ଭାରତ୍ତୋଳନରେ ସ୍ବର୍ଣ୍ଣ ଜିତିଥିବା ଚୀନର ହୋଉ ଜିହୁଇଙ୍କ ଉପରେ ଡୋପିଂ ସନ୍ଦେହ, ନମୂନା ‘ଏ’ ପରୀକ୍ଷଣରେ ସନ୍ଦେହ ପରେ ‘ବି’ ପାଇଁ ନୋଟିସ

ଟୋକିଓ: ଟୋକିଓ ଅଲିମ୍ପିକରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆସୁଥିବା ଖବର ଯଦି ସତ ହେବ ତେବେ ଭାରତ୍ତୋଳନରେ ଭାରତୀୟ ଆଥଲେଟ ମୀରାବାଇ ଚାନୁ ଜିତିଥିବା ରୌପ୍ୟ ପଦକ ସ୍ଵର୍ଣ୍ଣରେ ବଦଳି ଯାଇପାରେ ।

ସୂଚନା ମୁତାବକ, ଭାରତ୍ତୋଳନରେ ପ୍ରଥମ ହୋଇଥିବା ଚୀନର ହୋଉ ଜିହୁଇ ଉପରେ ଡୋପିଙ୍ଗ ସନ୍ଦେହ ହୋଇଛି । ଆଣ୍ଟି ଡୋପିଂ ଏଜେନ୍ସି ନମୂନା ‘ବି’ ପରୀକ୍ଷଣ ପାଇଁ ତାଙ୍କୁ ନୋଟିସ ଜାରି କରିଛି । ଅନୁମାନ କରାଯାଉଛି କି, ନମୂନା ‘ଏ’ ପରୀକ୍ଷଣରେ ଡୋପିଂ ଟେଷ୍ଟ ଅଧିକାରୀ ତାଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ।

Mirabai Chani (left) with Zhihui Hou (Photo/ Sachin Tendulkar Twitter)
aninews.in

ଅନ୍ୟପଟେ ସ୍ବର୍ଣ୍ଣ ପଦକ ଜିତିବା ପରେ ଚୀନ ଆଥଲେଟ ହୋଉ ଜିହୁଇ ଆଜି ତାଙ୍କ ଦେଶକୁ ଫେରିଯିବାର ଥିଲା । ହେଲେ ତାଙ୍କୁ ଟୋକିଓରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସମୟରେ ତାଙ୍କର ଡୋପ ଟେଷ୍ଟ ହୋଇପାରେ ବୋଲି ଆଶା କରାଯାଉଛି । ଅଲିମ୍ପିକରେ ଏଭଳି ବି ଆଗରୁ ହୋଇଛି । ଡୋପ ଟେଷ୍ଟରେ ଅସଫଳ ହେବା ପରେ ଖେଳାଳିଙ୍କଠାରୁ ପଦକକୁ ଫେରାଇ ଅଣାଯାଇ ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳିଙ୍କୁ ପ୍ରଦାନ କରାଯାଇଛି ।

ଏଭଳି ଖବର ସାମ୍ନାକୁ ଆସିବା ପରେ ଭାରତ୍ତୋଳନ ଫେଡେରେସନ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି କି, ତାଙ୍କୁ ଏନେଇ କୌଣସି ସୂଚନା ମିଳିନାହିଁ । ଯଦି ଡୋପ ଟେଷ୍ଟରେ ଚୀନ ଖେଳାଳି ଅସଫଳ ହୁଅନ୍ତି ତେବେ ଆଇଓସି ଓ ଟୋକିଓ ଅଲିମ୍ପିକ ଆୟୋଜନ କମିଟି ତରଫରୁ ଘୋଷଣା କରାଯିବ ।

ତେବେ ଅଲିମ୍ପିକରେ ମୀରାବାଇ ଚାନୁ ପ୍ରଥମ ଭାରତୀୟ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ପଦକ ଜିତିଛନ୍ତି ।

ସମ୍ବନ୍ଧିତ ଖବର