ପ୍ରମୋଦଙ୍କୁ ଟୋକିଓ ଟିକେଟ, ‘ସ୍ବର୍ଣ୍ଣ ଉପରେ ସବୁ ଧ୍ୟାନ’

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ବିଶ୍ବ ମାନ୍ୟତାର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଯାଇଛି ‌ଟୋକିଓ ଟିକେଟ। ଆଗାମୀ ଟୋକିଓ ପାରାଅଲିମ୍ପିକ୍ସ ପାଇଁ ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଧିବଦ୍ଧ ଯୋଗ୍ୟତା ହାସଲ କରିଛନ୍ତି ବୋଲି ମଙ୍ଗଳବାର ସ୍ପଷ୍ଟ ହୋଇଛି। ବିଶ୍ବ ବ୍ୟାଡ୍‌ମିଣ୍ଟନ ସଂଘ (ବିଡବ୍ଲୁଏଫ୍‌) ପକ୍ଷରୁ ଏନେଇ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ ଏବଂ ଭାରତୀୟ ପାରାଲିମ୍ପିକ୍ କମିଟିକୁ ସୂଚନା ଦିଆଯାଇଛି। ପୁରୁଷ ଏକକ ବର୍ଗରେ ପ୍ରମୋଦ (ଏସ୍‌ଏଲ୍‌-୩)ଙ୍କ ସହିତ ତରୁଣ ଅରୁଣ (ଏସ୍‌ଏଲ୍‌-୪) ଓ କ୍ରିଷ୍ଣା ନାଗର (ଏସ୍‌ଏଚ୍‌-୬)ଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଡବ୍ଲୁଏଫ୍‌ କହିଛି। ଏହି ଖବର ଆସିବା ପରେ ଓଡ଼ିଶା ସହ ଭାରତୀୟ କ୍ରୀଡ଼ା ମହଲରେ ଖୁସିର ଲହରି ଖେଳି ଯାଇଛି। ପ୍ରମୋଦଙ୍କ ପାଖକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। କରୋନା ଆତଙ୍କ ଭିତରେ ଏକବାର ଶିଥିଳ ପଡ଼ିଯାଇଥିବା ଓଡ଼ିଶା କ୍ରୀଡ଼ା ଦୁନିଆ ଏହି ପ୍ରତୀକ୍ଷିତ ଖବର ପାଇବା ପରେ ଚଳଚଞ୍ଚଳ ହୋଇଉଠିଛି। ପ୍ରମୋଦ ମଧ୍ୟ ଆନୁଷ୍ଠାନିକ ଭାବେ ଟୋକିଓ ଅଲିମ୍ପିକ୍ସ ଲାଗି ଟିକେଟ ହାସଲ କରିବାରେ ରାଜ୍ୟର ପ୍ରଥମ କ୍ରୀଡ଼ାବିତ୍ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ପାଖାପାଖି ୪୦ ଅନ୍ତର୍ଜାତୀୟ ପଦକ ଜିତି ସାରିଥିବା ପ୍ରମୋଦ ଏବେ ଚମତ୍କାର ଫର୍ମରେ ଅଛନ୍ତି। କରୋନା କଟକଣା ସତ୍ତ୍ବେ ଚଳିତବର୍ଷ ହିଁ ୩ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ଜିତିଛନ୍ତି। ୨୦୧୯ ମସିହାରେ ଓଡ଼ିଶାର ଅଷ୍ଟମ କ୍ରୀଡ଼ାବିତ୍ ଭାବେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିବା ପ୍ରମୋଦ ରାଜ୍ୟକୁ ଏଥର ଏକ ଅଲିମ୍ପିକ୍ସ ପଦକ ଆଣିବେ ବୋଲି ଆଶା କରାଯାଉଛି। ସେପଟେ ଦୌଡ଼ ରାଣୀ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦଙ୍କ ସହ ଅନ୍ୟୂନ ୫-୬ ଜଣ ଓଡ଼ିଆ ହକି ତାରକା ଟୋକିଓ ଅଲିମ୍ପିକ୍ସରେ ‌ଖେଳୁଥିବାର ଦେଖିବାକୁ ମିଳିବେ ବୋଲି ରାଜ୍ୟ କ୍ରୀଡ଼ା ବିଶାରଦମାନେ ଆଶାପ୍ରକାଶ କରିଛନ୍ତି। ଆଗାମୀ ଟୋକିଓ ପାରାଲିମ୍ପିକ୍ସ ଚଳିତ ବର୍ଷ ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖରେ ଶେଷ ହେବ। ଏଥିରେ ୨୨ କ୍ରୀଡ଼ା ଶୃଙ୍ଖଳ ସାମିଲ ଥିଲାବେଳେ ୫୪୦ ଇଭେଣ୍ଟ ରହିଛି। ସାରା ବିଶ୍ବର ପାଖାପାଖି ୪୪୦୦ ଆଥ୍‌ଲେଟ୍‌ ଏଥିରେ ପ୍ରତିଦ୍ବନ୍ଦ୍ବିତା କରିବେ।

‘ସ୍ବର୍ଣ୍ଣ ଉପରେ ସବୁ ଧ୍ୟାନ’
ଟୋକିଓରେ ଆୟୋଜିତ ହେବାକୁ ଯାଉଥିବା ପାରାଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବା ପାଇଁ ଆମନ୍ତ୍ରଣ ମିଳିଥିବାରୁ ପ୍ରମୋଦ ଖୁବ୍‌ ଉଲ୍ଲସିତ। ପ୍ରଥମ ଥର ଲାଗି ସେ ଅଲିମ୍ପିକ୍ସରେ ଭାଗନେବେ। ସେ ମଧ୍ୟ ବିଡବ୍ଲୁଏଫ୍‌ଠାରୁ ମଙ୍ଗଳବାର ପତ୍ର ଜରିଆରେ ଆମନ୍ତ୍ରଣ ପାଇଥିବା କହିଛନ୍ତି। ପୁଣି ପାରାଲିମ୍ପିକ୍ସରେ ପ୍ରଥମ ଥର ଲାଗି ବ୍ୟାଡ୍‌ମିଣ୍ଟନ ଖେଳକୁ ପ୍ରଚଳନ କରାଯାଇଛି। ସେଥିପାଇଁ ଅଲିମ୍ପିକ୍ସରେ କିଛି ଚମତ୍କାର କରିବା ଆଶା ରଖିଛନ୍ତି ପ୍ରମୋଦ। ନିକଟରେ ଶେଷ ହୋଇଥିବା ଦୁବାଇ ପାରା ପ୍ରତିଯୋଗିତାରେ ପ୍ରମୋଦ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତି ଚମକ ଦେଖାଇଥିଲେ। ଏବେ ଅଲିମ୍ପିକ୍ସରେ ପଦକ ଜିତିବାର ସ୍ବପ୍ନ ସାକାର କରିପାରିବି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ‘‘ଆମନ୍ତ୍ରଣ ପାଇବା ପରେ ମୁଁ ଖୁବ୍‌ ଉଲ୍ଲସିତ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ଆଥ୍‌ଲେଟ୍‌ଙ୍କ ସ୍ବପ୍ନ ରହିଥାଏ। ଆଉ ମୋ କ୍ଷେତ୍ରରେ ମଧ୍ୟ ସମାନ।’’ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ। ତେବେ ମୋ ସ୍ବପ୍ନର ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ମୋର ଏକମାତ୍ର ଲକ୍ଷ୍ୟ। ଏହା ହାସଲ କରିବା ଉପରେ ମୁଁ ଅଧିକ ମନୋନିବେଶ କରିବି। ଏହାକୁ ହାସଲ କରିବା ପାଇଁ ମଧ୍ୟ ମୁଁ କଠୋର ପ୍ରସ୍ତୁତି ଚଳାଇଛି ବୋଲି ପ୍ରମୋଦ କହିଛନ୍ତି।

 

ସମ୍ବନ୍ଧିତ ଖବର