ଟୋକିଓ ଅଲିମ୍ପିକ୍ସ ଅବଗଣନା ଆଉ ୨୭ ଦିନ: ଯୋଗ୍ୟତା ହାସଲ କରିପାରିଲେନି, ୪ ଥର ବିଜେତା ଫାରା

ସିନ୍ଧୁ ଧରିପାରନ୍ତି ଭାରତୀୟ ପତାକା, ଅଲିମ୍ପିକ୍ସ ସ୍ବର୍ଣ୍ଣ ପାଇଁ ତାମିଲନାଡୁ ୩, ହରିଆଣା ଦେବ ୬ କୋଟି

ଲଣ୍ଡନ: ଇଂଲଣ୍ଡର ମହାନ ଧାବକ ମୋ’ ଫାରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସର ଉଭୟ ୫,୦୦୦ ଓ ୧୦,୦୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବା ବ୍ରିଟେନର ମହାନ ଧାବକ ଫାରା ଦୁର୍ଭାଗ୍ୟଜନକ ଭାବେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ପୂରା ନିରାଶ କରିଛି। ଟୋକିଓ ଟିକେଟ ପାଇଁ ଅନୁଷ୍ଠିତ ଶେଷ ପ୍ରତିଯୋଗିତା ବ୍ରିଟିସ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ଓ ଅଲିମ୍ପିକ୍ସ ଟ୍ରାଏଲ୍ସର ୧୦,୦୦୦ ମିଟର ଦୌଡ଼କୁ ୨୭ ମିନିଟ୍ ୪୭.୪ ସେକେଣ୍ଡ ସମୟରେ ଶେଷ କରିଥିଲେ ସେ। ଯାହା ଅଲିମ୍ପିକ୍ସ ଯୋଗ୍ୟତା ସମୟ (୨୭ ମିନିଟ୍ ୨୮ ସେକେଣ୍ଡ)ଠାରୁ ୨୦ ସେକେଣ୍ଡ ଅଧିକ ଥିଲା। ଫଳରେ ୧୦, ୦୦୦ ମିଟରରେ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ହାସଲ କରିବାରୁ ସେ ଏକପ୍ରକାର ବଞ୍ଚିତ ହେବେ।

ଅଲିମ୍ପିକ୍ସ ସ୍ବର୍ଣ୍ଣ ପାଇଁ ତାମିଲନାଡୁ ୩, ହରିଆଣା ଦେବ ୬ କୋଟି
ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ନିଜ ରାଜ୍ୟର ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ। ତଦନୁଯାୟୀ ସ୍ବର୍ଣ୍ଣ ବିଜୟୀ ତାମିଲ ଖେଳାଳିଙ୍କୁ ୩, ରୌପ୍ୟ ପାଇଁ ୨ ଏବଂ କାଂସ୍ୟ ପଦକ ବିଜୟୀଙ୍କୁ ୧ କୋଟି ଟଙ୍କା ମିଳିବ। ଚେନ୍ନାଇ ବାସିନ୍ଦା ଗଗନ ନାରଙ୍ଗ ତାମିଲନାଡୁର ଏକମାତ୍ର ଖେଳାଳି ଭାବେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ରେ କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ହରିଆଣା ସରକାର ମଧ୍ୟ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ନିଜ ରାଜ୍ୟର ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରି ସାରିଛନ୍ତି। ସେହି ଅନୁସାରେ ସ୍ବର୍ଣ୍ଣ ପଦକ ବିଜେତାକୁ ୬, ‌ରୌପ୍ୟ ପଦକ ବିଜେତାଙ୍କୁ ୪ ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ମିଳିବ। ସେହିଭଳି ନୂଆ ଚାକିରି ଓ ପଦୋନ୍ନତି ପାଇଁ ସେମାନେ ହକଦାର ହେବେ। ସୂଚନାଯୋଗ୍ୟ ଯେ ଏବେସୁଦ୍ଧା ୧୦୨ ଭାରତୀୟ ଖେଳାଳି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

ସିନ୍ଧୁ ଧରିପାରନ୍ତି ଭାରତୀୟ ପତାକା
ବ୍ୟାଡ୍‌ମିଣ୍ଟନ ତାରକା ତଥା ରିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତର ପତାକା ଧାରିଣୀ ହୋଇପାରନ୍ତି। ଏହି ଦୌଡ଼ରେ ଏବେ ସେ ସବୁଠାରୁ ଆଗରେ ରହିଛନ୍ତି। ଜୁଲାଇ ୨୩ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଜଣେ ଲେଖାଏଁ ଭାରତୀୟ ମହିଳା ଓ ପୁରୁଷ ତ୍ରିରଙ୍ଗା ଧରିବାର ସୁଯୋଗ ଓ ସମ୍ମାନ ପାଇବେ। ମହିଳାରେ ସିନ୍ଧୁଙ୍କୁ ହିଁ ଏହି ସୁଯୋଗ ମିଳିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘର ଜଣେ ଅଧିକାରୀ କହିଛନ୍ତି। ଏଥିନେଇ କୌଣସି ନିୟମ ନଥିଲେ ମଧ୍ୟ ପାରମ୍ପରିକ ଭାବେ ଗତ ସଂସ୍କରଣର ପଦକ ବିଜେତା କିମ୍ବା ବିଜୟିନୀଙ୍କୁ ହିଁ ଏହି ସୁଯୋଗ ମିଳିଥାଏ। ଗତ ସଂସ୍କରଣରେ ଦୁଇ ଜଣ ମହିଳା ପଦକ ଜିତିଥିଲେ। ସିନ୍ଧୁଙ୍କ ଛଡ଼ା କୁସ୍ତି ତାରକା ସାକ୍ଷୀ ମଲ୍ଲିକ ଏଥିପାଇଁ ଦାବିଦାର ଥିଲେ। ହେଲେ ସାକ୍ଷୀ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରି ପାରି ନାହାନ୍ତି। ସେପଟେ ପୁରୁଷ ଖେଳାଳିଙ୍କ ମଧ୍ୟରୁ କିଏ ତ୍ରିରଙ୍ଗା ଧରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ଗତ ଅଲିମ୍ପିକ୍ସରେ କୌଣସି ଭାରତୀୟ ପୁରୁଷ କ୍ରୀଡ଼ା ତାରକା ପଦକ ଜିତି ନଥିଲେ। ସେଥିପାଇଁ ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା, ଟିଟିରୁ ଶରତ କମଲ, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ମୁଷ୍ଟିଯୋଦ୍ଧା ଅମିତ ପଙ୍ଘଲ ପ୍ରମୁଖ ଦୌଡ଼ରେ ରହିଛନ୍ତି।

ହିମା ଆହତ, ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ ହେବା ଆଶଙ୍କା
ଦେଶର ତାରକା ଧାବିକା ହିମା ଦାସ ଶନିବାରର ୬୦ତମ ଅନ୍ତଃରାଜ୍ୟ ଦୌଡ଼କୁଦ ଅବସରରେ ଆହତ ହୋଇଛନ୍ତି। ତାଙ୍କ ମାଂସପେଶୀ ଟାଣି ହୋଇଯାଇଛି। ଫଳରେ ସେ ‌ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହିମା ଆହତ ହୋଇଥିବା ଖବର ଉପରେ ମୋହର ମାରି ସର୍ବଭାରତୀୟ ଦୌଡ଼କୁଦ ମହାସଂଘ କହିଛି ଯେ ୧୦୦ ମିଟର ହିଟ୍‌ ବେଳେ ହିମା ଆହତ ‌ହୋଇଥିଲେ। ଖୁବଶୀଘ୍ର ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯି‌ବେ ବୋଲି ଆମେ ଆଶା ରଖିଛୁ। ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରି ପାରି ନଥିବା ହିମା ଦୌଡ଼ ଶେଷ କରି ପାରିନଥିଲେ। ନିଜ ହିଟ୍‌ରେ ୧୨.୦୧ ସେକେଣ୍ଡ ସମୟ ସହ ତୃତୀୟ ସ୍ଥାନରେ ରହିଥିଲେ ସେ। ହିମାଙ୍କ ଆଘାତ ଯଦି ଗୁରୁତର ହୋଇଥାଏ ତାହାଲେ ଏହା ୪ ଗୁଣା ୧୦୦ ମିଟର ଭାରତୀୟ ରିଲେ ଦଳ ପାଇଁ ଏକ ଶକ୍ତ ଧକ୍କା ହେବ। ଦୂତି ଚାନ୍ଦ, ଧନଲକ୍ଷ୍ମୀ, ଅର୍ଚନା ସୁସିନ୍ଦ୍ରନ ସଦସ୍ୟ ଥିବା ରିଲେ ଦଳର ହିମା ହେଉଛନ୍ତି ଜଣେ ପ୍ରମୁଖ ସଦସ୍ୟ। ଆସାମର ଏହି ସଫଳ ଧାବିକା ୨୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୨୨.୮୮ ସେକେଣ୍ଡ) ହାସଲ କରିଥିଲେ। ଯାହା ଅଲିମ୍ପିକ୍ସ ଯୋଗ୍ୟତା ସମୟଠାରୁ ମାତ୍ର ୦.୦୮ ସେକେଣ୍ଡ ଅଧିକ ଥିଲା।

ସମ୍ବନ୍ଧିତ ଖବର