ଭୁବନେଶ୍ବର : ଟାଉନ କ୍ଲବ୍ ପକ୍ଷରୁ ଆୟୋଜିତ ୧୫ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଦ୍ବିତୀୟ ଦଳ ଭାବେ ରାମେଶ୍ବର ସ୍ପୋର୍ଟିଂ ପ୍ରବେଶ କରିଛି। ଆସନ୍ତାକାଲି ଫାଇନାଲ୍ରେ ଏହି ଦଳ ଟାଉନ୍ କ୍ଲବ୍-ଏକୁ ଭେଟିବ। ଶନିବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ରାମେଶ୍ବର ୭ ୱିକେଟ୍ରେ ପାରାମାଉଣ୍ଟ ସ୍ପୋର୍ଟିଂକୁ ହରାଇଥିଲା। ଟସ୍ ଜିତି ବ୍ୟାଟିଂ କରିଥିବା ପାରାମାଉଣ୍ଟ ନିର୍ଦ୍ଧାରିତ ୨୫ ଓଭରରେ ୬ ୱିକେଟ୍ ହରାଇ ୯୭ ରନ୍ କରିଥିଲା। ସେଖ୍ ନକିବ ସରବେର ୧୯ ରନ୍ କରିଥିଲା ବେଳେ ରାମେଶ୍ବରର ସମ୍ବିତ କୁମାର ବେଜ ଓ ଶୁଭାଶିଷ ମଲ୍ଲିକ ୨ ୱିକେଟ୍ ଲେଖାଏଁ ନେଇଥିଲେ।
ଜବାବରେ ରାମେଶ୍ବର ସ୍ପୋର୍ଟିଂ ୨୦.୨ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ସମ୍ବିତ କୁମାର ବେଜ ଅପରାଜିତ ୪୦, ଶୁଭ୍ରଜିତ ମିଶ୍ର ୨୬ ଓ ଶୁଭାଶିଷ ମଲ୍ଲିକ ୨୧ ରନ୍ କରିଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ବିତ କୁମାର ବେଜଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳଳି ପୁରସ୍କାର ମିଳିଥିଲା। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦୌଡ଼କୁଦ ପ୍ରଶିକ୍ଷକ ସୁଧାଂଶୁ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍କୁ ରାକେଶ କୁମାର ବାରିକ ଓ ଗିରିଜା ମିଶ୍ର ପରିଚାଳନା କରିଥିଲେ।