ଟ୍ରାକ୍‌ ଏସିଆ କପ୍‌ରେ ସ୍ୱସ୍ତିଙ୍କୁ ସ୍ୱର୍ଣ୍ଣ

ରାଉରକେଲା: ନୂଆଦିଲ୍ଲୀରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟ୍ରାକ୍‌ ଏସିଆ ସାଇକେଲ ଚାଳନା ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ରାଉରକେଲା ଝିଅ ସ୍ୱସ୍ତି ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ସାଇକେଲ ଚାଳନା ମହାସଂଘ ପକ୍ଷରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ୱସ୍ତି ୧୮ ବର୍ଷରୁ କମ୍‌ ବାଳିକା ୨ କିଲୋମିଟର ବ୍ୟକ୍ତିଗତ ପର୍ସ୍ୟୁଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତାରେ ସ୍ୱତନ୍ତ୍ର ଆମନ୍ତ୍ରିତ ଦଳ ଭାବେ ଅଂଶ ଗ୍ରହଣ କରୁଥିବା ସାଇ ନ୍ୟାସ୍‌ନାଲ୍‌ ସାଇକେଲିଂ ଏକାଡେମିର ଦାନାମ୍ମା ଚିନ୍‌ଚାଖ୍‌ ସ୍ୱସ୍ତିଙ୍କ ପଛକୁ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ରବିବାର ଶେଷ ହେଉଥିବା ଟ୍ରାକ୍‌ ଏସିଆ କପ୍‌ ସାଇକେଲିଂ ପ୍ରତିଯୋଗିତାରେ ୧୨ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତା ଆଧାରରେ ବିଜେତାମାନେ ସାଇକେଲ ଚାଳନା ବିଶ୍ୱକପ୍‌, ବିଶ୍ୱ ପ୍ରତିଯୋଗିତା ଓ ୨୦୨୦ ଟୋକିଓ ଅଲମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଦ୍ୱିତୀୟ ଦିନର ଶେଷ ସୁଦ୍ଧା ଭାରତ ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହିତ ଶୀର୍ଷ ସ୍ଥାନରେ ରହିଛି। ସ୍ୱସ୍ତି ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଛନ୍ତି। ରାଉରକେଲାର ସେକ୍ଟର-୨୧ ସ୍ଥିତ ଗୁରୁ ନାନକ ଇଂଲିସ୍‌ ମିଡିୟମ୍‌ ସ୍କୁଲ୍‌ରେ ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ବାପା ଅମର ସିଂହ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟ କରନ୍ତି। ତାଙ୍କ ମା’ଙ୍କ ନାଁ ହେଉଛି ଉମା ଦେବୀ। ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗରେ କାର୍ଯ୍ୟରତ ତଥା ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସୁଶୀଲ ଦାସ ହେଉଛନ୍ତି ତାଙ୍କର ପ୍ରଥମ ପ୍ରଶିକ୍ଷକ।

ସମ୍ବନ୍ଧିତ ଖବର