ବାପାଙ୍କ ସ୍ବପ୍ନ ସାକାର କଲେ ଟମ୍‌ କ୍ରେଗ୍‌

ପ୍ରଫୁଲ୍ଲ କିଶୋର ସାହୁ

ପ୍ରଫୁଲ୍ଲ କିଶୋର ସାହୁ

ବାପାଙ୍କ ଇଚ୍ଛା ଥିଲା ଅନ୍ତର୍ଜାତୀୟ ଖେଳାଳି ହେବା। ହେଲେ ସେ ଜାତୀୟସ୍ତରରୁ ଆଗକୁ ବଢ଼ିପରିନଥିଲେ। ଜଣେ ଜାତୀୟସ୍ତରର ଧାବକ ଭାବେ ନିଜ ଖେଳ ଜୀବନ ଶେଷ କରିଥିଲେ। କିନ୍ତୁ ସେହି ସ୍ବପ୍ନ ପୁଅ ପାଖରେ ଦେଖିଥିଲେ। ଦୁଇ ପୁଅଙ୍କୁ ଅନ୍ତର୍ଜାତୀୟ ଖେଳାଳି ଭାବେ ଗଢ଼ି ତୋଳିଥିଲେ। ସେ ହେଉଛନ୍ତି ଅଷ୍ଟ୍ରେଲିଆ ହକି ଦଳର ତାରକା ମିଡ୍‌ ଫିଲ୍ଡର ଟମ୍‌ କ୍ରେଗ୍‌ଙ୍କ ବାପା ଜନ୍‌ ଆଥାନ୍‌।

ସଂପ୍ରତି ଟମ୍‌ କ୍ରେଗ୍‌ ଅଷ୍ଟ୍ରେଲିଆ ପକ୍ଷରୁ ବିଶ୍ବକପ୍‌ ଖେଳୁଥିଲା ବେଳେ ତାଙ୍କ ବାପା ଜନ୍‌ ଆଥାନ୍‌ ଓ ମା’ ବିର୍‌ବାରା ମଧ୍ୟ ଭୁବନେଶ୍ବରରେ ରହି ପୁଅର ଖେଳ ଉପଭୋଗ କରୁଛନ୍ତି। ମଙ୍ଗଳବାର ସ୍ପେନ୍‌ ବିପକ୍ଷ ମ୍ୟାଚ୍‌ ବେଳେ ଉଭୟ କଳିଙ୍ଗ ଷ୍ଟାଡିୟମରେ ପୁଅର ନାଁ ଲେଖାଥିବା ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ଦଳକୁ ସମର୍ଥନ କରିଥିଲେ। ଅଷ୍ଟ୍ରେଲିଆ ବିଜେତା ହେଉ ବୋଲି ଟମ୍‌ଙ୍କ ବାପା ମା’ ମଧ୍ୟ ଚାହୁଛନ୍ତି। ପୁଅ ପାଇଁ ସେମାନେ ଗର୍ବିତ ବୋଲି କହିଛନ୍ତି ଉଭୟେ। ଟମ୍‌ କଳିଙ୍ଗ ଲାନ୍ସର୍ସ ପକ୍ଷରୁ ହକି ଇଣ୍ଡିଆରେ ଖେଳିଥିବାରୁ ଓଡ଼ିଶା ଓ ଭାରତ ସହ ତାଙ୍କର ସମ୍ପର୍କ ନିବିଡ଼ ରହିଛି। ସେତେବେଳେ ଆମେ ଓଡ଼ିଶା ଆସିପାରିନଥିଲୁ। ଏହା ପରେ ଗତ ବିଶ୍ବକପ୍‌ରେ ଓଡ଼ିଶା ଆସିବାର ସୁଯୋଗ ପାଇଥିଲୁ। ଗତ ସଂସ୍କରଣରେ ଅଷ୍ଟ୍ରେଲିଆ ବିଜେତା ହୋଇପାରିନଥିବାରୁ ଟିକେ ଦୁଃଖ ଲାଗିଥିଲା। କିନ୍ତୁ ଆମ ଦଳ କାଂସ୍ୟ ପଦକ ଜିତିଥିଲା। ପୁଅ ପାଇଁ ଆମେ ଦୁଇ ଦୁଇଥର ଓଡ଼ିଶା ଆସିବାର ସୌଭାଗ୍ୟ ପାଇଛୁ। ଏଠାକାର ଆତିଥ୍ୟ ଅଭୂଲା ବୋଲି କହିଛନ୍ତି ମା’ ବିର୍‌ବାରା। ଭାରତ ପ୍ରିକ୍ବାର୍ଟରଫାଇନାଲ୍‌ରୁ ବିଦାୟ ନେବା ଘରୋଇ ଦର୍ଶକଙ୍କୁ କଷ୍ଟ ଦେଇଛି। ଆମେ ମଧ୍ୟ ଭାରତ ସପକ୍ଷରେ ଥିଲୁ। ଭାରତ ଆଗକୁ ବଢ଼ୁ ବୋଲି ଚାହିଁଥିଲୁ। ତାହା ହୋଇପାରିଲୁନି। ସେଥିପାଇଁ ଆମେ ମଧ୍ୟ ଦୁଃଖିତ। ଭାରତ ବହୁତ ଭଲ ଦଳ। ଟ୍ରଫି ଦାବିଦାର‌‌ରେ ମଧ୍ୟ ଆଗରେ ରହିଥିଲା। ଭାଗ୍ୟ ସାଥ୍‌ ନଦେବାରୁ ଅଟକି ଯାଇଥିଲା ବୋଲି କହିଛନ୍ତି ଏହି ଅଷ୍ଟ୍ରେଲୀୟ ଦମ୍ପତି।

ବଡ଼ ପୁଅ ପେନ୍‌ କ୍ରେଗ୍‌ ବି ଅଷ୍ଟ୍ରେଲିଆ ପାଇଁ ହକି ଖେଳିବାର ସୁଯୋଗ ପାଇଥିଲା। ହେଲେ ସଫଳ ନହେବାରୁ ଅବସର ନେଇଯାଇଛି। ଦୁଇଟିଯାକ ପୁଅ ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ ଆହୁରି ଖୁସି ଲାଗିଥା’ନ୍ତା ବୋଲି କହିଛନ୍ତି କ୍ରେଗ୍‌ ମାତାପିତା। ଟମ୍ ଖାଲି ହକି ନୁହେଁ ଗଲ୍‌ଫ, ବେସ୍‌ବଲ୍‌, କ୍ରିକେଟ୍‌ରେ ମଧ୍ୟ ପାରଙ୍ଗମ ଥିଲା। କିନ୍ତୁ ତା’ ହୃଦୟରେ ହକି ବଡ଼ ସ୍ଥାନ ନେଇଥିଲା। ଯେଉଁଥି ପାଇଁ ସେ ହକିରେ ସଫଳ ଖେଳାଳି ହେବାର ଗୌରବ ପାଇପାରିଛି।
ଚଳିତ ବିଶ୍ବକପ୍‌ରେ ଟମ୍‌ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଗୌରବ ମଧ୍ୟ ପାଇଛନ୍ତି। ସେ ମଧ୍ୟ ଚଳିତ ବିଶ୍ବକପ୍‌ରେ ୪ ଗୋଲ୍‌‌ ଦେଇଛନ୍ତି। ଫ୍ରାନ୍ସ ବିପକ୍ଷରେ ସେ ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଗୋଲ୍‌ କରିଥିଲେ। ଟମ୍‌ ଅଲିମ୍ପିକ୍‌ ରୌପ୍ୟ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ମଧ୍ୟ ରହିଥିଲେ।

ସମ୍ବନ୍ଧିତ ଖବର