ଟୋକିଓ ଅଲିମ୍ପିକ୍ସ କାଂସ୍ୟ ଭାରତୀୟ ହକିର ଚେହେରା ବଦଳାଇଛି: ଅମିତ

ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ କାଂସ୍ୟ ପଦକ ବିଜୟ ଭାରତୀୟ ହକିର ଚେହେରା ବଦଳାଇ ଦେଇଛି। ଦେଶର ଯୁବ ପିଢ଼ି ମଧ୍ୟ ହକି ପ୍ରତି ଆଗ୍ରହ ‌ଦେଖାଇଛନ୍ତି। ଖାଲି ଏତିକି ନୁହେଁ ଭୁବନେଶ୍ବର ଓ ରାଉରକେଲାରେ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ‌ପୁରୁଷ ବିଶ୍ବକପ୍‌ ଦେଖିବା ଲାଗି ଗ‌ାଁ ଗଣ୍ଡାର ଛୋଟ ପିଲା ଚାତକପରି ଚାହିଁ ରହିଛନ୍ତି ବୋଲି ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ‘ହକି ପେ ଚର୍ଚ୍ଚା’ ପୋଡକାଷ୍ଟ ସିରିଜ୍‌ରେ ଭାରତୀୟ ହକି ଦଳର ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସ କହିଛନ୍ତି। ୨୦୨୦ ଅଲିମ୍ପିକ୍‌ କାଂସ୍ୟ ବହୁତ କିଛି ବଦଳାଇଛି। ‌ହକି ଖେଳୁନଥିବା ଯୁବପିଢ଼ି ଏବେ ଗାଁରେ ଏହି ଖେଳ ଖେଳିଲେଣି। ମୁଁ ଯେତେବେଳେ ଗାଁ’କୁ ଯାଏ ଏଭଳି ଦୃଶ୍ୟ ଦେଖି ଗର୍ବିତ ହୁଏ। ପ୍ରାୟ ସବୁ ସ୍କୁଲ୍‌ରେ ହକି ଖେଳରେ ଯୁବପିଢ଼ିଙ୍କ ସଂଖ୍ୟା ବୃଦ୍ଧି ପାଇଛି’’ ବୋଲି ସେ କହିଛନ୍ତି।

ଓଡ଼ିଶାରେ ଖେଳିଲା ବେଳେ କିଭଳି ଅନୁଭବ କରୁଛନ୍ତି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ‘‘ଘରୋଇ ପଡ଼ିଆରେ ଖେଳିବା ଅନୁଭବ ଅଲଗାପ୍ରକାର। କାରଣ ଦର୍ଶକଙ୍କ ସମର୍ଥନ ଅଧିକ ମିଳିଥାଏ ଏବଂ ସେମାନେ ଆମକୁ ଉତ୍ସାହିତ କରିଥା’ନ୍ତି। ଭାରତ ବାହାରେ ମଧ୍ୟ ଭାରତୀୟ ପ୍ରଶଂସକ ରହିଥା’ନ୍ତି। କିନ୍ତୁ ଓଡ଼ିଶା ପ୍ରଶଂସକମାନେ ଭିନ୍ନ ସ୍ତରର ଏବଂ ଆମକୁ ଅଧିକ ପ୍ରେରଣା ଦେଇଥା’ନ୍ତି। ଏବେ ଆମେ ଏଠାରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳୁଛୁ। ଏହାପରେ ଏକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବୁ। ତା’ପରେ ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାରେ ଖେଳିବୁ। ଏଥିପାଇଁ ଆମର ଅଭ୍ୟାସ ମଧ୍ୟ ଭଲରେ ଚାଲିଛି। ଆମେ ଭୁଲ୍‌କୁ ସୁଧାରି ଭଲ କରିବାକୁ ଚେଷ୍ଟା ଚଳାଇଛୁ। ମୁଁ ପୂର୍ବରୁ ଆକ୍ରମଣାତ୍ମକ ଖେଳୁଥିଲି। କିନ୍ତୁ ଗତ କିଛି ବର୍ଷ ହେବ ବରିଷ୍ଠ ଖେଳାଳିଙ୍କଠୁ ଚାପକୁ ନିୟନ୍ତ୍ରଣ କରିବାର କୌଶଳ ଶିଖି ପାରିଛି’’ ବୋଲି ଦେଶ ପାଇଁ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ଅମିତ କହିଛନ୍ତି।

ସମ୍ବନ୍ଧିତ ଖବର