ଟୋକିଓ ଅଲିମ୍ପିକ୍ସ୍: ମହିଳା ‘୫୩ କେଜି ଫ୍ରିଷ୍ଟାଇଲ୍’ କୁସ୍ତିରେ ସୋଫିଆ ମ୍ୟାଟ୍ସନ୍ଙ୍କୁ ହରାଇ କ୍ବାର୍ଟର୍-ଫାଇନାଲ୍ରେ ପ୍ରବେଶ କଲେ ବିନେଶ ଫୋଗାଟ୍
ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ କୁସ୍ତି ଖେଳାଳି ବିନେଶ ଫୋଗାଟ୍ ରିଓ ଅଲିମ୍ପିକ୍ସ୍ର କାଂସ୍ୟପଦକ ବିଜୟିନୀ ସ୍ବିଡେନ୍ର ସୋଫିଆ ମ୍ୟାଟ୍ସନ୍ଙ୍କୁ ‘ମହିଳା ୫୩ କେଜି ଫ୍ରିଷ୍ଟାଇଲ୍’ ପ୍ରତିଯୋଗିତାରେ ପରାସ୍ତ କରି କ୍ବାର୍ଟର୍-ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
୨୦୧୯ ‘ୱାର୍ଲଡ୍ ଚାମ୍ପିଅନ୍ସିପ୍’ରେ ପରାସ୍ତ କରିଥିବା ସୋଫିଆଙ୍କୁ ଆଜିର କୁସ୍ତି ପ୍ରତିଯୋଗିତାରେ ୨୬ ବର୍ଷୀୟ ବିନେଶ ୭-୧ରେ ପରାସ୍ତ କରିଛନ୍ତି। ଶେଷ-ଅଷ୍ଟମ ସ୍ତରରେ ଏଥର ଇଉରୋପୀୟ ଚାମ୍ପିଅନ୍ ବେଲାରୁସ୍ର ୱାନେସା କାଲାଦ୍ଜିନସ୍କାୟା ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣା ହେବେ ବିନେଶ।
ଆଜିର ପ୍ରତିଯୋଗିତାରେ ମ୍ୟାଟ୍ସନ୍ ଯେତେଥର ଡାହଣ-ଗୋଡ଼କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବିନେଶ ତା’ର ଚମତ୍କାର ମୁକାବିଲା କରି ପଏଣ୍ଟ୍ ହାସଲ କରିଥିଲେ। ନିଜର ଅସୀମ ସାମର୍ଥ୍ୟ ପ୍ରଦର୍ଶନ କରି ବିନେଶ ସୋଫିଆଙ୍କୁ ମ୍ୟାଟ୍ର ଧାରକୁ ନେଇ ଅକଳିଆ ଅବସ୍ଥାରେ ପକାଇ ଦେଇଥିଲେ। ସୋଫିଆଙ୍କୁ ତଳେ ପକାଇ ମାଡ଼ି ବସିବା ଲାଗି ବିନେଶ ଉଦ୍ୟମ କରିଥିଲେ ମଧ୍ୟ ସେ ଏଭଳି ଲଜ୍ଜାକର ପରିସ୍ଥିତିକୁ ଏଡ଼ାଇବାରେ ସମର୍ଥ ହୋଇଥିଲେ।