‘କୋଭିଡ୍‌-୧୯ ଟିକା ବିନା ଟୋକିଓ ଅଲିମ୍ପିକ୍ସ ଅସମ୍ଭବ’

ଟୋକିଓ: ଆସନ୍ତାବର୍ଷ ସୁଦ୍ଧା କରୋନା ମହାମାରୀ ନିୟଂତ୍ରଣକୁ ଆସିନପାରିଲେ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସ ସମ୍ପୂର୍ଣ୍ଣ ବାତିଲ ହେବ। କାରଣ କରୋନା ଯୋଗୁଁ ଗୋଟିଏ ବର୍ଷ ଏହି କ୍ରୀଡ଼ାକୁ ଘୁଞ୍ଚାଇ ଦିଆଯାଇଥିଲା ବେଳେ ଆଉ ଅଧିକ ସମୟ ସ୍ଥଗିତ ରହିବାର ସମ୍ଭାବନା ନାହିଁ। ପ୍ରକୃତରେ ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହେବାର ଥିଲା। ମହାମାରୀର ପ୍ରାଦୁର୍ଭାବ ଯୋଗୁ ଗୋଟିଏ ବର୍ଷ ସ୍ଥଗିତ ରଖାଯାଇଛି। ଯାହାକି ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ପୁନଃସୂଚୀ ପ୍ରସ୍ତୁତ କରାଯାଇଛି। ହେଲେ ସାରା ବିଶ୍ବ ଏବେ ଯେପରି ଭାବରେ କରୋନା ମହାମାରୀ କବଳରେ ରହିଛି ସେଥିରୁ ଏତେଶୀଘ୍ର ମୁକୁଳିବାର ଆଶା ଦେଖାଯାଉନାହିଁ। ଯଦି ଏହା ଆସନ୍ତାବର୍ଷ ସୁଦ୍ଧା ନିୟଂତ୍ରଣ ମଧ୍ୟକୁ ନଆସେ ତାହାଲେ ‌ଟୋକିଓ କ୍ରୀଡ଼ା ସଂପୂର୍ଣ୍ଣ ବାତିଲ ହେବ ବୋଲି ଏହାର ମୁଖ୍ୟ ତଥା ଆୟୋଜନ କମିଟି ସଭାପତି ୟା‌ସିରୋ ମୋରି ମଙ୍ଗଳବାର ଏକ ବିବୃତିରେ କହିଛନ୍ତି। କରୋନା ପ୍ରକୋପ ନଥମିଲେ ଅଲିମ୍ପିକ୍‌ ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରିବ କି ବୋଲି ପଚାରାଯିବାରୁ ମୋରି ସିଧାସଳଖ ନା କହିଛନ୍ତି। ଏପରିସ୍ଥିତିରେ କେବଳ ବାତିଲ ହିଁ ଏକମାତ୍ର ବିକଳ୍ପ ବୋଲି ମୋରି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଏହି କ୍ରୀଡ଼ା କେବଳ ବିଶ୍ବଯୁଦ୍ଧ ସମୟରେ ହିଁ ବାତିଲ ହୋଇଥିଲା। ମହାମାରୀ ପ୍ରକୋପ ହ୍ରାସ ପାଇଥିଲେ ଆସନ୍ତାବର୍ଷ ଆମେ ସଫଳତାର ସହ କ୍ରୀଡ଼ା ଆୟୋଜନ କରିପାରିବୁ। ଆଥ୍‌ଲେଟ୍‌ ଓ କ୍ରୀଡ଼ା ସଂଘଗୁଡ଼ିକର ପ୍ରବଳ ଚାପ ଯୋଗୁଁ ଜାପାନି ଆୟୋଜକଙ୍କ ସହିତ ଆନ୍ତର୍ଜତିକ ଅଲିମ୍ପିକ୍‌ କମିଟି ବହୁକଷ୍ଟରେ ଟୋକିଓ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ରାଜି ହୋଇଥିଲେ। ଗୋଟିଏ ବର୍ଷ ସ୍ଥଗିତ କ’ଣ ଯ‌ଥେଷ୍ଟ ହେବ କି ବୋଲି ଏବେ ପ୍ରଶ୍ନ ଉଠିଲାଣି। କିନ୍ତୁ ଅଲିମ୍ପିକ୍ସ ବାତିଲ ହେଲେ ଜାପାନ ପ୍ରବଳ କ୍ଷତି ସହିବ। ଅନ୍ୟପକ୍ଷରେ କୋଭିଡ୍‌-୧୯ ଟିକା ବିନା ଟୋକିଓ ଅଲିମ୍ପିକ୍ସ ଆୟୋଜନ ଅସମ୍ଭବ ବୋଲି କହିଛନ୍ତି ଜାପାନ ମେଡିକାଲ ସଂଘ (‌ଜେଏମ୍‌ଏ) ମୁଖ୍ୟ ୟୋସିଟେକେ ୟୋକୋକୁରା। ଯଦି ଆସନ୍ତାବର୍ଷ ବେଳକୁ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ କୌଣସି ପ୍ରଭାବୀ ଟିକା ନବାହାରେ ତାହାଲେ ଅଲିମ୍ପିକ୍ସ ହେବା ସମ୍ଭବ ହେବନି। ଜାପାନ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ କି ଅନୁଚିତ ସେକଥା ମୁଁ କହୁନି। କିନ୍ତୁ କୋଭିଡ୍‌-୧୯ ଟିକା ବିନା ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ଜେଏମ୍‌ଏ ସଭାପତି ୟୋକୋକୁରା।

ସମ୍ବନ୍ଧିତ ଖବର