ଶ୍ରେଷ୍ଠ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ

ଲଣ୍ଡନ: ଚଳିତ ବିଶ୍ବକପ୍‌ରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ହିଁ ଆୟୋଜକ ଇଂଲଣ୍ଡ୍‌ ବେନ୍‌ ଷ୍ଟୋକ୍‌ସଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ପରାସ୍ତ କରିଦେଇଥିଲା। ଏହି ମ୍ୟାଚ୍‌ରେ ଷ୍ଟୋକ୍‌ସ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣରେ ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂରେ ସେ ୮୯ ରନ୍‌ (୭୯ ବଲ୍‌, ୯ ଚୌକା) କରିବା ପରେ ବୋଲିଂରେ ୨ ୱିକେଟ୍‌ ଦଖଲ କରିଥିଲେ। ପୁଣି ସେ ଗୋଟିଏ କ୍ୟାଚ୍‌ ନେବା ସାଙ୍ଗକୁ ଗୋଟିଏ ରନ୍‌ ଆଉଟ୍‌ କରିବାରେ ମଧ୍ୟ ଭାଗୀଦାରି ଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ୨.୫-୦-୧୨-୨। ଫଳରେ ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାତେଇଥିଲେ। ଏହାକୁ ବିଶ୍ବକପ୍‌ର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଭାବେ ବିବେଚନା କରାଯାଇଛି। ବାଂଲାଦେଶର ସକିବ୍‌ ଅଲ୍‌ ହାସନ ମଧ୍ୟ ଚଳିତ ବିଶ୍ବକପ୍‌ରେ ତାଙ୍କ ଚମକ ଛାଡ଼ିବାରେ ଲାଗିଛନ୍ତି। ବିଶ୍ବକପ୍‌ ଇତିହାସରେ ନିଜର ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ସ୍ମରଣୀୟ ବିଜୟ ଦେଇଥିବା ଅନ୍ୟ ତାରକାଙ୍କ ଉପରେ ଆସନ୍ତୁ ନଜର ପକାଇନେବା।

ଷ୍ଟୋକ୍‌ସ ଓ ଡି’ ସିଲ୍‌ଭାଙ୍କ ଭଳି ବିଶ୍ବକପ୍‌ରେ ଶ୍ରେଷ୍ଠ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଦେଇଥିବା ଆଉ ଜଣେ ଖେଳାଳି ହେଲେ ଅଷ୍ଟ୍ରେଲିଆର ଆଣ୍ଡି ବିକେଲ୍‌। ଜାସନ୍‌ ଜିଲେସ୍ପି ଆହତ ହେବା ଯୋଗୁଁ ୨୦୦୩ ବିଶ୍ବକପ୍‌ରେ ବିକେଲ୍‌ଙ୍କୁ ସୁଯୋଗ ମିଳିଥିଲା। ତେବେ ଇଂଲଣ୍ଡ୍‌ ବିପକ୍ଷ ଏକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ସୁଯୋଗକୁ ହାତଛଡ଼ା କରିବାକୁ ଦେଇନଥିଲେ। ଏକ ସମୟରେ ଇଂଲଣ୍ଡ୍‌ ୬୬/୦ରେ ଥିଲା ବେଳେ ବିକେଲ୍‌ ଝଡ଼ ଆରମ୍ଭ ହୋଇଥିଲା। ନିକ୍‌ ନାଇଟ୍‌ଙ୍କଠୁ ଆରମ୍ଭ କରିଥିବା ବିକେଲ୍‌ ସେହି ମ୍ୟାଚ୍‌ରେ ଇଂଲଣ୍ଡର ୭ ଜଣ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଶିକାର କରିଥିଲେ। ଫଳରେ ଇଂଲଣ୍ଡ ୨୦୪/୮ରେ ଅଟକି ଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ୧୩୫ ରନ୍‌ରେ ୮ ୱିକେଟ୍‌ ହରାଇ ବିପର୍ଯ୍ୟୟର ସାମ୍‌ନା କରିଥିଲା। ଏପରିକି ଦଳ ପରାଜୟ ନିଶ୍ଚିତ ଜଣାପଡୁଥିଲା। ତେବେ ମାଇକେଲ ବେଭାନ୍‌ (୭୪*)ଙ୍କ ସହ ସାଥୀ ହୋଇ ବିଚେଲ ଅପରାଜିତ ୩୪ ରନ୍‌ କରିବା ସହିତ ଅଷ୍ଟ୍ରେଲିଆକୁ ୨ ୱିକେଟ୍‌ର ସ୍ମରଣୀୟ ବିଜୟ ଭେଟି ଦେଇଥିଲେ।

ଭାରତୀୟ ତାରକା ଯୁବରାଜ ସିଂହ ମଧ୍ୟ ବିଶ୍ବକପ୍‌ରେ ତାଙ୍କ ଶ୍ରେଷ୍ଠ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଛାଡ଼ିଥିଲେ। ୨୦୧୧ ବିଶ୍ବକପ୍‌ ଦଳରେ ଭାରତ ପକ୍ଷରୁ ସେ ଜଣେ କାମଚଳା ବିକଳ୍ପ ବୋଲର ଭାବେ ରହିଥିଲେ। ହେଲେ ଜଣେ ଆଗଧାଡ଼ିର ସ୍ପିନରଙ୍କ ଭଳି ବୋଲିଂ କରି ସେହି ବିଶ୍ବକପ୍‌ର ଆୟର୍ଲାଣ୍ଡ୍‌ ବିପକ୍ଷ ଏକ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ୩୧ ରନ୍‌ ଦେଇ ୫ ୱିକେଟ୍‌ ଦଖଲ କରିନେଇଥିଲେ। ଏହି ବୋଲିଂ ଚିତ୍ର ମଧ୍ୟ ବିଶ୍ବକପ୍‌ରେ କୌଣସି ବି ଭାରତୀୟ ସ୍ପିନରଙ୍କ ତୁଳନାରେ ଶ୍ରେଷ୍ଠ ଥିଲା। ତାଙ୍କ ଯାଦୁଗରି ବୋଲିଂ ଯୋଗୁଁ ଆୟର୍ଲାଣ୍ଡ୍‌ ପାଳି ୨୦୭ରେ ସୀମିତ ରହିଥିଲା। ଏହାପରେ ବ୍ୟାଟିଂରେ ଯୁବରାଜ ଅପରାଜିତ ଅର୍ଧଶତକୀୟ ପାଳି ଖେଳି ଭାରତକୁ ୫ ୱିକେଟ୍‌ର ବିଜୟ ଭେଟି ଦେଇଥିଲେ। ସେ ମଧ୍ୟ ବିଶ୍ବକପ୍‌ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ୫ ୱିକେଟ୍‌ ଦଖଲ କରିବା ସାଙ୍ଗକୁ ଅର୍ଧଶତକ ହାସଲ କରିବାରେ ପ୍ରଥମ ଏବଂ ଏକମାତ୍ର ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର