ଟୋକିଓ ଅଲିମ୍ପିକ୍ସ ଆଉ ୧ ଦିନ: ନିରାଡ଼ମ୍ବର ଉଦ୍‌ଘାଟନୀ, ମାତ୍ର ୬ ଭାରତୀୟ ଅଧିକାରୀ ଯୋଗଦେବେ

ପରଦିନ ପ୍ରତିଯୋଗିତାର ଖେଳାଳିଙ୍କୁ ବାରଣ, ‌କୋଭିଡ୍ ପାଇଁ ବାଦ୍ ପଡ଼ିଲେ ଚିଲି, ନେଦରଲାଣ୍ଡ୍‌ସ ଓ ଚେକ୍‌ ଖେଳାଳି

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ମନ୍ତ୍ରମୁଗ୍ଧ କଲା ଭଳି ନାଚଗୀତ, ବଡ଼ ବନ କଟଆଉଟ୍, ହଜାର ହଜାର ସ୍କୁଲ୍ ପିଲା କିମ୍ବା ରଙ୍ଗବେରଙ୍ଗ ଲେଜର ଲାଇଟ୍‌ର ସମ୍ଭାର ଦେଖିବାକୁ ମିଳିବ ନାହିଁ। ବରଂ ଏଥରର ଅସ୍ବାଭାବିକ କରୋନା ପରିସ୍ଥିତିକୁ ଦେଖି ଏହାକୁ ନିରାଡ଼ମ୍ବର ଏବଂ ଜାକଜମକ ବିହୀନ ରଖା‌ଯିବ। ଅବଶ୍ୟ ଆୟୋଜକ ଜାପାନ କଳା ସଂସ୍କୃତିର କିଛିଟା ଝଲକ ଦେଖିବାକୁ ମିଳିବ। ଭାରତୀୟ ଦଳର ମାତ୍ର ୬ଜଣ ଅଧିକାରୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ। ଅନ୍ୟମାନେ କ୍ରୀଡ଼ାଗ୍ରାମରେ ରହି ଏହାକୁ ଟେଲିଭିଜନ୍ ମାଧ୍ୟମରେ ଦେଖିପାରିବେ। ଭାରତୀୟ ଦଳର ଉପ ଚିଫ୍ ଡି’ ମିସନ୍ ପ୍ରମ୍ କୁମାର ବର୍ମା ଏହି ସୂଚନା ଦେଇଛନ୍ତି। ସେହିଭଳି ପରଦିନ ପ୍ରତିଯୋଗିତା ଥିବା ଭାରତୀୟ ଖେଳାଳିଙ୍କୁ ମଧ୍ୟ ଉଦ୍‌ଘାଟନୀ ଉତ୍ସବକୁ ଯିବାରୁ ବାରଣ କରାଯିବ ବୋଲି ସୂଚନା ଦେଇଛନ୍ତି ସେ।

ତେଣୁ ଚଳିତ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ବନ୍ଧୁକଚାଳକ, ମୁଷ୍ଟିଯୋଦ୍ଧା, ତୀରନ୍ଦାଜ ଓ ମହିଳା ହକି ଖେଳାଳି ଦେଖିବାକୁ ମିଳିବେ ନାହିଁ। କାରଣ ପରଦିନଠାରୁ ହିଁ ଏମାନେ ନିଜ ନିଜ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିବେ। ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ୬ଥର ବିଶ୍ବ ବିଜୟିନୀ ମୁଷ୍ଟିଯୁଦ୍ଧ ତାରକା ଏମ୍‌ସି ମେରିକମ୍ ଭାରତୀୟ ପତାକା ଧରିବେ। ୬ଜଣ ଅଧିକାରୀଙ୍କୁ ଉଦ୍‌ଘାଟନୀ ଉତ୍ସବରେ ଅଂଶଗ୍ରହଣ କରିବାର ଅନୁମତି ମିଳିଥିଲା ବେଳେ ଖେଳାଳି ସଂଖ୍ୟାକୁ ନେଇ ସେମିତି କୌଣସି କଟକଣା ନାହିଁ ବୋଲି ମଧ୍ୟ ବର୍ମା କହିଛନ୍ତି। ଏଥର ମୋଟ ୧୨୭ ଜଣ ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିଲା ବେଳେ ଅଧିକାରୀ, ପ୍ରଶିକ୍ଷକ. ମାଲିସ ବାଲା ଏବଂ ଅନ୍ୟାନ୍ୟ କର୍ମକର୍ତାଙ୍କୁ ନେଇ ଭାରତୀୟ ଦଳ ୨୨୮ରେ ସୀମିତ ରହିଛି। ସେପଟେ ଅଲିମ୍ପିକ୍ସ ସହ ସଂପୃକ୍ତ ଖେଳାଳି, ଅଧିକାରୀ, ସ୍ବେଚ୍ଛାସେବୀ ଓ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ପାଖାପାଖି ୬୭ କରୋନା ମାମଲା ପଦାକୁ ଆସିଛି।

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଖେଳାଳି, ଅଧିକାରୀ ଏବଂ ସ୍ବେଚ୍ଛାସେବୀଙ୍କ ମଧ୍ୟରେ କୋଭିଡ୍-୧୯ ସଂକ୍ରମଣ ମାତ୍ରା ଦିନକୁ ଦିନ ବଢ଼ିବା ଆୟୋଜକଙ୍କ ଚିନ୍ତା ବଢ଼ାଇ ଦେଇଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ନେଦରଲାଣ୍ଡ୍ସର ମହିଳା ସ୍କେଟ୍‌ବୋର୍ଡ ଖେଳାଳି କ୍ୟାଣ୍ଡି ଜ୍ୟାକବ୍ସ, ଚିଲିର ଟାଏକୋଣ୍ଡୋ ଖେଳାଳି ଫର୍ନାଣ୍ଡା ଆଗୁଇରେ ଏବଂ ଚେକ୍‌ ଗଣରାଜ୍ୟର ଟେବୁଲ ଟେନିସ୍‌ (ଟିଟି) ଖେଳାଳି ପାଭେଲ ସିରୁସେକ୍‌ ଏହି କ୍ରୀଡ଼ା ମହାକୁମ୍ଭରୁ ବାଦ ପଡ଼ିଛନ୍ତି। କ୍ୟାଣ୍ଡି କୋଭିଡ୍-୧୯ ସଂକ୍ରମିତ ହୋଇଥିବା ବୁଧବାର ଜଣାପଡ଼ିବା ପରେ ତାଙ୍କ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ ହେବା ପୂର୍ବରୁ ସରି ଯାଇଥିଲା। ତେବେ ତାଙ୍କ ଦଳ ପୂର୍ବଭଳି ପ୍ରତିଦ୍ବନ୍ଦ୍ବିତା ଜାରି ରଖି ପାରିବ ବୋଲି ଆୟୋଜକମାନେ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ଜିଲିର ଟାଏକୋଣ୍ଡୋ ‌ଖେଳାଳି ଆଗୁଇରେ ଏବଂ ଚେକ୍‌ ଟିଟି ଖେଳାଳି ସିରୁସେକ୍‌ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ତିନି ଜଣଙ୍କ ଅଲିମ୍ପିକ୍ସ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ ପୂର୍ବରୁ ଶେଷ ହୋଇଯାଇଛି। ଆଗୁଇରେ ଜାପାନ ପହଞ୍ଚିବା ମାତ୍ରେ ଟୋକିଓ ବିମାନବନ୍ଦରରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା ବେଳେ ଅନ୍ୟ ଦୁଇ ଜଣ କ୍ରୀଡ଼ା ଗ୍ରାମରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର