କୋହଲି ବାହିନୀ ପାଇଁ କଠିନ ପରୀକ୍ଷା: ନ୍ୟୁଜିଲାଣ୍ଡକୁ ନହରାଇଲେ ସ୍ବପ୍ନ ପାଲଟିପାରେ ସେମିଫାଇନାଲ୍

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍ ଦଳ ଆଉ ଏକ କଠିନ ପରୀକ୍ଷାର ସମ୍ମୁଖୀନ ହେବ। ପ୍ରଥମ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଶୋଚନୀୟ ଭାବେ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିବା ଭାରତ ରବିବାର ଆଇସିସି ପ୍ରତିଯୋଗିତାରେ ସବୁବେଳେ ତା’ ଉପରେ ଭାରୀ ପଡ଼ୁଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ଅନୁରୂପ ଭାବେ ନ୍ୟୁଜିଲାଣ୍ଡ ତା’ର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିବାକୁ ହେଲେ ତାକୁ ଏହି ମ୍ୟାଚ୍ ଜିତିବାକୁ ହେବ। କାରଣ ବିଶ୍ବକପ୍‌ର ପରବର୍ତ୍ତୀ ତିନିଟି ମ୍ୟାଚ୍‌ରେ ଉଭୟ ଦଳ ସ୍କଟଲାଣ୍ଡ, ନାମିବ୍ୟା ଓ ଆଫଗାନିସ୍ତାନକୁ ଭେଟିବେ। ଏମାନଙ୍କ ମଧ୍ୟରୁ ଆଫ୍‌ଗାନିସ୍ତାନ ଯେକୌଣସି ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ‌ତେବେ ନିଜ ଅଭିଜ୍ଞତା ତଥା ଖେଳାଳିଙ୍କ ଦକ୍ଷତା ଓ ସାମର୍ଥ୍ୟ ଦୃଷ୍ଟିରୁ ଭାରତ ଓ ନ୍ୟୁଜିଲାଣ୍ଡ ଏମାନଙ୍କୁ ହରାଇ ଦେବାର ସମ୍ଭାବନା ଅଧିକ। ସେହିଦୃଷ୍ଟିରୁ ରବିବାର ମ୍ୟାଚ୍‌କୁ ଯିଏ ଜିତିବ, ତା’ର ‌ସେମିଫାଇନାଲ୍ ଖେଳିବା ସମ୍ଭାବନା ୮୦ରୁ ୯୦ ପ୍ରତିଶତ ନିଶ୍ଚିତ ହୋଇଯିବ। ପୂର୍ବରୁ ପାକିସ୍ତାନ ଆପାତତଃ ସେମିଫାଇନାଲ୍ ଟିକେଟ ପାଇସାରିଥିବାରୁ ଗୁପ୍-୨ର ବଳକା ଗୋଟିଏ ସ୍ଥାନ ପାଇଁ ଭାରତ ସମେତ ଅନ୍ୟ ୪ ଦଳ ମଧ୍ୟ ଦୌଡ଼ରେ ରହିଛନ୍ତି। ଭାରତ ଭଳି ନ୍ୟୁଜିଲାଣ୍ଡ ବି ନିଜ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ହାରିଛି। ଏଣୁ ଦୁଇଟି ଯାକ ଦଳ ବିଜୟଧାରାକୁ ଫେରିବା ସହ ପଏଣ୍ଟ୍‌ ଖାତା ଖୋଲିବାକୁ ଆପ୍ରାଣ ଉଦ୍ୟମ କରିବେ। ସେହିଭଳି ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାରେ ଲଗାତାର ପରାଜୟର ଅପଯଶକୁ ଏଡ଼ାଇବାକୁ ନିଜ ନିଜର ସମସ୍ତ ଶକ୍ତି ଖଟାଇଦେବେ।

ଭାରତର ୧୮ ବର୍ଷର ଅପେକ୍ଷା
ଆଇସିସି ପ୍ରତିଯୋଗିତାଗୁଡ଼ିକର କଥା ବିଚାରକୁ ନେଲେ ସ୍ପଷ୍ଟ ହୋଇଯାଏ ଯେ ଅଣ୍ଡରଡଗ୍ ନ୍ୟୁଜିଲାଣ୍ଡ ଗତ ୧୮ ବର୍ଷ ହେବ ଭାରତକୁ ପାଣି ପିଆଇ ଆସୁଛି। ଅର୍ଥାତ୍ ୨୦୦୩ ଏକଦିବସୀୟ ବିଶ୍ବକପ୍ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ହରାଇ ପାରିନି। ନିକଟ ଅତୀତ କଥା କହିଲେ ଇଂଲଣ୍ଡରେ ଆୟୋଜିତ ୨୦୧୯ ଏକଦିବସୀୟ ବିଶ୍ବକପ୍ ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ନ୍ୟୁଜିଲାଣ୍ଡ ସଫଳତାର ସହ ତାରକା ଖଚିତ ଭାରତକୁ ଚିତ୍ କରିସାରିଛି। ଟ୍ବେଣ୍ଟି-୨୦ କ୍ରିକେଟ୍ କଥା ପଡ଼ିଲେ ଏଥିରେ ବି ଭାରତଠାରୁ ନ୍ୟୁଜିଲାଣ୍ଡ ଆଗୁଆ ରହିଛି। ଉଭୟ ଦଳ ୧୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ସେଥିରୁ ୮ ମ୍ୟାଚ୍ ଜିତିଥିଲା ବେଳେ ଭାରତ ୬ ମୁକାବିଲାରେ ବିଜୟୀ ହୋଇଛି।

ପାଣ୍ଡ୍ୟା, ଭୁବି ଓ ସୂର୍ଯ୍ୟଙ୍କ ଉପରେ ନଜର
ପାକିସ୍ତାନ ବିପକ୍ଷରେ ଭାରତ ସବୁକ୍ଷେତ୍ରରେ ବିଫଳ ହୋଇଥିଲା। ଓପନରଙ୍କ ସହ ମଧ୍ୟକ୍ରମ ଏବଂ ବୋଲିଂ ବାହିନୀ ନିରାଶ କରିଥିଲା। ବିଶେଷ କରି ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦି ଆରମ୍ଭରୁ ଭାରତର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ନ୍ୟୁଜିଲାଣ୍ଡ ପାଖରେ ଟ୍ରେଣ୍ଟ ବୋଲ୍ଟଙ୍କ ରୂପରେ ଜଣେ ବିଶ୍ବସ୍ତରୀୟ ବାମହାତୀ ବୋଲର ଅଛନ୍ତି। ତାଙ୍କୁ ସଫଳତାର ସହ ସମ୍ମୁଖୀନ ନହେଲେ ଭାରତ ପୁଣି ଥରେ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଆଶଙ୍କା ଅଧିକ। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଯୁବ ତାରକା ସୂର୍ଯ୍ୟକୁମାର ଯାଦବ ଏବଂ ଦ୍ରୁତ ବୋଲର ଭୁବନେଶ୍ବର କୁମାର (ଯଦି ଚୂଡ଼ାନ୍ତ ଦଳରେ ରୁହନ୍ତି) ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ଭାରତ ପାଇଁ ଭଲ କଥା ହେଲା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଓପନର ମାର୍ଟିନ ଗପ୍ଟିଲ ଶତପ୍ରତିଶତ ଫିଟ୍ ନାହାନ୍ତି। ‌ଲୋକି ଫର୍ଗୁସନ୍ ମଧ୍ୟ ଦଳରେ ନାହାନ୍ତି। ସେପଟେ ବ୍ୟକ୍ତିଗତ ଭାବେ ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ବ ରହିବ। ଆଉ ଗୋଟିଏ ଖରାପ ପ୍ରଦର୍ଶନ ଦେଲେ ଦଳରେ ତାଙ୍କ ସ୍ଥାନ ଦୋହଲିଯିବ। ସେହିଭଳି ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ ସହ ପାକିସ୍ତାନ ବିପକ୍ଷରେ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ସୂର୍ଯ୍ୟକୁମାରଙ୍କ ଉପରେ ମଧ୍ୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ସହ ବିଶେଷଜ୍ଞଙ୍କର କଟାକ୍ଷ ନଜର ରହିବ। ଭାରତ କିନ୍ତୁ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି କୋହଲି ସଙ୍କେତ ଦେଇଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ ବଡ଼ ଧରଣର ଅଦଳ ବଦଳ ଆଶା କମ୍ ରହିଛି।

ଟସ୍‌ର ବଡ଼ ଭୂମିକା
ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ପୁନର୍ବାର ଟସ୍ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାର ସମ୍ଭାବନା ଅଧିକ। ପାକିସ୍ତାନ ବିପକ୍ଷରେ କୋହଲି ଟସ୍ ହାରିବା କ୍ଷଣ ହିଁ ପ୍ରତିପକ୍ଷ ଅଧିନାୟକ ବାବର ଆଜମ ଭାରତକୁ ବ୍ୟାଟିଂ କରିବାକୁ ଡାକିଥିଲେ। ରାତିରେ ଭାରତୀୟ ବୋଲରମାନେ ସଂଘର୍ଷ କରିବା ସହ ପାକିସ୍ତାନ ସହଜ ବିଜୟ ହାସଲ କରିଥିଲା। ଏଣୁ କୋହଲିଙ୍କୁ ରବିବାର ଟସ୍ ବେଳେ ଭାଗ୍ୟଶାଳୀ ହେବାକୁ ହେବ। ନଚେତ ନ୍ୟୁଜିଲାଣ୍ଡ ଫାଇଦାରେ ରହିବ।

ସମ୍ଭାବ୍ୟ ଭାରତ: କେଏଲ୍ ରାହୁଲ,‌ ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର/ଶାର୍ଦୁଳ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଟିମ୍ ସେଫର୍ଟ, କେନ୍ ୱିଲିୟମସନ୍, ଡେଭନ୍ କନୱେ, ଗ୍ଲେନ୍ ଫିଲିପ୍ସ, ଜିମ୍ମି ନୀସାମ, ମିଚେଲ ସାଣ୍ଟନର, ଡାରେଲ ମିଚେଲ, ଟିମ୍ ସାଉଦି, ଈଶ୍ ସୋଢ଼ୀ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର