ଶୀର୍ଷ ୪ ଉପରେ ଭାରତ ମା‌ତ୍ରାଧିକ ନିର୍ଭରଶୀଳ

-ଗ୍ରେମ୍ ସ୍ମିଥ୍-

ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ନିଃସନ୍ଦେହରେ କଠିନ ସମୟ ଆସିଯାଇଛି। ସେମାନଙ୍କ ଅଭିଯାନ ଏବେ ସୀମା ରେଖାରେ ରହିଛି। ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ ବାସ୍ତବିକ ଭାରତ ବିପକ୍ଷରେ ଆସି ନପାରେ। ସେଥିପାଇଁ ସେମାନଙ୍କୁ ଏହା ପରର ୬ରୁ ୬ ମୁକାବିଲା ଜିତିବାକୁ ପଡ଼ିବ। ଏହା ହେଲେ ହିଁ ସେମାନେ ସେମିଫାଇନାଲ୍ ଖେଳି ପାରିବେ। ଇଂଲଣ୍ଡରେ ସେମାନଙ୍କର ଅନ୍ୟୁନ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିଦୃଷ୍ଟିରୁ ସେମାନେ ସେମିଫାଇନାଲ୍ ଯିବାର ଆଶା ‌ବହୁତ କମ୍। ପରାଜୟର ଭୟ ମଧ୍ୟ ସେମାନଙ୍କୁ ପଛରୁ ଟାଣିବ। ଭାରତ ଭଳି ବୋଲିଂ ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅସ୍ତ୍ର। ତଥାପି ସେମାନେ ପ୍ରଥମ ଦୁଇ ମୁକାବିଲାରେ ନୈରାଶ୍ୟଜନକ ବୋଲିଂ କଲେ। ଏନ୍‌ଗିଡ଼ିଙ୍କ ପରେ ଦକ୍ଷିଣ ଆଫ୍ରିକା ଷ୍ଟେନଙ୍କୁ ବି ହରାଇଛି। ଭାରତ କଥା ବିଚାରକୁ ନେଲେ କାଗଜ କଲମରେ ସେମାନେ ଦକ୍ଷିଣ ଆଫ୍ରିକା ସହ ପ୍ରାୟ ସମାନ। ମୋ ମତରେ ଭାରତ ନିଜ ଶୀର୍ଷ ୪ ଖେଳାଳିଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବ। ଶୀର୍ଷକ୍ରମ ବିଫଳ ହେଲେ ଧୋନିଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ପଡ଼ିବ। କୋହଲି ଗତ ଗ୍ରୀଷ୍ମ ଋତୁରେ ବହୁତ ଭଲ ଖେଳିଥିଲେ। ତାଙ୍କୁ ଅଟକାଇବାର ଯୋଜନା ଦକ୍ଷିଣ ଆଫ୍ରିକାକୁ ଆଗୁଆ ପ୍ରସ୍ତୁତ କରି ରଖିବାକୁ ହେବ। ଧଳା ବଲ୍ କ୍ରିକେଟ୍‌ରେ ଗତ କିଛି ବର୍ଷ ହେବ ସ୍ପିନ୍ ଭାରତର ପ୍ରମୁଖ ଅସ୍ତ୍ର ହୋଇ ଆସିଛି। ଯଶପ୍ରୀତ ବୁମରା, ମହମ୍ମଦ ସାମି, ଭୁବନେଶ୍ବର କୁମାରଙ୍କ ରୂପରେ ସେମାନଙ୍କ ପେସ୍ ବାହିନୀ‌ରେ ବି ବିବିଧତା ରହିଛି। ମୁଁ ଆଶା କରୁଛି ଭାରତ ଉଭୟ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କୁ ଖେଳାଇବ। ହେଲେ ବ୍ୟାଟିଂ ଗଭୀରତା ପାଇଁ ସେମାନେ ଜାଦେଜାଙ୍କ ସପକ୍ଷରେ ଯାଇ ପାରନ୍ତି। ଦକ୍ଷିଣ ଆଫ୍ରିକା ବହୁତ ଖରାପ ଖେଳିଛି। ଦଳ ଚୟନ ମଧ୍ୟ ସେମାନଙ୍କ ପାଇଁ ସହଜ ହେବନି। ବଡ଼ ଖେଳାଳିମାନେ ଭଲ ଖେଳି ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ଦକ୍ଷିଣ ଆଫ୍ରିକାର ପ୍ରମୁଖ ଅସ୍ତ୍ର ହୋଇପାରେ।

ସମ୍ବନ୍ଧିତ ଖବର