ଟୋକିଓ ପାରାଲିମ୍ପିକ୍ସ୍‌: ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ମହିଳା ଭାବେ ସ୍ବର୍ଣ୍ଣପଦକ ଜିଣିଲେ ଅବନି ଲେଖଡ଼ା

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ଆୟୋଜିତ ମହିଳା ବର୍ଗର ‘୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ୍‌ ଏସ୍‌ଏଚ୍୧’ରେ ପ୍ରଥମ ଭାରତୀୟ ମହିଳା ଭାବେ ଆଜି ଅବନି ଲେଖଡ଼ା ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଚୂଡ଼ାନ୍ତ ପ୍ରତିଯୋଗିତାରେ ବିଶ୍ବ ରେକର୍ଡ ସହ ସମତୁଲ ସ୍କୋର୍‌ (ସମୁଦାୟ ୨୪୯.୬) କରି ଲେଖଡ଼ା ଏହି ପଦକ ବିଜୟିନୀ ହୋଇଛନ୍ତି। ଏଯାବତ୍‌ ଏହା ହେଉଛି ଟୋକିଓ ପାରାଲିମ୍ପିକ୍‌ କ୍ରୀଡ଼ାରେ ଭାରତର ଚତୁର୍ଥ ପଦକ।

ଆଜିର ଫାଇନାଲ୍‌ ପ୍ରତିଯୋଗିତାରେ ଲେଖଡ଼ା ସମୁଦାୟ ୨୪୯.୬ ସ୍କୋର୍‌ ହାସଲ କରି ୨୦୧୮ ଡିସେମ୍ବରରେ ବିଶ୍ବ ରେକର୍ଡ କରିଥିବା ୟୁକ୍ରେନ୍‌ର ଇରିନା ସୁକ୍‌ତିନ୍‌ଙ୍କ ସମକକ୍ଷ ହୋଇପାରିଛନ୍ତି। ଏହି ଉଲ୍ଲେଖନୀୟ ପ୍ରତିଯୋଗିତାରେ ପ୍ରଥମରୁ ମନ୍ଥରତା ପ୍ରଦର୍ଶନ କରିଥିବା ୧୯ ବର୍ଷୀୟ ଲେଖଡ଼ା ପରେ ପରେ ଉତ୍ତମ ପାରଦର୍ଶିତା ପ୍ରଦର୍ଶନ କରିଥିଲେ।

Image Courtesy of Reuters

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅବନି ଲେଖଡ଼ାଙ୍କ ସହ କଥା ହୋଇ ସଫଳତା ପାଇଁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଦେଶବାସୀଙ୍କ ଠାରୁ ପାଇଥିବା ଉତ୍ସାହ ନିମନ୍ତେ ମଧ୍ୟ ଅବନି ଆନନ୍ଦିତା ବୋଲି କହିଛନ୍ତି।

୨୦୧୨ରେ ଗୋଟାଏ କାର୍‌ ଦୁର୍ଘଟଣାରେ ‘ସ୍ପାଇନାଲ୍‌ କର୍ଡ’ (ମେରୁହାଡ଼ ଶିରା) ଆଘାତପ୍ରାପ୍ତ ଲେଖଡ଼ା ଯୋଗ୍ୟତା ପର୍ଯ୍ୟାୟରେ ସମୁଦାୟ ୬୨୧.୭ ସ୍କୋର୍‌ କରି ସପ୍ତମ ସ୍ଥାନ ଅକ୍ତିଆର କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହା ପରେ ସେ ‘ଲିପ୍‌ଫ୍ରଗ୍‌’ ପ୍ରତି ଚମତ୍କାର ରାଇଫଲ୍‌ ଚାଳନା କରି ଫାଇନାଲ୍‌ରେ ଶ୍ରେଷ୍ଠତ୍ବ ହାସଲ କରିଛନ୍ତି।

ଏହା ବ୍ୟତିରେକେ, ୨୦୧୬ ରିଓରେ ରୌପ୍ୟ ପଦକ ଲାଭ କରିଥିବା ଚୀନ୍‌ର ଜାଙ୍ଗ୍‌ କ୍ୟୁପିଙ୍ଗ୍‌ ଆଜି ୨୪୮.୯ ସ୍କୋର୍‌ କରି ପୁନଶ୍ଚ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି, ସମୁଦାୟ ୨୨୭.୫ ସ୍କୋର୍‌ କରି ୟୁକ୍ରେନ୍‌ର ଇରିନା ସୁକ୍‌ତିନ୍‌ କାଂସ୍ୟ ପଦକ ବିଜୟିନୀ ହୋଇଛନ୍ତି।

ସମ୍ବନ୍ଧିତ ଖବର