଚଳିତବର୍ଷର ଜର୍ମାନ୍ ଚାମ୍ପିଅନସିପ୍‌ରେ ଅଯୋଗ୍ୟ ଘୋଷିତ ‌ହୋଇ ଏଥିରୁ ଓହରିବାକୁ ବାଧ୍ୟ ହୋଇଥିଲେ। ୨୦୧୬ରେ ରୋହଲର ୯୦.୩ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେତେବେ‌ଳର ବିଶ୍ବବିଜେତା କେନିଆର ଜୁଲିଅସ୍ ୟେଗୋଙ୍କୁ ସେ ହରାଇ ଦେଇଥିଲେ। ସେଥିପାଇଁ ଜର୍ମାନୀର ଅନ୍ୟତମ ‌ଜାଭେଲିନ୍ ଖେଳାଳି ଜୋହାନ୍‌ସ ଭେଟର ଟୋକିଓରେ ସ୍ବର୍ଣ୍ଣ ପଦକ ଜିତିବାର ସମ୍ଭାବନା ବଢ଼ି ଯାଇଛି। ଟୋକିଓ ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍ ଯୋଗ୍ୟତା ପର୍ଯ୍ୟାୟ ଅଗଷ୍ଟ ୪ରେ ଏବଂ ଫାଇନାଲ୍ ଅଗଷ୍ଟ ୭ ତାରିଖରେ ହେବାର ଅଛି।

ସାଜନଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା

ସାଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ସିଧାସଳଖ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ସନ୍ତରଣ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା। ଇଟାଲିର ରୋମ୍‌ରେ ଆୟୋଜିତ ସେଟେ କୋଲି ଟ୍ରଫିର ପୁରୁଷ ୨୦୦ ମିଟର ବଟରଫ୍ଲାଇ ଇଭେଣ୍ଟ୍‌ରେ ଶନିବାର ସେ ୧:୫୬:୩୮ ସେକେଣ୍ଡ ଟାଇମିଂ ସହ ଏହି ସଫଳତା ପାଇଛନ୍ତି। ଅଲିମ୍ପିକ୍‌ ପାଇଁ ‘ଏ’ ଷ୍ଟାଣ୍ଡାର୍ଡ ଟାଇମିଂ ମାନଦଣ୍ଡ ୧:୫୬:୪୮ ସେକେଣ୍ଡ ଧାର୍ଯ୍ୟ ରହିଥିଲା ବେଳେ ସାଜନ ଏହାର ୧୦ ସେକେଣ୍ଡ କମ୍‌ରେ ପହଁରା ଶେଷ କରିଥିଲେ। ବହୁ ପରିଶ୍ରମ କରିଥିଲି। ଏହା ମୋ ପାଇଁ ଶେଷ ସୁଯୋଗ ଥିଲା। ଶେଷରେ ଟୋକିଓ ଅଲିମ୍ପିକ୍‌କୁ ଯୋଗ୍ୟତା ହାସଲ କରିଥିବାରୁ ଖୁସି ବୋଲି କହିଛନ୍ତି ୨୭ ବର୍ଷ ବୟସ୍କ ସାଜନ। ଏହା ମଧ୍ୟ ସାଜନଙ୍କ କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍‌ ପ୍ରବେଶ। ସେ ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିଥିଲେ।

ସେରେନା ଖେଳିବେନି
ସ୍ପେନୀୟ ଟେନିସ୍ କିଂବଦନ୍ତି ରାଫେଲ ନାଦାଲଙ୍କ ଭଳି ଆମେରିକାର ମହାନ ମହିଳା ଟେନିସ୍ ତାରକା ସେରେନା ୱିଲିୟମ୍ସ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ‌ଦେଖିବାକୁ ମିଳିବେ ନାହିଁ। ପ୍ରାକ୍ ୱିମ୍ବଲଡନ୍ ସାମ୍ବାଦିକ ସମ୍ମିଳନୀରେ ଏକଥା ଘୋଷଣା କରିଛନ୍ତି ୩୯ ବର୍ଷୀୟା ସେରେନା। ସେ କହିଛନ୍ତ ଯେ ମୁଁ ଅଲିମ୍ପିକ୍ସ ତାଲିକାରେ ନାହିଁ। ତେବେ ନିଜ ନିଷ୍ପତ୍ତି ପଛର କାରଣ କହିବାକୁ ସେ ମନା କରି ଦେଇଛନ୍ତି। ବିଦେଶୀ ପ୍ରଶଂସକଙ୍କ ପରେ ଲାଗିଥିବା ବାସନ୍ଦ ସହ ପରିବାରବର୍ଗକୁ ନେବାର କଟକଣା ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ଓହରି ଯାଇଥିବା ଅନୁମାନ କରାଯାଉଛି। ଝିଅ ଆଲେକ୍ସି ଅଲିମ୍ପିଆଠାରୁ ବି ଦୂରେଇ ରହିବାକୁ ଚାହୁନାହାନ୍ତି ସେରେନା। ଅଲିମ୍ପିକ୍ସରେ ଗୋଟିଏ ଏକକ ସ୍ବର୍ଣ୍ଣ ଏବଂ ତିନିଟି ଯୁଗଳ ସ୍ବର୍ଣ୍ଣ ଜିତିଛନ୍ତି ସେ।

ସମ୍ବନ୍ଧିତ ଖବର