ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟ, ଜାମାଇକାରେ ଶ୍ରାବଣୀ ଲକ୍‌ଡାଉନ୍‌

ଭୁବନେଶ୍ବର (ସୁରେଶ ସ୍ବାଇଁ): ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସ ୨୦୨୧ ମସିହାକୁ ଘୁଞ୍ଚିଯାଇଛି। ଖେଳାଳିମାନେ ଏବେ ନିଜ ନିଜ ଘରେ ଲକ୍‌ଡାଉନ୍। ଚଳିତ ସପ୍ତାହରୁ ଦେଶରେ କଡ଼ା ସର୍ତ୍ତାବଳୀ ମଧ୍ୟରେ ଖେଳାଳିମାନେ ବ୍ୟକ୍ତିଗତ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଦେଶର ଅନ୍ୟତମ ଶ୍ରେଷ୍ଠ ଧାବିକା ଓଡ଼ିଆ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଦୀର୍ଘ ୭ ମାସ ହେବ ଜାମାଇକାରେ ଲକ୍‌ଡାଉନ୍ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ମିଶନ୍ ନେଇ ଜାମା‌ଇକା ଗସ୍ତ କରିଥିଲେ ମଧ୍ୟ କରୋନା ମହାମାରୀ ଏହି ଦୃଢ଼ମନା ଧାବିକାଙ୍କୁ ଅପ୍ରତ୍ୟାଶିତ ବିରାମ ଦେଇଛି। ଟୋକିଓ ଅଲିମ୍ପିକ୍ସ ଘୁଞ୍ଚିଯିବାକୁ ନେଇ ଶ୍ରାବଣୀ ଯେତିକି ଚିନ୍ତିତ ନୁହଁନ୍ତି ଏବେ ନିଜ ତାଲିମ ଓ ଯୋଗ୍ୟତା ଅର୍ଜନ ନେଇ ଅଧିକ ବ୍ୟସ୍ତ ହୋଇଛନ୍ତି। ‘ମୁଁ ଏବେ ଘରକୁ ଫେରିବାକୁ ବ୍ୟସ୍ତ ନୁହେଁ, ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଟିକେଟ୍ ନେଇ ହିଁ ଫେରିବି’ ବୋଲି ‘ସମ୍ବାଦ’ ସହିତ କିଙ୍ଗଷ୍ଟନ୍‌ରୁ କଥା ହେବା ବେଳେ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ୨୯ ବର୍ଷୀୟା ଶ୍ରାବଣୀ।

ଗତ ଅକ୍ଟୋବର ମାସରୁ ଜାମାଇକା ଗସ୍ତରେ ଅଛନ୍ତି ଶ୍ରାବଣୀ। ଏକମାତ୍ର ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ। କିଙ୍ଗଷ୍ଟନ୍‌ସ୍ଥିତ ଏମ୍‌ଭିପି କ୍ଲବ୍‌ ସହିତ ଚୁକ୍ତିବଦ୍ଧ ରହିଛନ୍ତି ଉଚ୍ଚତର ତାଲିମ ଏବଂ ସେଠାରେ ବିଭିନ୍ନ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାଗ ନେବାକୁ। ଦେଶ ବିଦେଶରୁ ବହୁ ଧାବିକା ଏହି କ୍ଲବ୍‌ରେ ତାଲିମ ନେଇଥାନ୍ତି। ‘ମହିଳା ସ୍ପ୍ରିଣ୍ଟରଙ୍କ ପାଇଁ ଏଠାରେ ସ୍ବତନ୍ତ୍ର ତାଲିମ ଦିଆଯାଏ, ବହୁ ବଡ଼ ଧାବିକା ବି ଏଠାରୁ ବାହାରିଛନ୍ତି। ତେଣୁ ମୁଁ ଏହି ଅନ୍ତର୍ଜାତୀୟ କ୍ଲବ୍‌ (ଏମ୍‌ଭିପି)ରେ ସାମିଲ୍ ହୋଇଛି’ ବୋଲି କହିଥିଲେ ଶ୍ରାବଣୀ। ଟୋକିଓ ୨୦୨୦ ପ୍ରସ୍ତୁତି ଲାଗି ଲମ୍ବା କାର୍ଯ୍ୟକ୍ରମ ରଖି ଶ୍ରାବଣୀ ଗସ୍ତ କରିଥିଲେ। ଡିସେମ୍ବରରୁ ଜାମାଇକାରେ ଘରୋଇ ପ୍ରତିଯୋଗିତାମାନ ଆରମ୍ଭ ହୋଇଥା’ନ୍ତା ଏବଂ ଏକାଧିକ ଅଲିମ୍ପିକ୍‌ ଯୋଗ୍ୟତା ରଖୁଥିବା ପ୍ରତିଯୋଗିତା ବି ଖେଳାଯାଇଥା’ନ୍ତା। କରୋନା ଭୂତାଣୁର ପ୍ରକୋପ ଜାମାଇକାରେ ଗୌଣ ଥିଲେ ମଧ୍ୟ ସେଠାରେ ରାତ୍ରୀକାଳୀନ କର୍ଫ୍ୟୁ (ସଂଧ୍ୟା ୬ରୁ ସକାଳ ୬) ଲାଗୁ ରହିଛି। ଦିନବେଳା ବି ବହୁ କଟକଣା ରହୁଛି। କ୍ରୀଡ଼ା ତାଲିମ ବନ୍ଦ ରହିଛି। ଫଳରେ ଶ୍ରାବଣୀ ଦୀର୍ଘ ୨ ମାସ ହେବ ଆଉଟ୍‌ଡୋର୍‌ ତାଲିମରୁ ବଞ୍ଚିତ ରହିଛନ୍ତି। ‘ମୁଁ କେବଳ ଇନ୍‌ଡୋର୍‌ ବ୍ୟାୟାମରେ ଚଳାଇ ଚାଲିଛି। ଘରକୁ ଫେରିଯିବା ଲାଗି ବ୍ୟସ୍ତ ନୁହେଁ, ତାଲିମ ଓ ପ୍ରତିଯୋଗିତା ଉପରେ ନଜର ରଖିଛି। ନ ହେଲେ ବିମାନ ଯାତାୟତ ସ୍ବାଭାବିକ ହେଲେ ଫେରିବା ଚିନ୍ତା କରିବି ବୋଲି ପ୍ରକାଶ କରିଥିଲେ ଶ୍ରାବଣୀ। ୨୦୧୯ ଡିସେମ୍ବରରୁ ଜାମାଇକାର ଘରୋଇ ପ୍ରତିଯୋଗିତା ଆରମ୍ଭ ହେବାର ଥିଲେ ମଧ୍ୟ ଏବେ ଜୁନ୍-ଜୁଲାଇରୁ କରାଯିବା ପ୍ରସ୍ତାବ ରହିଛି। ଆରମ୍ଭ ହୋଇଗଲେ ମୁଁ ୨୦୨୧ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବି ଏଠାରେ ରହି ଏକାଗ୍ରତା ରଖିବି। ମଝିରେ ଯଦି ଭାରତରେ କୌଣସି ଜାତୀୟ ପ୍ରତିଯୋଗିତା ହୁଏ ତେବେ ମଧ୍ୟ ସେଥିପାଇଁ ସ୍ବଦେଶ ଫେରିବା ଯୋଜନା କରିବି ବୋଲି କହିଛନ୍ତି ଶ୍ରାବଣୀ। ସଚ୍ଚୋଟତାର ସହ କହିଲେ ‘ଜାମାଇକା ଆସିବା ପରେ ମୋ ପ୍ରଦର୍ଶନରେ ଉନ୍ନତି ଆସିଥିଲା। ଏଠାକାର ତାଲିମ ବ୍ୟବସ୍ଥା ଓ ପଦ୍ଧତିରୁ ମୁଁ ବହୁ କଥା ଶିଖିଛି। ସ୍ପ୍ରିଣ୍ଟରମାନଙ୍କ ଶ୍ରେଷ୍ଠ ପ୍ରଶିକ୍ଷଣ କେନ୍ଦ୍ର ହୋଇଥିବାରୁ ମୋ ଖେଳ ଜୀବନ ନୂଆ ଦିଶା ପାଇବ’ ବୋଲି ଆଶା ରଖିଥିବା କଥା କହିଥିଲେ ୨୦୧୬ ରିଓ ଅଲିମ୍ପିକ୍ସର ୨୦୦ ମିଟରରେ ଭାଗ ନେଇଥିବା ଶ୍ରାବଣୀ।

ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରୁ ଖେଳ ଜୀବନ ଆରମ୍ଭ କରିଥିବା କନ୍ଧମାଳ ଝିଅ ଶ୍ରାବଣୀ ୨୦୧୬ରେ କାଜାକାସ୍ତାନର ଆଲମାଟିଠାରେ ଅନୁଷ୍ଠିତ ଜି କୋନାନୋଭ ସ୍ମାରକୀ ମିଟ୍‌ରେ ୨୩.୦୭ ସେକେଣ୍ଡ୍ ସମୟ ଦେଇ ୨୦୦ ମିଟର୍‌ ଲାଗି ‌ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ୧୦୦ ମିଟରରେ ଦୁଇ ଥର, ୨୦୦ ମିଟରରେ ୫ ଥର ଜାତୀୟ ବିଜେତା ହୋଇସାରିଛନ୍ତି। ଶ୍ରାବଣୀ ୧୦୦ ମିଟର ରିଲେ ଦଳରେ ଭାରତ ପାଇଁ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦରେ କାଂସ୍ୟ ପଦକ ଜିତିଥିଲେ। ୨୦୧୬ରେ ଗୁଆହାଟୀ ଦକ୍ଷିଣ ଏସୀୟ କ୍ରୀଡ଼ାରେ ମଧ୍ୟ ୨୦୦ ମିଟର୍ ସ୍ବର୍ଣ୍ଣ ଓ ୧୦୦ ମିଟର୍ କାଂସ୍ୟ ଜିତି ପ୍ରମୁଖ ଅନ୍ତର୍ଜାତୀୟ ପଦକ ସଂଖ୍ୟାକୁ ୪ରେ ପହଞ୍ଚାଇଛନ୍ତି। କନିଷ୍ଠ ବର୍ଗ ସହିତ ଇଣ୍ଡିଆନ୍ ଗ୍ରାଁ ପ୍ରି ସଫଳତାକୁ ମିଶାଇଲେ ଏହି ପଦକ ୧୩ରେ ପହଞ୍ଚିସାରିଛି। ଜାତୀୟ ସ୍ତରରେ କିନ୍ତୁ ୨୦୦୮ ମସିହାରୁ ବେଶ ପ୍ରତିଷ୍ଠିତ ନାଁଟିଏ ରହିଛନ୍ତି ଶ୍ରାବଣୀ। ବିଦେଶରେ ତାଲିମ ନେବା ଶ୍ରାବଣୀଙ୍କ ପାଇଁ ନୂଆ ନୁହେଁ। ଅତୀତରେ ମଧ୍ୟ ଶ୍ରାବଣୀ ନିଜ ପ୍ରତିଭାକୁ ଶାଣିତ କରିବା ଲାଗି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ତାଲିମ ନେଇଥିଲେ। ଏବେ ବି ସେ ନିୟମିତ ଅନ୍ତରରେ ନିଜ ଆଦ୍ୟ ଗୁରୁ ନୀଳମାଧବ ଦେଓଙ୍କଠାରୁ ପରାମର୍ଶ ନିଅନ୍ତି ବୋଲି ଶେଷରେ ପ୍ରକାଶ କରିଥିଲେ ଶ୍ରାବଣୀ।

ସମ୍ବନ୍ଧିତ ଖବର