ଟୋକିଓ ଅଲିମ୍ପିକ୍ସ ବାତିଲ ହେବନି

ଟୋକିଓ : କରୋନା ଭୂତାଣୁ କ୍ଷୀପ୍ର ଗତିରେ ସଂକ୍ରମିତ ହୋଇ ଚାଲିଥିଲା ବେଳେ ଏଥିନେଇ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କାରଣରୁ ଟୋକିଓ ଅଲିମ୍ପିକ୍ସ ବାତିଲ ହେବା କିମ୍ବା ଆଗକୁ ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି। ତେବେ ସଂପ୍ରତି ଏଭଳି କୌଣସି ଯୋଜନା ନାହିଁ, ବରଂ ନିର୍ଧାରିତ ସୂଚୀ ଅନୁସାରେ ଏହାକୁ ଆୟୋଜନ କରିବାକୁ ପ୍ରସ୍ତୁତି ‌ଚାଲିଛି। ବୁଧବାର ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ମୁଖ୍ୟ ୟାସିରୋ ମୋରି। ଏଥିନେଇ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କରିବା ସହ ସମସ୍ତ ଆଶଙ୍କାକୁ ଦୂର କରିବାକୁ ଯାଇ ମୋରି କହିଛନ୍ତି ଯେ ମୁଁ ଏହି ବିଷୟରେ ଆଦୌ ଚିନ୍ତା କରୁନି। ଖେଳକୁ ବା‌ତିଲ କରିବାକୁ ମୁଁ ଏକ ବିକଳ୍ପ ଭାବେ ଦେଖୁନାହିଁ। ଅବଶ୍ୟ ମୁଁ ଭଗବାନ ନୁହେଁ, ଏତେ ଦିନ ପୂର୍ବରୁ ମୁଁ କୌଣସି ଆଶ୍ବାସନା କିମ୍ବା ପ୍ରତିଶ୍ରୁତି ଦେଇ ପାରିବି ନାହିଁ। ସ୍ଥିତି ପ୍ରତିଦିନ ବଦଳୁଛି। ସବୁକିଛି ସ୍ଥାନ ଓ କାଳ ଉପରେ ନିର୍ଭର କରେ। ସେଥିପାଇଁ ଆମେ ଏବେଠୁ ଚାପଗ୍ରସ୍ତ ହେବାର କୌଣସି କାରଣ ନାହିଁ। ସୂଚନାଯୋଗ୍ୟ ଯେ କରୋନା ଭୂତାଣୁ ବିଶ୍ବର ୭୦ ଦେଶକୁ ବ୍ୟାପୀ ସାରିଥିଲା ବେଳେ କେବଳ ଚୀନ୍‌ରେ ଏଥିପାଇଁ ୩,୦୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଲେଣି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ମୁଖ୍ୟ ଥୋମାସ ବାକ୍ ମଧ୍ୟ ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବାକ୍‌ଙ୍କୁ ଏଥିଲାଗି ମୋରି ପ୍ରଶଂସା କରିଛନ୍ତି। ଅଲିମ୍ପିକ୍ସ ମଶାଲ ରାଲି ଚଳିତ ମାସ ୨୦ ତାରିଖରେ ଟୋକିଓ ପହଞ୍ଚିବାର ଥିବା ବେଳେ ଏହା ପୂର୍ବରୁ ଧାବକଙ୍କ ସ୍ବାସ୍ଥ୍ୟ ଏବଂ ପାଗ ଓ ପରିବେଶ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ମୋରି ମତ ରଖିଛନ୍ତି। ତେବେ ମଶାଲ ରାଲି ବେଳେ ଆୟୋଜିତ ହେବାକୁ ଥିବା‌ ବିଭିନ୍ନ ଉତ୍ସବକୁ ବାତିଲ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

ସମ୍ବନ୍ଧିତ ଖବର