ଟୋକିଓ ଅଲିମ୍ପିକ୍ସ: ୪୫ ଦିନିଆ ଅବଗଣନା, କରୋନାର କଳା ବାଦଲରେ ଟୋକିଓ ଅଲିମ୍ପିକ୍ସ

ଜିପିଏସ୍‌ ଅଧିନରେ ରହିବେ ବିଦେଶୀ ସାମ୍ବାଦିକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ଦେଢ଼ ମାସରୁ କମ୍‌ ସମୟ ରହିଥିବା ବେଳେ ଜାପାନ ଏହି ଅପ୍ରତ୍ୟାଶିତ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତିକୁ ଜୋରଦାର କରିଛି। କୋଭିଡ୍‌ ମହାମାରୀର କଳା ବାଦଲ ଆଛାଦିତ କରି ରହିଥିଲେ ମଧ୍ୟ ଆୟୋଜକମାନେ ଏଥିରେ ପ୍ରଭାବିତ ନାହାନ୍ତି। ବିଶେଷ କରି ବିଶ୍ବବ୍ୟାପୀ ପରିସ୍ଥିତିରେ ସୁଧାର ଆସୁଥିବାରୁ ସେମାନେ ଉତ୍ସାହିତ ଅଛନ୍ତି। ଗତବର୍ଷ ବନ୍ଦ ବେଳର ସ୍ଥିତି ତୁଳନାରେ ଏବର ସ୍ଥିତି ଉନ୍ନତ ଥିବାରୁ ଆୟୋଜନ ପ୍ରଭାବିତ ହେବ ନାହିଁ ବୋଲି ଆୟୋଜକମାନେ ଆଶାବାଦୀ ରହିଛନ୍ତି। ଦୀର୍ଘ ୫୭ ବର୍ଷ ପରେ ଜାପାନ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଥିବାରୁ କୋଭିଡ୍‌ ପରିସ୍ଥିତି ସତ୍ତ୍ବେ ଏହାକୁ ସଫଳ କରିବା ନେଇ ଲାଗି ପଡ଼ିଛି। ଶେଷ ଥର ପାଇଁ ଟୋକିଓରେ ୧୯୬୪ରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା।

ଏଥରର ଅଲିମ୍ପିକ୍ସ କିନ୍ତୁ ବିଦେଶୀ ଦର୍ଶକଙ୍କ ବିନା ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ପର୍କରେ ଚଳିତ ମାସ ଶେଷ ଭାଗରେ ନିଷ୍ପତ୍ତି ନିଆଯିବ। କିଛି ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଆୟୋଜନ ସମିତି ଉପ ସଭାପତି ‌ତୋସିଆକି ଏଣ୍ଡୋ ପ୍ରକାଶ କରିଛନ୍ତି। କୋଭିଡ୍‌ ‌ନେଭେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ସହ ଘରୋଇ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ଜାପାନବାସୀ କିନ୍ତୁ ମୂଳରୁ ଏହାକୁ ବିରୋଧ କରି ଆସୁଛନ୍ତି। ପ୍ରତି ସପ୍ତାହରେ ହେଉଥିବା ସର୍ଭେରେ ପ୍ରାୟ ୬୦ରୁ ୮୦ ପ୍ରତିଶତ ଜନତା ଟୋକିଓ ଅଲିମ୍ପିକ୍ସ ବାତିଲ କିମ୍ବା ପୁନଃସ୍ଥଗିତ ରହୁ ବୋଲି ଦାବି କରି ଆସୁଛନ୍ତି। କିନ୍ତୁ ଏହାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ (ଆଇଓସି) ଗୁରୁତ୍ବ ଦେଉନାହିଁ କି ଭ୍ରୁ‌କ୍ଷେପ କରୁନାହିଁ। ନିଜ ଯୋଜନାରେ ଆଗେଇ ଚାଲିଛି। ବ୍ୟାବସାୟ କ୍ଷେତ୍ର ତଥା ପୁଞ୍ଜି ବିନିଯୋଗକାରୀ ମଧ୍ୟ ଏହାକୁ ବିରୋଧ କରି ଆସୁଛନ୍ତି।

ଅନେକଙ୍କ ଆଶଙ୍କା ବିଜ୍ଞାପନ ମୂଲ୍ୟହୀନ ହୋଇଯିବ କାରଣ ଦର୍ଶକଙ୍କ ପ୍ରବେଶ ଅନିଶ୍ଚିତତାରେ ରହିଛି। ଜାପାନର ମନ୍ଥର ଟିକାକରଣ ବ୍ୟବସ୍ଥା ଅଲିମ୍ପିକ୍ସ ଆୟୋଜନକୁ ଏକ ଆତ୍ମଘାତୀ ଅଭିଯାନରେ ପରିଣତ କରିଦେବ ବୋଲି ଜଣେ ବିଶିଷ୍ଟ ବ୍ୟାବସାୟୀ ପ୍ରକାଶ କରିଛନ୍ତି। ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡ଼ିବ ବୋଲି ମଧ୍ୟ କିଛି ଲୋକ ଆଶଙ୍କା କରିଛନ୍ତି। ଆୟୋଜକମାନେ କିନ୍ତୁ ଟୋକିଓର ୧୦ ହସପିଟାଲ୍ ଓ ରାଜଧାନୀ ବାହାରର ୨୦ଟି ହସପିଟାଲ୍‌ ସହ କଥାବର୍ତା ଚଳାଇଛନ୍ତି। କିନ୍ତୁ ସରକାରଙ୍କ ଶୀର୍ଷସ୍ଥାନୀୟ ସ୍ବାସ୍ଥ୍ୟ ଉପଦେଷ୍ଠା ଶିଗେରୁ ଓମି ଜୁନ୍ ପ୍ରାରମ୍ଭରେ ପାର୍ଲାମେଣ୍ଟ୍‌ ଟିପ୍ପଣୀରେ ଲେଖିଥିଲେ ମହାମାରୀ ସମୟରେ ଅଲିମ୍ପିକ୍ସ ଆୟୋଜନ କେବେ ବି ସ୍ବାଭାବିକ ହେବ ନାହିଁ।

ଜିପିଏସ୍‌ ଅଧିନରେ ରହିବେ ବିଦେଶୀ ସାମ୍ବାଦିକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ କଭର୍ ପାଇଁ ଯୋଜନା କରୁଥିବା ବିଦେଶୀ ସାମ୍ବାଦିକଙ୍କ ପାଇଁ ମଧ୍ୟ ଏଥର କଠୋର ସମୟ ରହିବ। ଗେମ୍ସ ସଭାପତିଙ୍କ ସୂଚନା ଅନୁସାରେ ବିଦେଶୀ ସାମ୍ବାଦିକଙ୍କ ଗତିବିଧି ଉପରେ ଆୟୋଜକଙ୍କ ତୀକ୍ଷ୍‌ଣ ନଜର ରହିବ। ଏପରିକି ସେମାନଙ୍କ ଚଳପ୍ରଚଳକୁ ଜିପିଏସ୍‌ ଜରିଆରେ ଟ୍ରାକ୍‌ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କ ପାସ୍‌କୁ ତୁରନ୍ତ ପ୍ରତ୍ୟାହାର କରିନିଆଯିବ। ମିଳିଥିବା ସୂଚନା ଅନୁସାରେ ପ୍ରାୟ ୬,୦୦୦ ବିଦେଶୀ ସାମ୍ବାଦିକ ଜାପାନ ଗସ୍ତ କରିବା‌ ଯୋଜନାରେ ଅଛନ୍ତି। ନିର୍ଧାରିତ ହୋଟେଲ୍‌ରେ ସେମାନେ ରହିବେ ଏବଂ କଠୋର କଟକଣା ଭିତରେ ଚଳିବାକୁ ପଡ଼ିବ। ଖେଳାଳିଙ୍କ ପାଇଁ ଧାର୍ଯ୍ୟ ହୋଟେଲ୍ ସଂଖ୍ୟା ୩୫୦ ରହିବ ବୋଲି କୁହାଯାଉଥିଲେ ମଧ୍ୟ ଏବେ ଏହାକୁ ୧୫୦କୁ କମାଇ ଦିଆଯାଇଛି। ଜାପାନରେ ମାତ୍ର ୩.୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବାରୁ ମଧ୍ୟ ଅନ୍ୟ ଏକ ଚିନ୍ତା ସମସ୍ତଙ୍କୁ ଘାରିଛି।

ଅଲିମ୍ପିକ୍‌ ଯୋଗ୍ୟ ଆଥ୍‌ଲେଟ୍‌ ୪ ସପ୍ତାହ ପରେ କରୋନା ଟିକାର ଦ୍ବିତୀୟ ଡୋଜ୍‌ ନେବେ
ନୂଆଦିଲ୍ଲୀ: ଅଲିମ୍ପିକ୍ ଯୋଗ୍ୟ ଆଥ୍‌ଲେଟ୍‌ ଏବଂ ଅଧିକାରୀମାନେ କରୋନା ଟିକାର ଦ୍ବିତୀୟ ଡୋଜ୍‌ ୪ ସପ୍ତାହ ପରେ ନେଇପାରିବେ। ଉଭୟ ଡୋଜ୍‌ ମଧ୍ୟରେ ବ୍ୟବଧାନ ୪ ସପ୍ତାହ ଧାର୍ଯ୍ୟ କରାଯାଇଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)କୁ ଅବଗତ କରାଯାଇଥିବା ସଭାପତି ନରିନ୍ଦର ବାତ୍ରା ସୋମବାର କହିଛନ୍ତି। ବାତ୍ରା ମଧ୍ୟ ଏହାକୁ ଜାତୀୟ କ୍ରୀଡ଼ା ସଂଘଗୁଡ଼ିକୁ ସୂଚାଇ ଦେଇଛନ୍ତି। କୋଭିସିଲ୍‌ଡ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ମଧ୍ୟରେ ବ୍ୟବଧାନକୁ ଗତମାସରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିଥିଲା। ଅନ୍ୟପକ୍ଷ‌ରେ ଭାରତ ବାଇଓଟେକ୍‌ର କୋଭାକ୍ସିନ୍ ଟିକାର ବ୍ୟବଧାନ ୪ ସପ୍ତାହ ରହିଛି। ତେଣୁ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଥିବା ଆଥ୍‌ଲେଟ୍‌ମାନେ ଏବଂ ଅଧିକାରୀମାନେ ଜାପାନ ଯିବା ପୂର୍ବରୁ କରୋନା ଟିକାର ଉଭୟ ଡୋଜ୍‌ ନେବାନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏପରିସ୍ଥଳେ ଅଲିମ୍ପିକ୍‌ ଯୋଗ୍ୟ ଆଥ୍‌ଲେଟ୍‌ ଓ ଅଧିକାରୀମାନେ ପ୍ରଥମ ଡୋଜ୍‌ ନେବାର ୪ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍‌ ନେଇପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ଶୁଣାଇ ଦେଇଛି। ଏଠାରେ ସୂଚନାଯୋଗ୍ୟ, ‌ଟୋକିଓ ଅଲିମ୍ପିକ୍ସ ଆସନ୍ତା ମାସ ୨୩ ତାରିଖରୁ ଆରମ୍ଭ ହେବ।

ଆଥ୍‌ଲେଟ୍‌ଙ୍କୁ ମିଳିବ ୧,୬୦,୦୦୦ କଣ୍ଡୋମ୍‌

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ଆଥ୍‌ଲେଟ୍‌ଙ୍କ ପାଇଁ ପ୍ରାୟ ୧, ୬୦,୦୦୦ କଣ୍ଡୋମ ବ୍ୟବସ୍ଥା କରିଛନ୍ତି ଆୟୋଜକ। ଏହିସବୁ କଣ୍ଡୋମ ଆଥ୍‌‌ଲେଟ୍‌ଙ୍କୁ ମଗେଣାରେ ଉପଲବ୍‌ଧ ହେବ। ଏପରିକି ପ୍ରତି ଆଥ୍‌ଲେଟ୍‌ଙ୍କୁ ୧୪ ଲେଖାଏଁ କଣ୍ଡୋମ ପ୍ରଦାନ କରାଯିବ। ହେଲେ ଏହିସବୁ କଣ୍ଡୋମକୁ ଆଥ୍‌ଲେଟ୍‌ମାନେ ଅଲିମ୍ପିକ୍ସ ବେଳେ ବ୍ୟବହାର କରିପାରିବେନି ବୋଲି ଆୟୋଜକଙ୍କ ପକ୍ଷରୁ ବାରଣ କରାଯାଇଛି। ଆଥ୍‌ଲେଟ୍‌ମାନେ ସେମାନଙ୍କୁ ପ୍ରଦାନ କରାଯାଇଥିବା କଣ୍ଡୋମ ବ୍ୟବହାର କରିବାରୁ ଦୂ‌ରେଇ ରହିବେ। ବରଂ ସେମାନେ ଫେରିବା ପରେ ସାଥୀରେ କଣ୍ଡୋମସବୁ ନେଇ ନିଜ ଦେଶରେ ସ୍ମୃତି ଭାବେ ରଖିବେ ବୋଲି ଆୟୋଜକ ପରାମର୍ଶ ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟି‌ରେ ରଖି କଣ୍ଡୋମ ବ୍ୟବସ୍ଥା କରାଯାଇଥିବା ଟୋକିଓ ଆୟୋଜକ କହିଛନ୍ତି। ଏହା ପୂର୍ବରୁ ଏଡ୍‌ସ ମହାମାରୀକୁ ଦୃଷ୍ଟିରେ ରଖି ୧୯୮୮ ସିଓଲ ଅଲିମ୍ପିକ୍ସ ବେଳେ ମଧ୍ୟ ଏଭଳି କଣ୍ଡୋମ ବଣ୍ଟା ଯାଇଥିଲା। ସେହିପରି ଟୋକିଓ ଅଲିମ୍ପିକ୍ସ ବେଳେ ମଧ୍ୟ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) କଣ୍ଡୋମ ବାଣ୍ଟିବ ବୋଲି କହିଛି।

ଟୋକିଓ ଅଲିମ୍ପିକ୍ସ ଅବସରରେ ଆଥ୍‌ଲେଟ୍‌ମାନେ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। କ୍ରୀଡ଼ା ଗ୍ରାମରେ ପ୍ରତ୍ୟେକ ପରସ୍ପରଠାରୁ ୨ ମିଟର ଦୂରତା ବଜାୟ ରଖିବା ସାଙ୍ଗକୁ ଶାରିରୀକ ସଂଯୋଗରୁ ଦୂରେଇ ରହିବା କଟକଣାକୁ କଡ଼ାକଡ଼ି କରାଯାଇଛି। ଏପରିକି ଆଥ୍‌ଲେଟ୍‌ମାନେ ମଧ୍ୟ ପରସ୍ପର ସହ ହାତ ମିଳାଇବା କିମ୍ବା କୋଳାକୋଳି ହେବା ଉପରେ କଟକଣା ଲଗାଯାଇଛି। ଏଗୁଡ଼ିକୁ କରୋନା ମାର୍ଗଦର୍ଶିକାର ଉଲଂଘନ ବୋଲି ବିଚାର କରାଯିବା ପାଇଁ ଆୟୋଜକ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର