ଟୋକିଓ ଅଲିମ୍ପିକ୍ସ୍‌: ପ୍ରଥମ ଉଦ୍ୟମରେ ଜାଭ୍‌ଲିନ୍‌ ଫାଇନାଲ୍‌ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ଟୋକିଓ: ଭାରତର ଶ୍ରେଷ୍ଠ ଜାଭ୍‌ଲିନ୍‌ ଖେଳାଳି ନୀରଜ ଚୋପ୍ରା ଆଜି ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ କ୍ରୀଡ଼ାର ପୁରୁଷ ଜାଭ୍‌ଲିନ୍‌ (ବର୍ଚ୍ଛା) ପ୍ରତିଯୋଗିତାରେ ଅନାୟାସରେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ସେ ୮୬.୬୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଏଭଳି ସଫଳତା ହାସଲ କରିଛନ୍ତି।

ଆଗାମୀ ଶନିବାର ଅପରାହ୍ଣ ୪.୩୦ରେ ଜାଭ୍‌ଲିନ୍‌ ଥ୍ରୋ’ ଫାଇନାଲ୍ ପ୍ରତିଯୋଗିତା ଆୟୋଜନ କରାଯିବ। ଜାଭ୍‌ଲିନ୍‌ରେ ଫାଇନାଲ୍‌କୁ ପ୍ରବେଶ କରିବା ପାଇଁ ଯୋଗ୍ୟତା ୮୩.୫ ମିଟର୍‌ ଥିଲା। କିନ୍ତୁ, ଚୋପ୍ରାଙ୍କୁ ଏଥିପାଇଁ ଦ୍ବିତୀୟ ବାର ଉଦ୍ୟମ କରିବାକୁ ପଡ଼ି ନ ଥିଲା।

ଏହି ପ୍ରତିଯୋଗିତାରେ ଅନ୍ୟ କୌଣସି ପ୍ରତିଦ୍ବନ୍ଦ୍ବୀ ଜାଭ୍‌ଲିନ୍‌ରେ ଯୋଗ୍ୟତା ହାସଲ କରିଥିବା ‘ଗ୍ରୁପ୍‌ ଏ’ର ଅଂଶବିଶେଷ ଚୋପ୍ରାଙ୍କର ସମକକ୍ଷ ହୋଇ ପାରି ନାହାନ୍ତି। କିନ୍ତୁ, ୨୦୧୭ ବିଶ୍ବ ଚାମ୍ପିଅନ୍‌ ଜୋହାନ୍ସ୍‌ ଭେଟ୍ଟର୍‌ ୮୫.୬୪ ମିଟର୍‌ ଜାଭ୍‌ଲିନ୍‌ ଫିଙ୍ଗି ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି, ଫିନ୍‌ଲାଣ୍ଡ୍‌ କ୍ରୀଡ଼ାବିତ୍ ଲାସି ଇଟେଲାଟାଲୋ ୮୪.୫ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।

Image Courtesy of India Today

ପ୍ରଥମ ଥର ପାଇଁ ଅଲିମ୍ପିକ୍‌ କ୍ରୀଡ଼ାରେ ଭାଗ ନେଇଥିବା ୨୩ ବର୍ଷିୟ ଚୋପ୍ରା ‘ଗ୍ରୁପ୍‌ ଏ’ରେ ଫାଇନାଲ୍‌ ପର୍ଯ୍ୟାୟକୁ ଯିବା ପାଇଁ ମାତ୍ର କେତେ ସେକେଣ୍ଡ୍‌ ମଧ୍ୟରେ  ୮୩.୫୦ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ (ବର୍ଚ୍ଛା) ଫିଙ୍ଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନ୍‌ ୨୬ ତାରିଖରେ ଫିନ୍‌ଲାଣ୍ଡ୍‌ର ‘କୁଓର୍‌ଟେନ୍‌ ଗେମ୍ସ୍‌’ରେ ୮୬.୭୯ ଦୂରତ୍ବକୁ ବର୍ଚ୍ଛା ଫିଙ୍ଗି କାଂସ୍ୟ ପଦକ ହାସଲ କରିବା ପରେ ସେ ଟୋକିଓ ଅଲିମ୍ପକ୍ସ୍‌କୁ ଆସିବା ଲାଗି ସୁଯୋଗ ପାଇଥିଲେ।

ଗ୍ରୁପ୍‌ ବି ପ୍ରତିଯୋଗିତାରେ ମଧ୍ୟ ଆଜି ଶିବପାଲ ସିଂହ ଏବଂ ଅନ୍ୟ ଭାରତୀୟ କ୍ରୀଡ଼ାବିତ୍‌ମାନେ ଜାଭ୍‌ଲିନ୍‌ ଫିଙ୍ଗା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର