ଟୋକିଓ ଅଲିମ୍ପିକ୍ସ୍‍: ଅଂଶଗ୍ରହଣକାରୀ ସମସ୍ତ ଖେଳାଳିଙ୍କୁ ଟିକା ଦେବାକୁ ଚୀନ୍‌ ଆଗ୍ରହୀ

ନୂଆଦିଲ୍ଲୀ: ଏବର୍ଷ ‘ଟୋକିଓ ଅଲିମ୍ପିକ୍ସ୍‍’ ଏବଂ ‘୨୦୨୨ ବେଜିଙ୍ଗ୍‌ ଓ୍ଵିଣ୍ଟର୍‌ ଗେମ୍‌ସ୍‌’ରେ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳିଙ୍କୁ କରୋନାଭାଇରସ୍‌ ନିରୋଧୀ ଟିକା ଦେବା ଲାଗି ‘ଚାଇନିଜ୍‌ ଅଲିମ୍ପିକ୍‌ କମିଟି’ ଆଗ୍ରହୀ ବୋଲି ଗୁରୁବାର ଦିନ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅଲିମ୍ପିକ୍‌ କମିଟି’ (ଆଇଓସି) କହିଛି।

କରୋନାଭାଇରସ୍‌ ମହାମାରୀ କାରଣରୁ ଗତବର୍ଷ ହେବାକୁ ଥିବା ‘ଟୋକିଓ ଅଲିମ୍ପିକ୍ସ୍‍’କୁ ବାତିଲ କରାଯାଇ ଏବର୍ଷ ଜୁଲାଇ ୨୩ ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ କରାଯିବ ବୋଲି ପୁନଃ ସମୟ ନିର୍ଦ୍ଧାରଣ କରାଯାଇଛି। ଏହି ବିଳମ୍ବ କାରଣରୁ ‘ଟୋକିଓ ଅଲିମ୍ପିକ୍ସ୍‍’ ଶେଷ ହେବାର ୬ ମାସ ପରେ ‘ବେଜିଙ୍ଗ୍‌ କ୍ରୀଡ଼ା’ ଆରମ୍ଭ ହେବ।

‘ଆଇଓସି’ ଅଧ୍ୟକ୍ଷ ଟୋମାସ୍‌ ବ୍ୟାଚ୍‌ ‘ଅଲିମ୍ପିକ୍‌ ସଙ୍ଗଠନ’ର ଭର୍ଚ୍ୟୁଆଲ୍‌ ଅଧିବେଶନରେ କହିଛନ୍ତି, ଉଭୟ ‘ଟୋକିଓ ୨୦୨୦’ ଏବଂ ‘ବେଜିଙ୍ଗ୍‌ ୨୦୨୨’ର ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ଅତିରିକ୍ତ ଟିକା ଡୋଜ୍‌ ଯୋଗାଇ ଦେବା ଲାଗି ‘୨୦୨୨ ବେଜିଙ୍ଗ୍‌ ଅଲିମ୍ପିକ୍ସ୍‍’ ଆୟୋଜନ କରୁଥିବା ‘ଚାଇନିଜ୍‌ ଅଲିମ୍ପିକ୍‌ କମିଟି’ ‘ଆଇଓସି’କୁ ପ୍ରସ୍ତାବ ଦେଇଛି।

Image Courtesy of Zee News

କିନ୍ତୁ, ଚୀନ୍‌ କେତେ କେତେସଂଖ୍ୟକ ଟିକା ଯୋଗାଇ ଦେବ, ସେ ସଂକ୍ରାନ୍ତରେ ଟୋମାସ୍‌ ବିଶେଷ ବିବରଣୀ ଦେଇ ନାହାନ୍ତି। ଅଲିମ୍ପିକ୍‌ସ୍‌ରେ ୧୦,୦୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶ ଗ୍ରହଣ କରୁଥିବା ବେଳେ କୋଚିଙ୍ଗ୍‌ ଷ୍ଟାଫ୍‌, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଏବଂ କର୍ମଚାରୀ ଭାବେ ଆହୁରି ହଜାର ହଜାର ବ୍ୟକ୍ତି ସାମିଲ ହୋଇଥାଆନ୍ତି।

ଟୋକିଓ ଅଲିମ୍ପିକ୍ସ୍‍ର ନୂତନ ମୁଖ୍ୟ ସେଇକୋ ହାଶିମୋତୋ ଅନ୍‌ଲାଇନ୍‌ରେ ଉପସ୍ଥାପନ କରିଥିବା ଏହି ଅଧିବେଶନରେ ଟୋମାସ୍‌ ଉଦ୍‌ବୋଧନ ଦେବା ବେଳେ ଏ କଥା କହିଛନ୍ତି।

ସମ୍ବନ୍ଧିତ ଖବର