ଧନ୍ୟବାଦ ଟୋକିଓ, ବିଷମ ଅଲିମ୍ପିକ୍ସ ଉଦ୍‌ଯାପିତ

ଟୋକିଓ : ‘ମୁଁ ଘୋଷଣା କରୁଛି ୩୨ତମ ଅଲିମ୍ପିୟାଡ୍‌ ଉଦ୍‌ଯାପିତ ହେଲା। ପରମ୍ପରାକୁ ଆଗକୁ ନେଇ ୩ ବର୍ଷ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ୩୩ତମ ଅଲିମ୍ପିୟାଡରେ ଏକାଠି ହେବାକୁ ବିଶ୍ବର ସମସ୍ତ ଯୁବ ସମ୍ପ୍ରଦାୟକୁ ନିମନ୍ତ୍ରଣ କରୁଛି’। ଏଭଳି ଦୁଇଟି ବାକ୍ୟ କହି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ର ସଭାପତି ତଥା ୧୯୭୬ ଅଲିମ୍ପିକ୍ସର ଅସିଚାଳନା ବିଜେତା ଥମାସ୍ ବାକ୍‌ ଟୋକିଓ ୨୦୨୦କୁ ଉଦ୍‌ଯାପିତ କରିଛନ୍ତି। କୋଭିଡ୍‌ ମହାମାରୀର ବିପଦକୁ ବେଖାତିର କରି ବିଯୋଡ଼ ବର୍ଷ ଏବଂ ବିଷମ ପରିସ୍ଥିତି ଭିତରେ ଅନୁଷ୍ଠିତ ଏହି ସଂସ୍କରଣ ମଧ୍ୟ ସଫଳତାର ନୂଆ ଫର୍ଦ ଯୋଡ଼ିଛି। ଖେଳ ପଡିଆ ଭିତରେ ଅନେକ ରେକର୍ଡ ଭାଙ୍ଗିଛି ଏବଂ ଯୋଡ଼ା ହୋଇଛି। ଅଲିମ୍ପିକ୍ସ ଆନ୍ଦୋଳନ ବି ଆଗକୁ ବଢ଼ିଛି। ‌ଜାପାନବାସୀଙ୍କ ବିରୋଧ ଭିତରେ ଆୟୋଜିତ ଏହି ଅଲିମ୍ପିକ୍ସ ମଧ୍ୟ ଇତିହାସରେ ବିରଳ ହୋଇ ରହିବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଏକାଠି ରହି କ୍ରୀଡ଼ାବିତ୍‌ମାନେ ଦ୍ରୁତତମ, ଉଚ୍ଚତମ ଓ ଦୃଢ଼ତାର ଗୋଟିଏ ଗୋଟିଏ ଉଦାହରଣ ଛାଡ଼ିଛନ୍ତି ବୋଲି ମଧ୍ୟ ବାକ୍‌ ପ୍ରକାଶ କରିଥିଲେ। ସ୍ବଳ୍ପ ସଂଖ୍ୟକ କ୍ରୀଡ଼ାବିତଙ୍କ ଗହଣରେ ନିରାଡ଼ମ୍ବର ଭାବେ ରବିବାର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜାପାନୀ ସଂଗୀତ, ଡ୍ରମ୍‌ ବାଦ୍ୟ ଓ ଆତସବାଜିରେ ସୀମିତ ରହିଥିଲା।

ରବିବାରର ଏହି ବ୍ୟତିକ୍ରମ ଭରା ଉଦ୍‌ଯାପନୀ ଉତ୍ସବରେ ଅନେକ ନିଆରା ଘଟଣା ନଜରକୁ ଆସିଥିଲା। ପ୍ରଥମ ଥର ପାଇଁ ଉଦ୍‌ଯାପନୀ ଉତ୍ସବରେ ଦୁଇଟି ଇଭେଣ୍ଟର ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରୁଷ ଓ ମହିଳା ମାରାଥନର ପଦକ ବିଜେତାମାନେ ଆଇଓସି ସଭାପତି ଥମାସ୍ ବାକ୍ ଓ ବିଶ୍ବ ଦୌଡକୁଦ ସଭାପତି ସେବାଷ୍ଟିଏନ୍‌‌‌ କୋ’ଙ୍କଠାରୁ ପଦକ ଗ୍ରହଣ କରିଥିଲେ। କେନିୟା ଉଭୟରେ ସ୍ବର୍ଣ୍ଣ ବିଜେତା ହୋଇଥିଲା। ଭାରତ ପକ୍ଷରୁ କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଉଦ୍‌ଯାପନୀ ଉତ୍ସ‌ବରେ ତ୍ରିରଙ୍ଗା ଧରିଥିଲେ। ଏହି ଅବସରରେ ୨୦୨୪ ପ୍ୟାରିସ୍‌ (ଫ୍ରାନ୍ସ) ଅଲିମ୍ପିକ୍ସ ଉପରେ ଏକ କ୍ଷୁଦ୍ର ଉପସ୍ଥାପନା ଭିତ୍ତିକ ଚଳଚ୍ଚିତ୍ରକୁ ପ୍ରଦର୍ଶିତ କରାଯାଇଥିଲା। ଫ୍ରାନ୍ସର ନ୍ୟାସନାଲ୍ ଅର୍କେଷ୍ଟ୍ରା ଏହାକୁ ପ୍ରସ୍ତୁତ କରିଥିଲେ। ଏହା ପୂର୍ବରୁ ଅଲିମ୍ପିକ୍‌ ଶିଖା କ୍ରମେ ଲିଭି ଲିଭି ଯାଉଥିଲା। ଅନେକ ଆହ୍ବାନ ଭିତରେ ଟୋକିଓ ଅଲିମ୍ପିକ୍ସ ପ୍ରମାଣିତ କରିଛି ଖେଳର ଏକତ୍ରିକରଣ ଶକ୍ତିକୁ। ଶାନ୍ତି, ସୌହାର୍ଦ୍ଦ୍ୟ, ଏକତା ଓ ଆଶାର ଆଲୋକ ଦେଖାଇଛି ବୋଲି ମଧ୍ୟ ବାକ୍‌ କହିଥିଲେ। ଉଦ୍‌ଯାପନୀ ଉତ୍ସବରେ ଏଲଇଡି ସ୍କ୍ରିନ୍‌ରେ ବଡ଼ ଅକ୍ଷରରେ ଲେଖାଥିବା ବାକ୍ୟାଂଶ ‘ଆରିଗାଟୋ’ ମଧ୍ୟ ୧୯୬୪ ଟୋକିଓ ଗେମ୍ସକୁ ମନେ ପକାଇଦେଇଥିଲା। ୫୭ ବ‌ର୍ଷ ତଳର ଟୋକିଓ ଅଲିମ୍ପିକ୍ସ ‘ସା‌‌ୟୋନାରା’ ଶବ୍ଦ ବ୍ୟବହାର କରି ସାମପିତ ହୋଇଥିଲା। ଯାହାର ଅର୍ଥ ‘ବିଦାୟ’। ରବିବାରର ଉତ୍ସବ ଅବସରରେ ମଧ୍ୟ ପତାକା ହସ୍ତାନ୍ତର ପର୍ବ ସମ୍ପନ୍ନ ହୋଇଥିଲା। ଅଲିମ୍ପିକ୍ ସଂଗୀତର ତାଳ ଭିତରେ ପତାକା ଅବତରଣ ହୋଇଥିଲା। ଏହାକୁ କ୍ରମାନ୍ବୟରେ ଟୋକିଓ ଗଭର୍ଣ୍ଣର କୋଇକେ ୟୁରିକୋ, ଆଇଓସି ସଭାପତି ଥମାସ୍ ବାକ୍‌ ଏବଂ ପ୍ୟାରିସ୍‌ ମେୟର୍ ଆନେ ହିଦାଲଗୋଙ୍କୁ ପ୍ରଦାନ କରାଯାଇଥିଲା। ପରମ୍ପରା ଅନୁସାରେ ଗ୍ରିକ୍ ସଂଗୀତ ଭିତରେ ପତାକା ଉତ୍ତୋଳନ କରାଯାଇଥିଲା। ଧନ୍ୟବାଦ ଟୋକିଓ; ପୁଣି ଦେଖା ହେବ ‌ପ୍ୟାରିସ୍‌ରେ (୨୦୨୪) ବାର୍ତ୍ତା ସହ ଏହି ୧୭ ଦିନିଆ କ୍ରୀଡ଼ା କୁମ୍ଭ ସମାପିତ ହୋଇଥିଲା। କୋଭିଡ୍‌ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସ ମଧ୍ୟ ବିଜ‌ୟୀ ହୋଇଥିଲା।

ଦୁଇ ସପ୍ତାହ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୨୦୫ ଦେଶ ସହିତ ଅଲିମ୍ପିକ୍‌ ଶରଣାର୍ଥୀ ଦଳରୁ‌ ମୋଟ ୧୧,୦୦୦ରୁ ଊର୍ଧ୍ବ ଖେଳାଳି ଭାଗ ନେଇଥିଲେ। ଆମେରିକା ଶ୍ରେଷ୍ଠତ୍ବ ବଜାୟ ରଖିଥିବା ବେଳେ ଚୀନ ଦ୍ବିତୀୟ ଏବଂ ଆୟୋଜକ ଜାପାନ ତୃତୀୟରେ ରହିଥିଲା। ଭାରତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ (୭ ପଦକ) ସହିତ ୪୮ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧିତ ଖବର