କଳିଙ୍ଗ ଷ୍ଟାଡିୟମ: ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ପ୍ରଶିକ୍ଷଣ ଶିବିର, ପହଞ୍ଚିଲା ମହିଳା ଦଳ

ଭୁବନେଶ୍ବର: ନଭେମ୍ବର ୧ ଏବଂ ୨ ତାରିଖରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମ ପୁଣି ଥରେ ଚଳଚଞ୍ଚଳ। ହକି ଇଣ୍ଡିଆ ଲିଗ୍, ହକି ଚାମ୍ପିଅନ୍ସ ଟ୍ରଫି, ହକି ବିଶ୍ବ ଲିଗ୍ ଫାଇନାଲ୍ସ, ହକି ବିଶ୍ବ ସିରିଜ୍, ବିଶ୍ବକପ୍ ହକି ଭଳି ବୃହତ୍ ତଥା ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳକୁ ଆତିଥେୟତା ପ୍ରଦାନ କରିବ। ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ‌ଖେଳିବ। ପୁରୁଷ ଦଳର କିନ୍ତୁ ଏଠାରେ ଖେଳିବାର ଢେର ଅଭିଜ୍ଞତା ରହିଛି। ତେବେ ଉଭୟ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଏଠାରେ ଦୁଇ ସପ୍ତାହ ଧରି ପ୍ରଶିକ୍ଷଣ ଶିବିର କରିବେ। କଠୋର ଅଭ୍ୟାସ କରି ନିଜ ନିଜ ପ୍ରତିଭାକୁ ଆହୁରି ଶାଣିତ ଏବଂ ସନ୍ତୁଳିତ କରିବେ। ଦୁଇଟି ଯାକ ଦଳରେ ୨୨ ଜଣ ଲେଖାଏଁ ଖେଳାଳି ରହିଛନ୍ତି। ମହିଳା ଦଳରେ ତିନି ଜଣ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଥିଲା ବେଳେ ରବିବାର ଘୋଷିତ ସମ୍ଭାବ୍ୟ ଭାରତୀୟ ଦଳରେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କ ରୂପରେ ଦୁଇ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ପ୍ରଶିକ୍ଷଣ ଶିବିର ପ୍ରଦର୍ଶନ ଆଧାରରେ ପରବର୍ତୀ ସମୟରେ ୧୬ ଜଣିଆ ଚୂଡ଼ାନ୍ତ ଦଳ ଘୋଷଣା କରାଯିବ। ଭାରତୀୟ ମହିଳା ଦଳ ଆମେରିକା ଏବଂ ପୁରୁଷ ଦଳ ରୁଷିଆକୁ ଭେଟିବ।

ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଲାଗି ରବିବାର ଭାରତୀୟ ମହିଳା ଦଳର ଅଧିକାଂଶ ଖେଳାଳି ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କ ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସୋମବାର ମଧ୍ୟ ଆଉ କିଛି ଖେଳାଳି ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆଜି ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କାଙ୍କ ସହ ରାଣୀ, ଜ୍ୟୋତି, ଉଦିତା, ସବିତା, ଲାଲରେମସିଆମି, ନେହା ଗୋୟଲ, ନଭଜ୍ୟୋତ କୌର, ନଭନୀତ କୌର, ନିଶା, ମୋନିକା ରୀନା ଖୋଖର, ଗୁରଜିତ କୌର ଏବଂ ସୋନିକାଙ୍କ ଭଳି ଖେଳାଳି ଭୁବନେଶ୍ବର ପହଞ୍ଚିଛନ୍ତି। ଭାରତୀୟ ପୁରୁଷ ହକି ଦଳର ସହକାରୀ ପ୍ରଶିକ୍ଷକ କ୍ରିସ୍ ସିରିଏଲୋ, ରବିନ ଆର୍କେଲ ମଧ୍ୟ ଭୁବନେଶ୍ବର ପହଞ୍ଚିଥିବା ଜଣାପଡ଼ିଛି।

ସମ୍ଭାବ୍ୟ ଦଳ: ସବିତା, ରଜନୀ ଏତିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋଖର, ସାଲିମା ଟେଟେ, ଗୁରଜିତ କୌର, ଉଦିତା, ନିକି ପ୍ରଧାନ, ନିଶା, ସୁଶୀଳା ଚାନୁ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ନମିତା ଟପ୍ପୋ, ସୋନିକା, ରାଣୀ, ନଭନୀତ କୌର, ଲାଲରେମସିଆମି, ନଭଜ୍ୟୋତ କୌର, ସର୍ମିଳା ଦେବୀ, ଜ୍ୟୋତି ଓ ବନ୍ଦନା କଟାରିଆ

ପୁରୁଣା ସ୍ବପ୍ନ ପୂରଣ ହେବାକୁ ଯାଉଛି: ଦୀପଗ୍ରେସ୍
ଭାରତୀୟ ମହିଳା ହକି ଦଳର ଦକ୍ଷ ରକ୍ଷଣଭାଗ ଖେଳାଳି ଦୀପଗ୍ରେସ୍ ଏକ୍କା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ଲାଗି ରବିବାର ଭୁବନେଶ୍ବର ପହଞ୍ଚିଛନ୍ତି। ସପ୍ତାହକ ତଳେ ସଫଳ ଇଂଲଣ୍ଡ ଗସ୍ତରୁ ‌ଫେରିଥିବା ଦୀପଗ୍ରେସ୍ କଳିଙ୍ଗ ଷ୍ଟାଡିୟମରେ ଏବଂ ଘରୋଇ ପରିବେଶରେ ଖେଳିବା ନେଇ ବେଶ୍ ଉଲ୍ଲସିତ ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଅନେକ ଘରୋଇ ମ୍ୟାଚ୍ ଖେଳିଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେ ଏଠାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିବେ। ଏଥିନେଇ ରବିବାର ଭୁବନେଶ୍ବର ପହଞ୍ଚିବା ପରେ ଦୀପଗ୍ରେସ୍ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ମୋତେ ବହୁତ ଖୁସି ଲାଗୁଛି। ଆମେରିକାକୁ ହରାଇ ଭାରତ ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍ସ ଟିକେଟ ହାସଲ କରିବ ବୋଲି ମୋର ଆତ୍ମବିଶ୍ବାସ ରହିଛି। ତେବେ ଆମେରିକା ଆମକୁ ନିଶ୍ଚିତ ଭାବେ କଡ଼ା ଟକ୍କର ଦେବ। କାରଣ ଆମ ଭଳି ସେମାନେ ମଧ୍ୟ ଏହି ପ୍ରତିଯୋଗିତା ଲାଗି କଠିନ ପରିଶ୍ରମ କରିଥିବେ। ୨୦୧୬ ଅପେକ୍ଷା ଆମେ ଏଥରର ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଓଡ଼ିଶା ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ଲୁଲକିଡିହି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସ୍ ମାତ୍ର ୧୬ ବର୍ଷ ବୟସରେ ଜାତୀୟ ବରିଷ୍ଠ ପ୍ରତିଯୋଗିତା ଖେଳିଥିଲେ। ଜ୍ୟୋତି ସୁନୀତା କୁଲୁ ଏବଂ ଶୁଭଦ୍ରା ପ୍ରଧାନଙ୍କ ପରେ ତୃତୀୟ ଓଡ଼ିଆ ମହିଳା ଖେଳାଳି ଭାବେ ସେ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ସମ୍ବନ୍ଧିତ ଖବର