ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ସର୍ବପୁରାତନ ଅନୁଷ୍ଠାନ ଟାଉନ୍ କ୍ଲବ୍‌ ପକ୍ଷରୁ ଚାଲିଥିବା ପ୍ରଥମ ୧୫ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ସୋମବାର ରାମେଶ୍ବର ସ୍ପୋର୍ଟିଂ ଏବଂ ଶେଖର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ରାମେଶ୍ବର ଦଳ ୨୧ ରନ୍‌ରେ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିକୁ ଏବଂ ଶେଖର ସ୍ପୋର୍ଟିଂ ୨୩ ରନ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଥିଲା।
ପ୍ରଥମ ମ୍ୟାଚ୍‌ରେ ରା‌ମେଶ୍ବର ୨୪.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା। ସମ୍ବିତ କୁମାର ବେଜ ୪୯ ଓ ଶୁଭାଶିଷ ମଲ୍ଲିକ ୪୧ ରନ୍‌ କରିଥିଲେ। ଗ୍ରିନ୍ସ ପକ୍ଷରୁ ପି ସୌମ୍ୟରାଜ ୪ ୱିକେଟ୍‌, ଅଭିଷେକ ସେନାପତି ଓ ବୈଭବ ମହାନ୍ତି ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଗ୍ରିନ୍ସ ଦଳ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ୍‌ ହରାଇ ୧୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ରାମେଶ୍ବରର ଶୁଭକାନ୍ତ ପରିଡ଼ା, ଜଗଦୀଶ ମହାପାତ୍ର ଓ ସମ୍ବିତ ବେଜ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡର ପ୍ରଦର୍ଶନ ପାଇଁ ସମ୍ବିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ପୂର୍ବତନ ରଣଜୀ ଅଧିନାୟକ ତଥା ଚୟନକର୍ତା ପ୍ରଭଞ୍ଜନ ମଲ୍ଲିକ ପ୍ରଦାନ କରିଥିଲେ।

Advertisment

ଦ୍ବିତୀୟ ମ୍ୟାଚ୍‌ରେ ଶେଖର ସ୍ପୋର୍ଟିଂ ୪ ୱିକେଟ୍‌ ହରାଇ ୧୪୭ ରନ୍‌ କରିଥିଲା। ଆୟାନ ନାୟକ ୪୮ ଓ ଈଶାନ ରାଜ ମହାପାତ୍ର ୩୫ ରନ୍‌ କରିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ପ୍ରିୟ ରଂଜନ ନାୟକ ୨ଟି ୱିକେଟ୍‌ ନେଇଥିଲେ। ୧୪୮ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ସହିଦ ସ୍ପୋର୍ଟିଂ ୨୪.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୪ ରନ୍‌ କରିଥିଲା। ତନ୍ମୟ ସାହୁ (୫୦*) ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ। ଶେଖର ସ୍ପୋର୍ଟିଂ ପକ୍ଷରୁ ଈଶାନ ୭ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଈଶାନ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଶିଷ୍ଟ ବ୍ୟାବସାୟୀ ତଥା ୟୁଟୁବର୍‌ ରାହୁଲ ଜେନା ଏହି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ବିଶାଳ କର, ପ୍ରତୀକ ସ୍ମିତ ଦାସ, ଦୀପ୍ତି ଜେନା, ଅଶ୍ବିନ ମହାପାତ୍ର ପରିଚାଳନା କରିଥିଲେ।