ଶ୍ରେଷ୍ଠ ୧୦ ବିଶ୍ବକପ୍‌ ମ୍ୟାଚ୍‌

୧୯୮୩ ଫାଇନାଲ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ପରେ ଉଲ୍ଲସିତ ଭାରତୀୟ ଖେଳାଳି

ଲଣ୍ଡନ୍‌: ଗୁରୁବାରଠାରୁ ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିଲା ବେଳେ ଆସନ୍ତୁ ବିଗତ ସଂସ୍କରଣ ଗୁଡ଼ିକରୁ ଶ୍ରେଷ୍ଠ ୧୦ଟି ମ୍ୟାଚ୍‌ ଉପରେ ନଜର ପକାଇନେବା।
ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍‌ (୧୯୭୫)
ବିଶ୍ବକପ୍‌ର ସର୍ବକାଳୀନ ଶ୍ରେଷ୍ଠ ମ୍ୟାଚ୍‌ ମଧ୍ୟରେ ରହିଛି ୱେଷ୍ଟଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ଫାଇନାଲ। ୱେଷ୍ଟଇଣ୍ଡିଜ୍‌ ୫୦/୩ରେ ଥିବାବେଳେ କ୍ଲାଇବ୍ ଲୟଡ୍ ଏବଂ‌ ରୋହନ୍ କହ୍ନାଇ ୧୪୯ ରନ୍‌ ଭାଗୀଦାରି କରିଥିଲେ। ଲୟଡ଼ଙ୍କ ଆକ୍ରମଣାତ୍ମକ ଶତକ ବଳରେ ଇଣ୍ଡିଜ୍‌ ୨୯୧ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ଇଆନ୍ ଚାପେଲଙ୍କ ଚମତ୍କାର ଅର୍ଧଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ୧୭ ରନ୍‌ ଦୂରରେ ରହିଯାଇଥିଲା। ଭିଭିଆନ୍ ରିଚାର୍ଡସଙ୍କ ତିନିଟି ସିଧାସଳଖ ରନ୍‌ ଆଉଟ୍ ପାଇଁ ହିଁ ଏହା ସମ୍ଭବ ହୋଇଥିଲା।
ଭାରତ-ଜିମ୍ବାୱେ (୧୯୮୩)
ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଭାରତ ୧୭/୫ରେ ସଂଘର୍ଷ କରୁଥିବା ବେଳେ ଲାଗୁଥିଲା ଭାରତ ନିଜର ‌ପ୍ରଥମ ମ୍ୟାଚ୍‌ରେ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ହରାଇବା ଏକ ବ୍ୟତିକ୍ରମ ଥିଲା। କପିଳ ଦେବ କିନ୍ତୁ ୧୩୮ ବଲରୁ ୧୭୫* ରନ୍ ପାଳି ଖେଳିବା ପରେ ଜିମ୍ବାୱେ ପାଇଁ ୨୬୬ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମଦନ ଲାଲ ଏବଂ କପିଳ ଦେବ ବୋଲିଂରେ ସ୍କ୍ରୁ ଟାଇଟ୍ କରି ଭାରତକୁ ବିଜୟ ପ୍ରଦାନ କରିଥିଲେ। ସପ୍ତାହକ ପରେ ଲର୍ଡସ ଫାଇନାଲରେ ଭାରତ କିନ୍ତୁ ୱେଷ୍ଟଇଣ୍ଡିଜକୁ ପୁଣି ଥରେ ହରାଇ ପ୍ରଥମ ଥର ବିଶ୍ବକପ୍‌ ହାସଲ କରିବାର ‌ଗୌରବ ଅର୍ଜନ କରିଥିଲା।
ଭାରତ-ୱେଷ୍ଟଇଣ୍ଡିଜ୍‌ (୧୯୮୩)
ଛୋଟ ସ୍କୋର୍‌ ରୋମାଞ୍ଚର ଅନ୍ୟତମ ଜ୍ବଳନ୍ତ ଉଦାହରଣ ‌ହୋଇ ରହିଛି ୧୯୮୩ ମସିହାର ଫାଇନାଲ୍‌। ୩୬ ବର୍ଷ ତଳେ ଏଭଳି ରୋମାଞ୍ଚରେ ସାମିଲ ଥିଲେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌। ସଂଘାତିକ ସୁଇଙ୍ଗ ବୋଲିଂ ସହିତ ଭାରତକୁ ଅଣନିଶ୍ବାସୀ କରି ପକାଇଥିଲେ ୱେଷ୍ଟଇଣ୍ଡିଜ୍‌ ବୋଲର। ଆଣ୍ଡି ରବର୍ଟସ ୩/୩୨ ନେଇଥିବା ବେଳେ ମାଲକମ ମାର୍ଶାଲ ଏବଂ ମାଇକେଲ ହୋଲଡିଂ ୨-୨ ୱିକେଟ୍‌ ବାଣ୍ଟିଥିଲେ। ୧୮୩ ରନ୍ ବିଜୟ ଲକ୍ଷ୍ୟ ମଧ୍ୟ ଭିଭିଆନ୍ ରିଚାର୍ଡସଙ୍କ ଦଳକୁ ମଦନ ଲାଲ୍ ଏବଂ ମହିନ୍ଦର ଅମରନାଥଙ୍କ ବୋଲିଂ ଆଗରେ ହାର ମାନିବାକୁ ପଡ଼ିଥିଲା। ଲର୍ଡସର ୩୦,୦୦୦ ପ୍ରଶଂସକଙ୍କ ସମ୍ମୁଖରେ ଭାରତ ୪୩ ରନ୍ ବିଜୟ ସହିତ ଭାରତୀୟ କ୍ରିକେଟ୍‌ ଇତିହାସର ପ୍ରଥମ ସ୍ବର୍ଣ୍ଣିମ ଫର୍ଦ ଯୋଡ଼ି‌ ଦେଇଥିଲା।
ଭାରତ-ଅଷ୍ଟ୍ରେଲିଆ (୧୯୮୭)
ପ୍ରଥମ ଥର ଇଂଲଣ୍ଡ ବାହାରକୁ ବିଶ୍ବକପ୍‌ ଆସିବା ପରେ ନୂଆ ବିଜେତା ଭାରତର ପ୍ରଦର୍ଶନକୁ ନେଇ ସମସ୍ତଙ୍କ ନଜର ରହିଥିଲା। ମାଡ୍ରାସ ଦେଖାଇଥିଲା ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌। ଜିଓଫ ମାର୍ସଙ୍କ ୧୧୦ ରନ୍ ସହିତ ଭାରତକୁ ୨୭୦ ରନ୍‌ ଟପିବାକୁ ଆହ୍ବାନ ଦିଆଯାଇଥିଲା। ନବଜୋତ ସିଂହ (୭୩) ଏବଂ କୃଷ୍ଣମାଚାରୀ ଶ୍ରୀକାନ୍ତ (୭୦)ଙ୍କ ସାହସିକ ପ୍ରଦର୍ଶନ ପରେ ୱିକେଟ୍ ପତନ ଧାରା କାରଣରୁ ଭାରତ ମାତ୍ର ୧ ରନ୍‌ରେ ପରାଜୟ ବରଣ କରିଥିଲା।
ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍‌ (୧୯୯୬)
କ୍ରିକେଟ୍‌ରେ ଗୋଟିଏ ବଂଶ ପରମ୍ପରା ଅନ୍ୟଟିକୁ ଗଡୁଥିବା ବେଳେ ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍‌ ସେମିଫାଇନାଲ୍ ରୋମାଞ୍ଚକ ଥିଲା। ପୁନଃ ଉଦିତ ୱେଷ୍ଟଇଣ୍ଡିଜର ବିଦାୟ ସହିତ ରିଚି ରିଚାର୍ଡସନ୍‌ଙ୍କ ଖେଳ ଜୀବନ ମଧ୍ୟ ଶେଷ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୧୫/୪ରେ ସଂଘର୍ଷ କରୁଥିବା ବେଳେ ଷ୍ଟୁଆର୍ଟ ଲ ଏବଂ ମାଇକେଲ୍ ବେଭାନ୍‌ ଦଳକୁ ୨୦୭ରେ ପହଞ୍ଚାଇଥିଲେ। ଶିବନାରାୟଣ ଚନ୍ଦରପଲଙ୍କ ବଳରେ ଇଣ୍ଡିଜ୍ ୧୬୫/୨ ସ୍ଥିତିରେ ଥିଲା। ହଠାତ୍‌ କିନ୍ତୁ ଦଳ ୨୯ ରନ୍‌ ଭିତରେ ଅବଶିଷ୍ଟ ୱିକେଟ୍ ହରାଇ‌ ‌ଦେବାରୁ ୯ ବ‌ର୍ଷ ପରେ ଅଷ୍ଟ୍ରେଲିଆ ଫାଇନାଲ୍ ପହଞ୍ଚିଯାଇଥିଲା।
ଅଷ୍ଟ୍ରେଲିଆ-ଦକ୍ଷିଣ ଅଫ୍ରିକା (୧୯୯୯)
ଗୋଟିଏ ଓଭରରୁ ୯ ରନ୍‌ ଆବଶ୍ୟକ କରୁଥିବା ଦକ୍ଷିଣ ଆଫ୍ରିକାକୁ ଏହି ସହଜ ସମୀକରଣ ବିଶ୍ବକପ୍‌ ଫାଇନାଲରୁ ବଞ୍ଚିତ ରଖିଥିଲା। ନାଟକୀୟ ମୋଡ ସହିତ ଦକ୍ଷିଣ ଆଫ୍ରିକା ହାରିଯାଇଥିଲା। ସନ୍ ପୋଲକ (୫/୩୬) ଅଷ୍ଟ୍ରେଲିଆକୁ ୨୧୩ ରନ୍‌ରେ ସୀମିତ ରଖିଥିଲେ। ଲାନ୍ସ କ୍ଲୁଜନର୍‌ ଏବଂ ଆଲାନ୍ ଡୋନାଲଡଙ୍କୁ ଶେଷ ବଲରୁ ୧ ରନ୍ ଆବଶ୍ୟକ ପଡ଼ିଥିବା ବେଳେ ଶେଷ ୱିକେଟ୍‌ ଥିଲା। କ୍ଲୁଜନରଙ୍କ ଡାକରା ଶୁଣି ନ ପାରି ଡୋନାଲ୍ଡ ରନ୍‌ ଆଉଟ୍ ହେବାରୁ ମ୍ୟାଚ୍‌ ଟାଇ ହୋଇଯାଇଥିଲା। ସୁପର୍ ସିକ୍ସରେ ଉପରେ ଥିବାରୁ ଅଷ୍ଟ୍ରେଲିଆ ଆଗେଇ ଯାଇଥିଲା।
ଭାରତ-ପାକିସ୍ତାନ (୨୦୦୩)
ଭାରତ ଏବଂ ପାକିସ୍ତାନର ବିଶ୍ବକପ୍‌ ମୁକାବିଲା ସବୁବେ‌ଳେ ରୋମାଞ୍ଚର ପ୍ରତିଶ୍ରୁତି ରଖିଥାଏ। ସେଞ୍ଚୁରିଅନ୍‌ରେ ‌ସଇଦ୍ ଅନୱାରଙ୍କ ଶତକ ବଳରେ ପାକିସ୍ତାନ ୨୭୩/୭ ସ୍କୋର୍ କରିଥିଲା। ଜବାବରେ ସଚିନ ତେନ୍ଦୁଲକର (୯୮, ୭୫ ବଲ୍‌) ନିଜ ଅନ୍ୟତମ ଶ୍ରେଷ୍ଠ ଦିନିକିଆ ପାଳି‌ ଖେଳି ଭାରତକୁ ବିଜୟ ମୁହାଁ କରିଥିଲେ। ସଚିନଙ୍କୁ ଶତକରୁ ବଞ୍ଚିତ ରଖି ସୋଏବ ଅଖତର୍ ପ୍ରତିଶୋଧ ନେଇଥିଲେ ମଧ୍ୟ ଯୁବରାଜ ସିଂହଙ୍କ ଦ୍ରୁତ ୫୦ ରନ୍ ଭାରତକୁ ୬ ୱିକେଟ୍‌ରେ ବିଜୟୀ କରାଇଥିଲା। ପୂର୍ବରୁ ସଚିନଙ୍କ ସହିତ ବୀରେନ୍ଦ୍ର ସେହବାଗ (୨୧, ୧୪ ବଲ) ପ୍ରଥମ ୱିକେଟ୍‌ରେ ୩୪ ବଲ୍‌ରୁ ୫୩ ରନ୍ ଉଠାଇ ଭଲ ମୂଳଦୁଆ ମଧ୍ୟ ପକାଇଥିଲେ।
ଇଂଲଣ୍ଡ-ଆୟର୍ଲାଣ୍ଡ୍‌ (୨୦୧୧)
କେଭିନ୍ ଓ’ବ୍ରାଏନ ତାଙ୍କ ପୂର୍ବ ୯ ବିଶ୍ବକପ୍‌ ମ୍ୟାଚ୍‌ରେ ଅର୍ଧଶତକଟିଏ ବି ମାରିନଥିଲେ। କିନ୍ତୁ‌ ସେଦିନ ବିସ୍ଫୋରକ ଶତକ (୧୧୩, ୬୩ ବଲ୍‌, ୧୩ ଚୌକା, ୬ ଛକା) ବଳରେ ଇଂଲଣ୍ଡର ୩୨୭/୮କୁ ପଛରେ ପକାଇ ଦେଇଥିଲେ। ବିଶ୍ବକପ୍‌ ଇତିହାସର ଦ୍ରୁତତମ ଶତକ ସହିତ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିଲା ଆୟର୍ଲାଣ୍ଡ୍। ଆଇରିସ୍ କ୍ରିକେଟ୍ ଇତିହାସରେ ଏହା ସ୍ବର୍ଣ୍ଣାକ୍ଷରରେ ଲିବିପଦ୍ଧ ରହିଛି। କେଭିନ୍ ପିଟରସନ୍, ଇଆନ୍‌ ବେଲ ଏବଂ ୟୋନାଥନ୍ ଟ୍ରଟଙ୍କ ପାଳି ବଳରେ ଇଂଲଣ୍ଡ ବଡ଼ ସ୍କୋର କରିଥିଲେ ମଧ୍ୟ ଏହା ‌ଶେଷକୁ ଯଥେଷ୍ଟ ହୋଇନଥିଲା।
ଇଂଲଣ୍ଡ-ଭାରତ (୨୦୧୧)
୮ ବର୍ଷ ତଳେ ଭାରତ ଏବଂ ଇଂଲଣ୍ଡ ବାଙ୍ଗାଲୋର୍ ବିଶ୍ବକପ୍‌ ମ୍ୟାଚ୍ ଟାଇ ରହିବାର ରୋମାଞ୍ଚକୁ କେହି ଭୁଲି ପାରିନାହାନ୍ତି। ସଚିନ ତେନ୍ଦୁଲକରଙ୍କ ୧୨୦ ରନ୍ ବଳରେ ଭାରତ ୩୩୮ ରନ୍ କରିଥିଲା। ଆଣ୍ଡ୍ରିଉ ଷ୍ଟ୍ରସଙ୍କ ୧୫୮ ରନ୍‌ ପରେ ଗ୍ରେମ୍ ସ୍ବାନ୍ ଏବଂ ଆଜମଲ୍ ସେହଜାଦ ଇଂଲଣ୍ଡକୁ ରୋମାଞ୍ଚକ ଟାଇ ପ୍ରଦାନ କରିଥିଲେ। ଏହା ଲିଗ୍ ମ୍ୟାଚ୍‌ ଥିଲା।
ନ୍ୟୁଜିଲାଣ୍ଡ୍‌-ଦକ୍ଷିଣ ଆଫ୍ରିକା (୨୦୧୫)
ଅକଲାଣ୍ଡ ସେମିଫାଇନାଲ୍‌ ଲଢ଼େଇରେ ପୁଣି ଏକ ପରୀକ୍ଷାରେ ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ଫାପ ଡୁ‌ ପ୍ଲେସିସ୍‌ ଏବଂ ଏବି ଡି’ଭିଲିୟର୍ସଙ୍କ ବଳରେ ୨୮୧/୫ ସ୍କୋର୍‌ କରିଥିଲା। ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମଙ୍କ ୨୬ ବଲ୍‌ ୫୯ ରନ୍‌ ପରେ ଘରୋଇ ଦଳର କିଛି ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତନ କରିଥିଲା। ଗ୍ରାଣ୍ଟ୍ ଏଲିଅଟ୍‌ଙ୍କ ଧୂଆଁଧାର ୮୪ ରନ୍ ପୁଣି ଥରେ ଦକ୍ଷିଣ ଆଫ୍ରିକାକୁ ଅଟକାଇଥିଲା। ଦୁଇଟି ବଲରୁ ୫ ରନ୍ ଆବଶ୍ୟକ ପଡୁଥିବା ବେଳେ ଡେଲ୍ ଷ୍ଟେନଙ୍କୁ ମିଡ୍ ଅନ୍ ଉପରେ ଛକା ମାରି ଦକ୍ଷିଣ ଆଫ୍ରିକା ଆଶାରେ ପାଣି ଭରି ଦେଇଥିଲେ।

ସମ୍ବନ୍ଧିତ ଖବର