‌ଟୋକିଓ ଅଲିମ୍ପିକ୍ସ ନାଁ ବଦଳିବନି

ମଶାଲ ଜାପାନରେ ରହିବ, ଅଲିମ୍ପିକ୍ସ ଘୁଞ୍ଚିବାକୁ ଭାରତୀୟ ଖେଳାଳିଙ୍କ ସ୍ବାଗତ

ପ୍ୟାରିସ୍ : ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା। କରୋନା ଆତଙ୍କ ପାଇଁ ଏହାକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦେଇଛି। ପ୍ରତି ଚାରିବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସ ୨୦୨୧ରେ ଆୟୋଜନ ହେଲେ ମଧ୍ୟ ଏହା ନାଁ ପୂର୍ବଭଳି ‘ଟୋକିଓ ଅଲିମ୍ପିକ୍ସ-୨୦୨୦’ ରହିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ବୁଧବାର ସ୍ପଷ୍ଟ କରି ଦେଇଛି। ଏଥିନେଇ ଆଇଓସି କହିଛି ଯେ କରୋନା ଆତଙ୍କ ଦୂର ହେବା ପରେ ଯାଇ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା କରାଯିବ। ସେ ପର୍ଯ୍ୟନ୍ତ ଅଲିମ୍ପିକ୍ସ ମଶାଲ ଜାପାନରେ ରହିବ। ସେହିଭଳି ୨୦୨୧ରେ ଆୟୋଜନ ହେଲେ ମଧ୍ୟ ପୂର୍ବଭଳି ‘ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ୨୦୨୦’ ନାଁ ଅପରିବର୍ତ୍ତିତ ରହିବ। ଅଲିମ୍ପିକ୍ସ ପ୍ରଥମ ଥର ପାଇଁ ସ୍ଥଗିତ ହୋଇଥିଲା ବେଳେ ପୂର୍ବରୁ ବିଶ୍ବଯୁଦ୍ଧ ପାଇଁ ଏହି ସର୍ବବୃହତ୍ କ୍ରୀଡ଼ାମହୋତ୍ସବ ତିନି ଥର (୨୦୧୬, ୧୯୪୦, ୧୯୪୪) ବାତିଲ ହୋଇଥିଲା। ଏଣୁ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା ବୋଲି ଆଇଓସି ମୁଖ୍ୟ ଥୋମାସ ବାକ୍ କହିଛନ୍ତି। ଅଲିମ୍ପିକ୍ସ ସ୍ଥଗିତ ରହିବା ଏକ ଅଦ୍ଭୂତପୂର୍ବ ଘଟଣା ହୋଇଥିବାରୁ ନୂଆ ସୂଚୀକୁ ସଫଳ କରିବା ଲାଗି ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ ବୋଲି ସେ ମତ ରଖିଛନ୍ତି। ସେ କହିଛନ୍ତି ସ୍ଥଗିତ ଅଲିମ୍ପିକ୍ସ ବଳିଦାନ ଚାହେଁ, ସମସ୍ତ ଅଂଶୀଦାରଙ୍କୁ କିଛି କିଛି ବୁଝାମଣା କରିବାକୁ ହେବ।

ଅଲିମ୍ପିକ୍ସ ଘୁଞ୍ଚିବାକୁ ଭାରତୀୟ ଖେଳାଳିଙ୍କ ସ୍ବାଗତ
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିବାକୁ ଅଧିକାଂଶ ଭାରତୀୟ କ୍ରୀଡ଼ାବିତ୍ ସ୍ବାଗତ କରିଛନ୍ତି। ଅଲିମ୍ପିକ୍ସ ପଦକ ବିଜୟିନୀ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ଓ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ଏଥିରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି। ଉଭୟ ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)ର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ‘‘ବର୍ତ୍ତମାନ ସମୟ ଠିକ୍ ନାହିଁ। ଜୀବନ ସବୁବେଳେ ଆଗ, ଅନ୍ୟ ସବୁକଥା ତା’ ପରେ ଆସେ। ଖେଳାଳିଙ୍କ ସୁରକ୍ଷା ହିଁ ସବୁଠାରୁ ବଡ଼ କଥା। ମୁଁ ଭାବୁଛି ଏହା ସମସ୍ତଙ୍କ ପାଇଁ ଭଲ।’’ ବୋଲି ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ମେରିକମ୍ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିଥିବାରୁ ସେ ଖୁସି ଜାହିର କରିଛନ୍ତି। ସେହିପରି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ସାଇନା ନେହୱାଲ କହିଛନ୍ତି ଯେ ଆମ ଭଳିଆ କିଛି ଖେଳାଳି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ନଥିବାରୁ ଏହା ଏକ ଭଲ ନିଷ୍ପତ୍ତି ବୋଲି କହିପାରିବି। ଏବେ ଆଇଓସି କେଉଁ ଯୋଗ୍ୟତା ପର୍ଯ୍ୟାୟ ପଦ୍ଧତି ଆପଣାଇବ, ତାହା ଜାଣିବାକୁ ମୁଁ ବ୍ୟଗ୍ର। କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ରବି ଦାହିଆ, ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ, ବ୍ୟାଡମିଣ୍ଟନ୍ ଖେଳାଳି ଚିରାଗ ସେଟ୍ଟୀ, ଏସ୍ ରାଙ୍କି ରେଡ୍ଡୀ, ତୀରନ୍ଦାଜ ଦୀପିକା କୁମାରୀ, ବନ୍ଧୁକଚାଳନା ତାରକା ଅଞ୍ଜୁମ ମୁଦଗିଲ, ଟେବୁଲ ଟେନିସ୍ ଖେଳାଳି ଅଚନ୍ତ ସରଥ କମଲ ପ୍ରମୁଖ ମଧ୍ୟ ଅଲିମ୍ପିକ୍ସ ସ୍ଥଗିତ ହେବା ନେଇ ସନ୍ତୋଷ ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର