ନୂଆଦିଲ୍ଲୀ : ଭାରତୀୟ ନୌଚାଳକ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂହଙ୍କ ଦଳ ଏବଂ କୁସ୍ତି ତାରକା ସୁମିତ ମଲ୍ଲିକ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଶୁକ୍ରବାର ଟୋକିଓରେ ଆୟୋଜିତ ଏସିଆ/ଓସନିଆ କଣ୍ଟିନେଟାଲ ଯୋଗ୍ୟତା ରିଗାଟ୍ଟା ପୁରୁଷ ଲାଇଟ୍ୱେଟ୍ ଡବଲ୍ ସ୍କଲ୍ସ ଇଭେଣ୍ଟର ଫାଇନାଲ୍ ରେସ୍ରେ ଅର୍ଜୁନ ଓ ଅରବିନ୍ଦ ଦ୍ବିତୀୟ ସ୍ଥାନରେ ରହି ଅଲିମ୍ପିକ୍ସ ଟିକେଟ୍ ପକ୍କା କରିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଜଣେ ଭାରତୀୟ ଜାକର ଖାନ୍ ପୁରୁଷ ଏକକ ସ୍କଲ୍ସ ଫାଇନାଲ୍ରେ ଚତୁର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ରହିଥିଲେ। ଟୋକିଓ ବେଳାଭୂମିସ୍ଥିତ ସି ଫରେଷ୍ଟ ୱାଟରୱେରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତରୁ ୧୪ ଜଣ ଭାଗ ନେଇଥିଲେ।
ଅନ୍ୟପକ୍ଷରେ ସୋଫିଆରେ ଆୟୋଜିତ ବିଶ୍ବ ଅଲିମ୍ପିକ ଯୋଗ୍ୟତାର ୧୨୫ କିଲୋଗ୍ରାମ ବର୍ଗରେ ସୁମିତ ୨-୧ରେ କିର୍ଗିଜସ୍ତାନର ଆଇଆଲ୍ ଲାଜାରେଭଙ୍କୁ ପରାସ୍ତ କରି ଚତୁର୍ଥ ଭାରତୀୟ କୁସ୍ତିବିତ୍ ଭାବେ ଟୋକିଓ ଟିକେଟ୍ କରାୟତ୍ତ କରିଥିଲେ। ୨୮ ବର୍ଷୀୟ ସୁମିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା। ତାଙ୍କ ପୂର୍ବରୁ କୁସ୍ତିରେ ରବି ଦାହିୟା (୫୭ କେଜି), ବଜରଙ୍ଗ ପୁନିଆ (୬୫ କେଜି) ଓ ଦୀପକ ପୁନିଆ (୮୬ କେଜି) ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ତେବେ ଅନ୍ୟ ଦୁଇ ଭାରତୀୟ ଅମିତ ଧଙ୍କର (୭୪ କେଜି) ଓ ସତ୍ୟବ୍ରତ କାଡିୟାଁ (୯୭ କେଜି) ନିଜ ନିଜ ମ୍ୟାଚ୍ ହାରି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ଅମିତ ୬-୯ରେ ମୋଲଦୋଭାର ମିହେଲ ସାବାଙ୍କଠୁ ଏବଂ ସତ୍ୟବ୍ରତ ୧-୫ରେ ବୁଲଗେରିଆର ଅହମ୍ମଦ ସୁଲତାନୋଭିଚ ବାଟେଙ୍କଠୁ ହାରିଯାଇଥିଲେ।