ଟୋକିଓ ଅଲିମ୍ପିକ୍ସ ଆଉ ୫ ଦିନ: ଟୋକିଓରେ ଅଲିମ୍ପିକ୍‌ ବିରୋଧୀଙ୍କ ‌ବିକ୍ଷୋଭ

କ୍ରୀଡ଼ା ଗ୍ରାମରେ ପ୍ରଥମ କୋଭିଡ ପଜିଟିଭ୍‌; ବହୁ ଅଧିକାରୀ ଆକ୍ରାନ୍ତ

ଟୋକିଓ: ଆଉ ମାତ୍ର ୫ ଦିନ ପରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଜାପାନରେ ବିରୋଧ କମିବାର ନାମ ଧରୁନାହିଁ। ଶନିବାର ଟୋକିଓସ୍ଥିତ ଅନ୍ତର୍ଜାତୀୟ ବ୍ରଡକାଷ୍ଟିଂ ସେଣ୍ଟର୍‌ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଚାଲିଥିବା ବେଳେ ବାହାରେ ଶହ ଶହ‌ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ବିଶ୍ବବ୍ୟାପୀ ମହାମାରୀ ଚାଲିଥିବା ବେଳେ ଅଲିମ୍ପିକ୍ସ ଆୟୋଜନ କାରଣରୁ ଏହା ଜାପାନବାସୀଙ୍କ ପାଇଁ ଘାତକ ହେବ ବୋଲି ସେମା‌ନେ ଅଭିଯୋଗ କରିଛନ୍ତି। ଆଇଓସି ସଭାପତି ଥମାସ୍ ବାକ୍‌ଙ୍କ ହ‌ିରୋସୀମା ଗସ୍ତ ବିରୋଧରେ ମଧ୍ୟ ପ୍ରତିବାଦକାରୀ ବି‌କ୍ଷୋଭ କରିଛନ୍ତି। ଗତ ସପ୍ତାହରେ ବିକ୍ଷୋଭକାରୀମାନେ ମଧ୍ୟ ଅଲିମ୍ପିକ୍‌ ମଶାଲ୍ ରିଲେ ସ୍ଥଳରେ ପ୍ରତିବାଦ କରିଥିଲେ।

ଆଇଓସି ପକ୍ଷରୁ ସୁରକ୍ଷିତ ଅଲିମ୍ପିକ୍ସର ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଶନିବାର କ୍ରୀଡ଼ାଗ୍ରାମରେ ପ୍ରଥମ କୋଭିଡ୍‌ ସଂକ୍ରମଣ ମାମଲା ନଜରକୁ ଆସିଛି। ଶନିବାର ବିକ୍ଷୋଭକାରୀଙ୍କୁ ପୁଲିସ୍‌ ୨୦ ମିଟର୍‌ ପୂର୍ବରୁ ରୋକି‌ଦେଇଥିଲା। ଆଇଓସି ପକ୍ଷରୁ ଶନିବାର କୁହାଯାଇଛି ଯେ, ଜାପାନ ଲୋକଙ୍କ ମନରେ ଅଲିମ୍ପିକ୍ସର ସଫଳ ଆୟୋଜନ ନେଇ ଅବିଶ୍ବାସ ଭରି ରହିଥିବା ନେଇ ଆମେ ଅବଗତ ଅଛୁ। କିନ୍ତୁ ଥରେ ଖେଳ ଆରମ୍ଭ‌ ହୋଇଗଲେ ଲୋକଙ୍କ ଭାବନା ବଦଳିଯିବ। ‘‘ଜାପାନ ଲୋକମାନଙ୍କୁ ଆମେ ବିନମ୍ର ଅନୁରୋଧ କରୁଛୁ ଏବଂ ନିମନ୍ତ୍ରଣ କରୁଛୁ କି ବିଶ୍ବବ୍ୟାପୀରୁ ଆସୁଥିବା ଖେଳାଳିମାନଙ୍କୁ ସ୍ବାଗତ କରନ୍ତୁ ଏବଂ ସମର୍ଥନ ଦିଅନ୍ତୁ। ସୁରକ୍ଷିତ ଅଲିମ୍ପିକ୍ସ ଖେଳାଯିବା ନେଇ ସେମାନେ ମଧ୍ୟ ସମଭାବାପନ୍ନ ବିଚାର ଧାରାରେ ବିଶ୍ବାସ କରୁଛନ୍ତି’‌ ବୋଲି ବାକ୍‌ ପ୍ରକାଶ କରିଛନ୍ତି। ଆମେ ଜାଣିଛୁ ୧୦୦ ପ୍ରତିଶତ ସଫଳ ହେବୁ ନାହିଁ, କିନ୍ତୁ ଜାପାନ କ୍ରୀଡ଼ାବିତଙ୍କ ପ୍ରଦର୍ଶନ ଦେସବାସୀଙ୍କ ମନରେ ଆତ୍ମବିଶ୍ବାସ ଭରି ଦେବ ବୋଲି ବାକ୍‌ କହିଛନ୍ତି। ମହାମାରୀ ପ୍ରତିଟି ମଣିଷକୁ ବଦଳାଇ ଦେଇଛି ଏବଂ ବ୍ୟକ୍ତିଗତ ଜୀବନ ଓ ସାଙ୍ଗଠନିକ କାର୍ଯ୍ୟକୁ ପ୍ରଭାବିତ ହୋଇଛି। ତଥାପି ପରସ୍ପରକୁ ଦେଖିବାକୁ ମନ କହୁଛି ଏବଂ ଆଖିରେ ଆଖି ମିଶାଇବାର ଆବଶ୍ୟକତା ରହିଛି’ ବୋଲି ବାକ୍‌ ଭାବବିହ୍ବଳ ଢଙ୍ଗରେ ଜାପାନବାସୀଙ୍କୁ ନିବେଦନ କରି କହିଛନ୍ତି।

ଗତବର୍ଷ ଟୋକିଓ ଅଲିମ୍ପିକ୍ସ ଖେଳାଯିବାକୁ ଥିଲେ ମଧ୍ୟ ମହାମାରୀ କାରଣରୁ ଚଳିତ ବର୍ଷକୁ ଘୁଞ୍ଚିଥିଲା। ପୂର୍ବରୁ ବିଦେଶୀ ପ୍ରଶଂସକଙ୍କୁ ମନା ଥିବାବେଳେ ଗତ ସପ୍ତାହରେ ମଧ୍ୟ ସ୍ଥାନୀୟ ପ୍ରଶଂସକଙ୍କୁ ବାରଣ କରାଯାଇଛି। ଅର୍ଥାତ ବିନା ଦର୍ଶକରେ ଏଥର ଟୋକିଓ ଅଲିମ୍ପିକ୍ସ ଅନୁଷ୍ଠିତ ହେବାକୁ ଯାଉଛି।

ସୂଚନାଯୋଗ୍ୟ, ଟୋକିଓରେ ଗୁରୁବାର ମୋଟ ୧୩୦୮ ଜଣ ସଂକ୍ରମଣ ମାମଲା ପଦାକୁ ଆସିଥିଲା, ଯାହାକି ୬ ମାସ ମଧ୍ୟରେ ସର୍ବାଧିକ। ଲଗାତାର ୨୭ତମ ସପ୍ତାହ ଲାଗି ସଂକ୍ରମଣ ମାମଲା ମଧ୍ୟ ବଢ଼ିବାରେ ଲାଗୁଥିବାରୁ ଏଥରର ଅଲିମ୍ପିକ୍ସ କୋଭିଡ୍‌ ପାଇଁ ସୁପର ସ୍ପ୍ରେଡର୍ ହେବ ବୋଲି ବିକ୍ଷୋଭକାରୀମାନେ ଆଶଙ୍କା କରିଛନ୍ତି। ଚଳିତ ମାସରେ ୪,୫୦,୦୦୦ ଜାପାନବାସୀ ମଧ୍ୟ ଅଲିମ୍ପିକ୍ସ ବିରୋଧରେ ସ୍ବାକ୍ଷର ଅଭିଯାନ କରି ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର