ଶ୍ରେଷ୍ଠ ୧୦ ବିଶ୍ବ ପ୍ରସିଦ୍ଧ ଖେଳାଳିଙ୍କ ମଧ୍ୟରେ, କୋହଲି ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ: ଇଏସ୍‌ପିଏନ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦ ପ୍ରସିଦ୍ଧ ଖେଳାଳି ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ବିଶ୍ବ ପ୍ରସିଦ୍ଧ ଖେଳାଳିଙ୍କ ୧୦୦ ଜଣିଆ ତାଲିକାରେ ଅବଶ୍ୟ ୮ଜଣ ଭାରତୀୟ କ୍ରିକେଟର ଅଛନ୍ତି। ହେଲେ କୋହଲିଙ୍କ ଛଡ଼ା କେହି ଶ୍ରେଷ୍ଠ ୧୦ ଭିତରେ ନାହାନ୍ତି। ପର୍ତୁଗାଲ ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲଡୋ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଆମେରିକୀୟ ବାସ୍କେଟବଲ୍ ଖେଳାଳି ଲି’ବ୍ରନ୍ ଜେମ୍ସ ଓ ଆର୍ଜେଣ୍ଟିନା ଫୁଟ୍‌ବଲର ଲିଓନେଲ୍ ମେସି ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ସପ୍ତମ ସ୍ଥାନରେ ରହିଥିଲା ବେଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତ୍ରୟୋଦଶ ସ୍ଥାନ ଅଧିକାର କରିଛନ୍ତି। ଶ୍ରେଷ୍ଠ ୧୦ରେ ଥିବା ଅନ୍ୟ ଖେଳାଳିମାନେ ହେଲେ ନେମାର (ଚତୁର୍ଥ), କନର ମ୍ୟାକ୍‌ଗ୍ରୋଗୋର (ପଞ୍ଚମ), ରୋଜର ଫେଡେରର (ଷଷ୍ଠ), ରାଫେଲ ନାଦାଲ (ଅଷ୍ଟମ), ଷ୍ଟିଭେନ୍ କରି (ନବମ) ଓ ଟାଇଗର ଉଡ୍ସ (ଦଶମ)। ସେହିଭଳି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଯୁବରାଜ ସିଂହ ଅଷ୍ଟାଦଶ, ସୁରେଶ ରାଇନା ୨୨ତମ, ଆର ଅଶ୍ବିନ ୪୨ତମ, ରୋହିତ ଶର୍ମା ୪୬, ହରଭିନ ସିଂହ ୭୪ତମ ଓ ଶିଖର ଧାୱନ ୯୪ତମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପ୍ରତ୍ୟେକ ଖେଳାଳିଙ୍କୁ ନେଇ ହେଉଥିବା ଗୁଗୁଲ ସର୍ଚ ସହ ସାମିଜିକ ଗଣମାଧ୍ୟମ ପ୍ରଶଂସକ ଓ ବିଜ୍ଞାପନ ସଂଖ୍ୟାକୁ ନେଇ ପ୍ରସ୍ତୁତ କରାଯାଇଥିଲା। ତାଲିକାରେ ମାତ୍ର ୩ ଜଣ ମହିଳା ଖେଳାଳି ସେରେନା ୱିଲିୟମ୍ସ ସପ୍ତଦଶ, ମାରିଆ ସାରାପୋଭା ୩୭ ଏବଂ ସାନିଆ ମିର୍ଜା ୯୩ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର