ଟୋକିଓ ଅଲିମ୍ପିକ୍ସ: ୫୦ ଦିନିଆ ଅବଗଣନା, ଉନ୍ମୋଚିତ ହେଲା ଭାରତୀୟ ଜର୍ସି

ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ହେବନି: ଆୟୋଜନ ସମିତି ମୁଖ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀର ବିଭୀଷିକା ପାଇଁ ଆଶା ଓ ଆଶଙ୍କା ଭିତରେ ଗୁରୁବାର ଏଠାରେ ଟୋକିଓ ଅଲିମ୍ପିକ୍ସର ୫୦ ଦିନିଆ ଅବଗଣନା ଆରମ୍ଭ ହୋଇଛି। ଭାରତୀୟ ଅଲିମ୍ପିକ୍ସ ସଂଘ ତରଫରୁ ଏଥିନେଇ ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ବେଳେ ସଭାପତି ନରିନ୍ଦର ବାତ୍ରା ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କରୋନା ନିୟମକୁ ପାଳନ କରି ‌ଭାରତୀୟ ଖେଳାଳିମାନେ ବ୍ୟବହାର କରିବାକୁ ଥିବା ରଙ୍ଗବେରଙ୍ଗ ଜର୍ସିକୁ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା। ଟୋକିଓକୁ ଭାରତ ତୁଳନାତ୍ମକ ଭାବେ ଛୋଟ ଦଳ ପଠାଇବାକୁ ଯାଉଥିଲା ବେଳେ ଖେଳାଳିମାନେ ସେଠାରେ କିନ୍ତୁ ୫ ପ୍ରକାରର ଜର୍ସି ପିନ୍ଧିବେ। ରିଜିଜୁ ଓ ବାତ୍ରାଙ୍କ ଛଡ଼ା କୁସ୍ତି ତାରକା ବଜରଙ୍ଗ ପୁନିଆ ଏବଂ ଅନ୍ୟ ଖେଳାଳିମାନେ ଏହି ଅବସରରେ ଉପସ୍ଥିତ ଥିଲେ। ରିଜିଜୁ ଟ୍ବିଟ୍ କରି ଏହି ଉତ୍ସବର ଫଟୋ ପ୍ରକାଶ କରିବା ସହ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆହ୍ବାନ କରିଥିଲେ। ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ ଗତବର୍ଷ ଆୟୋଜିତ ହେବାର ଥିଲା।

ହେଲେ କରୋନା ସଙ୍କଟ ପାଇଁ ଏହାକୁ ଚଳିତବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତବର୍ଷ ମଧ୍ୟ କରୋନା ସ୍ଥିତି ପୂର୍ବ ଭଳି ବିପଜ୍ଜନକ ଥିବାରୁ ଆୟୋଜକ ଜାପାନରେ ଅଲିମ୍ପିକ୍ସକୁ ବାତିଲ କରିବାକୁ ବିରୋଧ ଓ ବିକ୍ଷୋଭ ଜାରି ରହିଛି। ଏସବୁ ସତ୍ତ୍ବେ ଆସନ୍ତାମାସ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍ସର ଏହି ୩୨ତମ ସଂସ୍କରଣ ସୁରୁଖୁରୁରେ ଆରମ୍ଭ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି। କରୋନା ସଙ୍କଟ ପାଇଁ କିନ୍ତୁ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲଙ୍କ ଭଳି ବହୁ ଭାରତୀୟ ଖେଳାଳି ବିଭିନ୍ନ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚିତ ହୋଇ ‌ଟୋକିଓ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି।

ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଖେଳାଳିଙ୍କ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନଜର ରଖିଛନ୍ତି। ସେଥିପାଇଁ ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ମହୋତ୍ସବର ୫୦ ଦିନିଆ ଅବଗଣନା ଅବସରରେ ଗୁରୁବାର ଭାରତୀୟ ଦଳର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ କ୍ରୀଡ଼ାମନ୍ତ୍ରୀ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବରିଷ୍ଠ ପଦାଧିକାରୀ ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ବରିଷ୍ଠ କର୍ମକର୍ତା ଯୋଗ ଦେଇଥିଲେ। ଭାରତୀୟ ଦଳକୁ ମାନସିକ ସମର୍ଥନ ଦେବା ସହ ସେମାନଙ୍କୁ ନିୟମିତ ଉତ୍ସାହିତ କରିବାକୁ ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ଆହ୍ବାନ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ଭାରତୀୟ ଖେଳାଳି ଓ ଅଧିକାରୀଙ୍କୁ ସେଠାକୁ ଯାତ୍ରା କରିବା ପୂର୍ବରୁ ଦୁଇଟି ଡୋଜ୍ ଟିକା ଦିଆଯିବ ବୋଲି ଆଇଓଏ ଗତ ସପ୍ତାହରେ ଘୋଷଣା କରିଥିଲା। ଖେଳାଳି ଓ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମଧ୍ୟ ଏହି ବୈଠକ ଅବସରରେ ମୋଦୀ ନିର୍ଦ୍ଦେଶ ଦେଇଥିଲେ।

ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ହେବନି: ଆୟୋଜନ ସମିତି ମୁଖ୍ୟ

ଟୋକିଓ: କରୋନା ଭୟାବହତା ପାଇଁ ଟୋକିଓରେ ଜାରି ରହିଥିବା ଜରୁରୀକାଳୀନ ପରିସ୍ଥିତିକୁ ତୃତୀୟ ଥର ବଢ଼ାଯିବା ସହ ଭାରତ ଭଳି କେତେକ ଜନବହୁଳ ଦେଶରେ କରୋନା ସ୍ଥିତି ଉତ୍ସାହଜନକ ନାହିଁ। ଜାପାନବାସୀଙ୍କଠାରୁ ଆରମ୍ଭ କରି ଟୋକିଓ ଡାକ୍ତର ସଂଘ ଓ ସେଠାକାର ବ୍ୟବସାୟୀ ସଂଘ ଅଲିମ୍ପିକ୍ସ ଆୟୋଜନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏସବୁ ସତ୍ତ୍ବେ ଟୋକିଓ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ହେବନି ବୋଲି ଆୟୋଜନ ସମିତି ମୁଖ୍ୟ ସେଇକୋ ହାସିମୋତେ ଗୁରୁବାର ଏହା ସ୍ପଷ୍ଟ କରି ଦେଇଛନ୍ତି। ଏକ ସ୍ଥାନୀୟ ଖବରକାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଆମେ ଅଲିମ୍ପିକ୍ସକୁ ଆଉ ଥରେ ସ୍ଥଗିତ କିମ୍ବା ବାତିଲ କରିପାରିବା ନାହିଁ। ସେପଟେ ଜାପାନର କିଛି ସହର ପ୍ରାକ୍ ଅଲିମ୍ପିକ୍ସ ଶିବିର ଆୟୋଜନରୁ ଓହରି ଯାଇଛନ୍ତି। ତେବେ ପ୍ରଥମ ବିଦେଶୀ ଦଳ ଭାବେ ଅଷ୍ଟ୍ରେଲିଆ ସଫ୍ଟବଲ୍ ଦଳ ଜାପାନ ପହଞ୍ଚିଛି। ସେମାନେ ଟୋକିଓଠାରୁ ୮୦ କିଲୋମିଟର ଦୂରରେ ରହି ଅଭ୍ୟାସ ଆରମ୍ଭ କରିଛନ୍ତି। କେନିଆର ପ୍ରାକ୍ ଅଲିମ୍ପିକ୍ସ ଶିବିରକୁ କିନ୍ତୁ ଫୁକୁଓକା ସହର ଅନୁମତି ଦେଇନି। ତେବେ ସାଂପ୍ରତିକ ସ୍ଥିତିରେ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତା ଆୟୋଜନ କରିବା ବିଜ୍ଞତାର ପରିଚୟ ହେବନି ବୋଲି ଜାପାନର ଶୀର୍ଷସ୍ତରୀୟ ସ୍ବାସ୍ଥ୍ୟ ପରାମର୍ଶଦାତା ସିଗେରୁ ଓମି କହିଛନ୍ତି।

ସମ୍ବନ୍ଧିତ ଖବର