ଟୋକିଓ ଅଲିମ୍ପିକ୍ସ୍: ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତାର ସେମି-ଫାଇନାଲ୍‌ରେ ପ୍ରବେଶ କଲେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତାରେ ଭାରତର ନାମଜାଦା କୁସ୍ତିଯୋଦ୍ଧା ବା ପହିଲମାନ୍ ବଜରଙ୍ଗ ପୁନିଆ ଇରାନ୍‌ର ମୋର୍ତେଜା ଗିୟାସିଙ୍କୁ ଚଟାଣରେ ପକାଇବା ସହ ତାଙ୍କ କାନ୍ଧକୁ ମାଡ଼ିବସି ବିଜୟୀ ହୋଇଛନ୍ତି। ୦-୧ରେ ପଛୁଆ ଥିବା ବଜରଙ୍ଗ ପ୍ରତିଯୋଗିତାର ଦ୍ବିତୀୟାର୍ଦ୍ଧରେ ଗିୟାସିଙ୍କୁ କୌଣସି ପ୍ରକାରେ ତଳେ ପକାଇ ମାଡ଼ିବସିବା ପରେ ବିଜୟ ଲାଭ କରିଥିଲେ।

ଏହି ପ୍ରତିଯୋଗିତାରେ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିବା ବଜରଙ୍ଗ ‘ରିଓ ୨୦୧୬’ କାଂସ୍ୟ ପଦକ ବିଜେତା ଅଜର୍‌ବୈଜାନ୍‌ର ହାଜି ଅଲିୟେଭ୍‌ଙ୍କ ସହ କୁସ୍ତି ଲଢ଼ିବେ।

Image Courtesy of Sportskeeda

ପୂର୍ବରୁ ପ୍ରି-କ୍ବାର୍ଟର୍ସରେ ସେ କାଜାଖସ୍ତାନର ଏର୍ଣ୍ଣାର୍‌ ଆକମତାଲିଏଭ୍‌ଙ୍କୁ ପରାସ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରଥମାର୍ଦ୍ଧରେ ବଜରଙ୍ଗ ତାଙ୍କ ଠାରୁ ୩-୧ରେ ଅଗ୍ରଣୀ ଥିଲେ। କିନ୍ତୁ, ପ୍ରତିଦ୍ବନ୍ଦ୍ବିତାର ଦ୍ବିତୀୟାର୍ଦ୍ଧରେ ଆକମତାଲିଏଭ୍‌ ବଜରଙ୍ଗଙ୍କୁ ଦୁଇ ଥର ଧକ୍କା ଦେଇ ସ୍କୋର୍‌କୁ ୩-୩କୁ ଆଣିଥିଲେ। ମାତ୍ର, ବଜରଙ୍ଗ ଖେଳର ଅନ୍ତିମ ଆଠ ସେକେଣ୍ଡରେ ତାଙ୍କୁ ପ୍ରବଳ ପ୍ରତିରୋଧ କରିବା କାରଣରୁ ‘ବାଉଟ୍‌ କ୍ରାଇଟେରିଆ’ ଆଧାରରେ ବିଜୟୀ ହୋଇଥିଲେ।

Image Courtesy of India Today

ଟୋକିଓ ଅଲିମ୍ପିକ୍ସ୍‌ରେ କୁସ୍ତି କ୍ଷେତ୍ରରେ ପଦକ ଜିଣିବେ ବୋଲି ବଜରଙ୍ଗଙ୍କ ଉପରେ ଭାରତର ଖୁବ୍ ଆଶା ରହିଛି। ‘୨୦୧୮ ଏସିଆନ୍‌ ଗେମ୍ସ୍‌’ରେ ସେ ସ୍ବର୍ଣ୍ଣ ଏବଂ ‘୨୦୧୯ ୱାର୍ଲଡ୍‌ଚାମ୍ପିଅନ୍‌ସିପ୍‌’ରେ ରୌପ୍ୟ ପଦକ ହାସଲ କରିଥିଲେ। ‘ୱାର୍ଲଡ୍‌ ଚାମ୍ପିଅନ୍‌ସିପ୍‌’ର ରୌପ୍ୟ ପଦକ ତାଙ୍କୁ ଟୋକିଓ ଅଲିମ୍ପିକ୍ସ୍‌ର ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ କରିଥିଲା।

ସମ୍ବନ୍ଧିତ ଖବର