ଆଶାର ‘ଏକୋଇଶ’ରେ ବିଶ୍ୱକ୍ରୀଡ଼ା ଏକପ୍ରକାର ବଳୟ ଭିତରେ ଆବଦ୍ଧ ରହିଥିଲା। ବର୍ଷ ତମାମ ଖେଳ ପଡ଼ିଆରେ କରୋନା ହିଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀର ଭୂମିକା ତୁଲାଇଥିଲା। କଠିନ ସମୟ, ଆହ୍ବାନଭରା ପରିବେଶ, ସଂକ୍ରମଣରୁ ମୁକ୍ତ ରହିବାର ସଂକଳ୍ପ, ସାଙ୍ଗସାଥୀ ଓ ପରିବାରଠାରୁ ଦୂରେଇ ରହିବାର ମାନସିକ ଚାପ ଭିତରେ କିନ୍ତୁ ଖେଳାଳିମାନେ ନିଜ ନିଜର ଶେଷ୍ଠତ୍ବ ଜାହିର କରିବା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ। ନିରାଶା ଓ ଭୟ ଭିତରେ ବିନା ଦର୍ଶକରେ ଖେଳାଯାଇଥିବା ଟୋକିଓ ଅଲିମ୍ପିକ୍ସ ଆଶାର ଆଲୋକ ଭାବେ ଉଭା ହୋଇଥିଲା। ଗୋଟିଏ ବର୍ଷ ବିଳମ୍ବିତ ହେବା ଏବଂ ଅସ୍ବାଭାବିକ ପରିସ୍ଥିତିରେ ଖେଳା ଯାଇଥିବା ଏହି ଅଲିମ୍ପିକ୍ସରେ ଭାରତ ଐତିହାସିକ ସଫଳତା ହାସଲ କରି ନିଜ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ପରିଚୟ ଦେଇଥିଲା। ପାରାଲିମ୍ପିକ୍ସରେ ଓଡ଼ିଆ ତାରକା ପ୍ରମୋଦ ଭଗତଙ୍କ ଚମକ ଏବଂ ଅଲିମ୍ପିକ୍ସ ଆଥଲେଟିକ୍ ଟ୍ରାକ୍‌ରେ ସ୍ପ୍ରିଣ୍ଟର ଦୂତି ଚାନ୍ଦ ରେକର୍ଡ ଦ୍ବିତୀୟବାର ଦୌଡ଼ିବାର କମାଲ ଭାରତ ତଥା ଓଡ଼ିଶା କ୍ରୀଡ଼ା ପାଇଁ ଦୁଇଟି ଅବିସ୍ମରଣୀୟ ସଫଳତା ଥିଲା। ନୀରଜ ଚୋପ୍ରା ଭାରତୀୟ କ୍ରୀଡ଼ା ଦୁନିଆର ନୂଆ ମହାନାୟକ ଭାବେ ଉଭା ହୋଇଥିଲେ। ତାଙ୍କ ବିରଳ ସ୍ବର୍ଣ୍ଣିମ ସଫଳତା ପାଇଁ ଦେଶ ଭିତରେ ଜାଭଲିନ୍‌ର ପୁର୍ନଜନ୍ମ ହେବା ଭାରତୀୟ ପ୍ରଶଂସକଙ୍କୁ ସବୁଠୁ ଅଧିକ ଉଲ୍ଲସିତ କରିଥିଲା। ଚାରି ଦଶନ୍ଧି ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ପଦକ ଜିତିଥିଲା। ସେଥିପାଇଁ ହକି ପ୍ରତିଟି ଭାରତୀୟଙ୍କ ହୃତ୍‌ସ୍ପନ୍ଦନ ପାଲଟିଯାଇଥିଲା। କରୋନା ରୂପକ ସିକୁଳି ବିଶ୍ବର ଅନ୍ୟତମ ଲୋକପ୍ରିୟ କ୍ରୀଡ଼ା କ୍ରିକେଟ୍‌ର ଉତ୍ଥାନକୁ ଅଟକାଇ ପାରିନଥିଲା। ବଳୟ ଭିତରେ ବି ଢେର ଆଗକୁ ବଢ଼ିଥିଲା‌ କ୍ରିକେଟ୍। ନ୍ୟୁଜିଲାଣ୍ଡ ଟେଷ୍ଟ୍‌ କ୍ରିକେଟ୍‌ର ନୂଆ ବାଦଶାହ ବନିଥିଲା। ଅଷ୍ଟ୍ରେଲିଆ ଫଟାଫଟ୍ କ୍ରିକେଟ୍‌ର ନୂଆ‌ ବିଶ୍ବବିଜେତା ପାଲଟିଥିଲା। ଭାରତୀୟ ଦଳ ଗାବା ଦଖଲର ଅସାଧାରଣ ଲକ୍ଷ୍ୟକୁ ସାଧନ କରିଥିଲା। ନେତୃତ୍ବକୁ ନେଇ ସୃଷ୍ଟି ହୋଇଥିବା ବିବାଦ, ବିତର୍କ ଏବଂ ଟଣାଓଟରା ଭିତରେ ପୁଣି ଥରେ ଏକନମ୍ବର ଟେଷ୍ଟ୍ ଦଳ ଭାବେ ବର୍ଷ ଶେଷ କରିଥିଲା ଟିମ୍ ଇଣ୍ଡିଆ।

Advertisment

publive-image

ଜାଭଲିନ୍‌ର ପୁନର୍ଜନ୍ମ, ‘ଜାତୀୟ ଜାଭଲିନ୍ ଦିବସ’ ଅଭିନବ ପରିକଳ୍ପନା
ଦର୍ଶକଙ୍କ ଷ୍ଟାଡିୟମ୍‌ ପ୍ରବେଶ ଉପରେ କଡ଼ା ଅଙ୍କୁଶ ପାଇଁ ଅସ୍ବାଭାବିକ ଅଲିମ୍ପିକ୍ସର ଆଲୋଡ଼ା ମାନ୍ୟତା ଲାଭ କରିଥିଲା ଟୋକିଓ ଅଲିମ୍ପିକ୍ସ। ଆମେରିକା ୩୯ ସ୍ବର୍ଣ୍ଣ, ୪୧ ରୌପ୍ୟ ଓ ୩୩ କାଂସ୍ୟ ସହ ମୋଟ ୧୩୧ ପଦକ ଜିତି ପ୍ରଥମ ସ୍ଥାନରେ ରହିଥିଲା। ୩୩ କ୍ରୀଡ଼ାକୁ ନେଇ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା ବେଳେ କରାଟେ, ସ୍ପଟ୍ କ୍ଲାଇମ୍ବିଂ, ସର୍ଫିଂ, ସ୍କେଟ୍‌ବୋର୍ଡିଂ ଭଳି ଖେଳ ଅଲିମ୍ପିକ୍ସ ପଦାର୍ପଣ କରିଥିଲେ। ଚୀନ (୩୮ ସ୍ବର୍ଣ୍ଣ, ୩୨ ରୌପ୍ୟ, ୧୮ କାଂସ୍ୟ) ଦ୍ବିତୀୟ ଏବଂ ଆୟୋଜକ ଜାପାନ (୨୭ ସ୍ବର୍ଣ୍ଣ, ୧୪ ରୌପ୍ୟ, ୧୭ କାଂସ୍ୟ) ତୃତୀୟ ସ୍ଥାନ ଅଧିକାର କରିଥିଲା। ଅଂଶଗ୍ରହଣକାରୀ ୨୦୬ ଦେଶରୁ ୯୩ ଦେଶ ପଦକ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଥିଲେ। ଭାରତ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ୪୮ତମ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲା। ଯାହା ଭାରତର ସର୍ବଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ ଥିଲା। ଟୋକିଓ ଅଲିମ୍ପିକ୍ସକୁ ଭାରତ ତା’ର ଅଲିମ୍ପିକ୍ସ ଇତିହାସର ସବୁଠାରୁ ବଡ଼ ଦଳ ପଠାଇଥିଲା। ଏଥିରେ ଥିବା ୧୨୬ ଜଣ ଖେଳାଳି ୬୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଭାରତ ମୋଟ ୭ ପଦଜ ଜିତି ଲଣ୍ଡନ ଅଲିମ୍ପିକ୍ସରେ ଜିତିଥିବା ସର୍ବାଧିକ ୬ ପଦକକୁ ଟପି ଯାଇଥିଲା। ବ୍ୟକ୍ତିଗତ ପଦକ ବିଜେତାଙ୍କ ସହ ଦଳଗତ ଭାବେ ଭାରତର ୪ ଗୁଣା ୪୦୦ ମିଟର ରିଲେ ଦଳ ନୂଆ ଏସୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଗଲ୍ଫ ପଡ଼ିଆରେ ଅଦିତି ଅଶୋକ ଚତୁର୍ଥ ସ୍ଥାନରେ ରହି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ। ସେହିଭଳି ୮୬ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ଦୀପକ ପୁନିଆ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ‌ହୋଇଥିଲେ। ମହିଳା ହକି ଦଳ ମଧ୍ୟ ନିଜ ଅଲିମ୍ପିକ୍ସ ଇତିହାସର ସର୍ବଶ୍ରେଷ୍ଠ ସଫଳତା (ଚତୁର୍ଥ ସ୍ଥାନ) ଲାଭ କରିଥିଲା। ନୀରଜ ଚୋପ୍ରାଙ୍କ ବିରଳ ସୁନେଲି ସଫଳତା ପରେ ଭାରତରେ ଜାଭଲିନ ଖେଳର ଏକପ୍ରକାର ପୁନର୍ଜନ୍ମ ହୋଇଥିଲା। ଏପରିକି ଭାରତୟ ଦୌଡ଼କୁଦ ସଂଘ ନୀରଜ ଐତିହାସିକ ଅଲିମ୍ପିକ୍ସ ସ୍ବର୍ଣ୍ଣ ହାସଲ କରିଥିବା ଅଗଷ୍ଟ ୭ ତାରିଖକୁ ଜାତୀୟ ଜାଭଲିନ୍ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।

publive-image khelnow.com

ନୀରଜ ଯୋଡ଼ିଲେ ନୂଆ ଅଧ୍ୟାୟ
ଟୋକିଓ ଅଲିମ୍ପିକ୍ସର ଅନ୍ତିମ ପର୍ଯ୍ୟାୟରେ ନୀରଜ ଚୋପ୍ରାଙ୍କ ଐତିହାସିକ ସ୍ବର୍ଣ୍ଣ ସମଗ୍ର ଭାରତ ବର୍ଷକୁ ଉତ୍ସବ ମୁଖର କରିଥିଲା। ୮୭.୫୮ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ନିଜ ଜୀବନର ସବୁଠାରୁ ବଡ଼ ସଫଳତା ସାଉଣ୍ଟିଥିଲେ ସେ। ଆଥଲେଟିକ୍ସରୁ ସ୍ବର୍ଣ୍ଣ ପଦକ ଜିତିବାରେ ନୀରଜ ହୋଇଥିଲେ ସ୍ବାଧୀନ ଭାରତର ପ୍ରଥମ ସୁଯୋଗ୍ୟ ସନ୍ତାନ । ୨୦୦୮ ମସିହା ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରା ବନ୍ଧୁକଚାଳନାରୁ ସ୍ବର୍ଣ୍ଣ ପଦକ ଜିତିବା ପରେ ଅଲିମ୍ପିକ୍ସରୁ ଭାରତର ଏହା ଦ୍ବିତୀୟ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଥିଲା। ନୀରଜ ଭାରତୀୟ କ୍ରୀଡ଼ା ଆକାଶର ମହାନାୟକ ଭାବେ ଉଭା ହେବା ସହ ଅଲିମ୍ପିକ୍ସରେ ଭାରତ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଲେଖିଥିଲା। ଅନ୍ୟମାନଙ୍କ ମଧ୍ୟରେ ଭାରୋତ୍ତୋଳନରୁ ସାଇଖମ୍ ମୀରାବାଇ ଚାନୁ (ରୌପ୍ୟ ) ପ୍ରଥମ ପଦକ ଜିତିଥିଲେ। କୁସ୍ତିରେ ରବିକୁମାର ଦାହିୟା (ରୌପ୍ୟ) ଓ ବଜରଙ୍ଗ ପୁନିଆ (କାଂସ୍ୟ), ବ୍ୟାଡମିଣ୍ଟନ୍‌ରେ ପିଭି ସିନ୍ଧୁ (କାଂସ୍ୟ), ମୁଷ୍ଟିଯୁଦ୍ଧରେ ଲଭଲିନା ବର୍ଗୋହାଁ ପଦକ ତାଲିକାରେ ରହି ସମଗ୍ର ଦେଶକୁ ଗୌରବାନ୍ବିତ କରିଥିଲେ। ଭାରତୀୟ ପୁରୁଷ ହକି ଦଳ ମଧ୍ୟ କାଂସ୍ୟ ପଦକ ବିଜୟ ସହ ସଫଳତାର ନୂଆ ଫର୍ଦ ନିଜ ସ୍ବର୍ଣ୍ଣିମ ଇତିହାସରେ ଯୋଡ଼ିଥିଲା।

publive-image

ଦିବ୍ୟାଙ୍ଗ ପାଲଟିଲେ ପ୍ରେରଣା ଉତ୍ସ
ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ଐତିହାସିକ ସଫଳତା ଲାଭ କରିଥିଲେ। ପ୍ରତିଯୋଗୀମାନେ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ୧୯ ପଦକ ଅମଳ କରିଥିଲେ। ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବ୍ୟାଡମିଣ୍ଟନ୍‌ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲା। ସୁମିତ ଆନ୍ତିଲ, ମନୀଷ ନରୱାଲ, କ୍ରିଷ୍ଣା ନଗର ବି ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ଭାବିନା ପଟେଲ, ନିସଦ କୁମାର, ଯୋଗେଶ କାଥୁନିଆ, ଦେବେନ୍ଦ୍ର ଝାଝରିଆ, ମେରିଆପନ୍ ଥଙ୍ଗଭେଲୁ, ପ୍ରବୀଣ କୁମାର, ସୁହାସ ୟଥିରାଜ ରୁପେଲି ସଫଳତା ପାଇଥିଲେ। ସୁନ୍ଦର ସିଂହ ଗୁର୍ଜର, ଶରଦ କୁମାର, ହରବିନ୍ଦର ସିଂହ ଓ ମନୋଜ ସରକାର କାଂସ୍ୟ ପଦକ ପାଇଥିଲେ। ଅବନି ଲେଖରା (ସ୍ବର୍ଣ୍ଣ ସହ କାଂସ୍ୟ) ଓ ସିଙ୍ଗରାଜ ଅଧାନା (ରୌପ୍ୟ ଓ କାଂସ୍ୟ) ଦୁଇଟି ଲେଖାଏଁ ପଦକ ଜିତି ନିଜ ‌ପାରାଲିମ୍ପିକ୍ସ ପଦାର୍ପଣକୁ ସ୍ମରଣୀୟ କରିଥି‌ଲେ।

ଏକାଥରକେ ୧୨ ରତ୍ନ
ଭାରତୀୟ ଖେଳ ଇତିହାସରେ ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ର ନା ବଦଳାଇ ହକି ଯାଦୁଗର ମେଜର ଧ୍ୟାନଚାନ୍ଦ ନାଁ ଅନୁସା‌ରେ ‌‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଭାବେ ନାମିତ କରାଯାଇଥିଲା। ଯାହାକୁ ‌ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଥିଲା। ତେବେ ପୂର୍ବତନଙ୍କ ସହିତ ସାଂପ୍ରତିକ ଖେଳାଳିମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ପାଇଁ ବିଳମ୍ବିତ ହୋଇଥିବା ଖେଳରତ୍ନ ପୁରସ୍କାର ବିତରଣ ନୂଆ ମାଇଲଖୁଣ୍ଟ ଛୁଇଁଥିଲା। ଏବର୍ଷ ଏକାଥରକେ ୧୨ ଜଣ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର ମିଳିଥିଲା। ଯାହା ପୂର୍ବରୁ କେବେ ବି ହୋଇନଥିଲା। ସେହିଭଳି ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ସମେତ ୩୫ ଜଣ କ୍ରୀଡ଼ା ତାରକା ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଗତବର୍ଷ ଅର୍ଜୁନ ପୁରସ୍କାର ବିଜେତା ଭାବେ ଘୋଷିତ ହେବା ପରେ ଏବର୍ଷ ଦୌଡ଼ରାଣୀ ଦୂତି ଚାନ୍ଦ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଟ୍ରଫି ଗ୍ରହଣ କରିବାର ଗୌରବ ପାଇଥିଲେ।

publive-image

ଘରେ ଘରେ ହକି, ହକି ଆଉ ହକି
ଭାରତୀୟ ହକି ଏବର୍ଷ ତାର ହୃତଗୌରବ ଫେରି ପାଇଥିଲା। ପାଖାପାଖି ଚାରି ଦଶନ୍ଧି ପରେ ଅଲିମ୍ପିକ୍ସ ପୋଡିୟମ୍‌ରେ ଛିଡ଼ା ହେବାର ସୌଭାଗ୍ୟ ପାଇଥିଲା। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ଦଳର ଏହା ପ୍ରଥମ ପଦକ ଥିଲା। ସେହିଭଳି ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଅଲିମ୍ପିକ୍ସ ଇତିହାସରେ ନିଜର ଶ୍ରେଷ୍ଠ ସ୍ଥାନ ଦଖଲ କରିଥିଲା। ଉଭୟ ଦଳର ଐତିହାସିକ ପ୍ରଦର୍ଶନ ପରେ ହକି ଯେମିତି ତାର ପୁରୁଣା ଚମକ ଫେରି ପାଇଥିଲା। ଟୋକିଓ ଅଲିମ୍ପିକ୍ସର ପ୍ରଦର୍ଶନ ଆଧାରରେ ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଲିଥିଲା। ଅର୍ଥ ସହ ସମ୍ମାନର ସୁଅ ସେମାନଙ୍କ ପାଖକୁ ଛୁଟିଥିଲା। ଓଡ଼ିଶାର ପୃଷ୍ଠପୋଷକରେ ଭାରତୀୟ ଦଳ ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ସ ପଦକ ଜିତିବା ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଗର୍ବିତ କରିଥିଲା। ଏହି ପ୍ରଦର୍ଶନରେ ଉତ୍ସାହିତ ଓଡ଼ିଶାର ହକିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦ ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକିର ପ୍ରା‌ୟୋଜକ ରହିବ ବୋଲି ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ହେଲା ଗୋଟିଏ ବର୍ଷରେ ଓଡ଼ିଶା କ୍ରୀଡ଼ା ଇତିହାସରେ ଦୁଇଟି ଅନନ୍ୟ ଅଲିମ୍ପିକ୍ସ କୀର୍ତ୍ତିମାନ ଯୋଡ଼ିହେଲା। ବୀରେନ୍ଦ୍ର ଓ ଅମିତ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିଲେ। ପ୍ରମୋଦ ଭଗତ ରାଜ୍ୟ ପାଇଁ ପ୍ରଥମ ଓ ଏକମାତ୍ର ପାରାଲିମ୍ପିକ୍ସ ସ୍ବର୍ଣ୍ଣ ହାସଲ କରିଥିଲେ।