ଦୀପ୍ତିରଂଜନ ସାମଲ
ଭୁବନେଶ୍ବର: ମାଧୁରୀ ମେହେଟ୍ଟା ଓ ରସନାରା ପରବିନ୍ଙ୍କ ପରେ ଓଡ଼ିଶାର ତୃତୀୟ ଆନ୍ତର୍ଜାତିକ ମହିଳା କ୍ରିକେଟର ହୋଇଥିଲେ ସ୍ବାଗତିକା ରଥ। ଘରୋଇ କ୍ରିକେଟ୍ରେ କଳାହାଣ୍ଡି ବିପକ୍ଷରେ ୧୦ ୱିକେଟ୍ ସଫଳତା ପରେ କ୍ରିକେଟ୍ ଦୁନିଆରେ ତାଙ୍କର ପରିଚୟ ବଢିଥିଲା। ବାରବାଟୀରେ ପାକିସ୍ତାନ ବିପକ୍ଷ ୨୦୧୩ ବିଶ୍ବକପ୍ ଅଭ୍ୟାସ ମ୍ୟାଚ୍ରେ ଓଡ଼ିଶା ପାଇଁ ଅଲରାଉଣ୍ଡ୍ ପ୍ରଦର୍ଶନ (୫୩ ରନ୍ ଓ ୨ ୱିକେଟ୍) ଆନ୍ତର୍ଜାତିକ ସ୍ତରରେ ତାଙ୍କୁ ପରିଚିତ ହେବା ଆରମ୍ଭ ହୋଇଥିଲା। ସେହିବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ବାଂଲାଦେଶ ବିପକ୍ଷରେ ୫ଟି ମ୍ୟାଚ୍ ଖେଳିବା ପରେ ଆଉ ପ୍ରତ୍ୟାବର୍ତ୍ତନ କରିପାରିନଥିଲେ। ଏବେ ଓଡ଼ିଶା କ୍ରିକେଟ୍ ସହ ତାଙ୍କ ଅଭିଜ୍ଞତା ବାଣ୍ଟିବା ପାଇଁ ମନସ୍ଥ କରି ଭଦ୍ରକ ଝିଅ ସ୍ବାଗତିକା ଓଡ଼ିଶା ଫେରିବାକୁ ଯୋଜନା କରୁଛନ୍ତି। ରେଲୱେରେ ଅଫିସ୍ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିବା ସ୍ବାଗତିକା ଆଗକୁ ବିସିସିଆଇର ପ୍ରଶିକ୍ଷକ ପରୀକ୍ଷା ଦେବା ପରେ ନୂଆ ପାଳି ପାଇଁ ପ୍ରସ୍ତୁତ ହେବେ ବୋଲି ‘ସମ୍ବାଦ’ ସହ ସାକ୍ଷତକାର ବେଳେ କହିଛନ୍ତି।
ପ୍ରଶ୍ନ: ହଠାତ୍ ଅବସର କଥା କାହିଁକି ଚିନ୍ତା କଲେ ଓ କାହା ସହିତ ଆଲୋଚନା କରିଥିଲେ କି?
ଉତ୍ତର: କ୍ରିକେଟ ଖେଳିବା ସମୟରେ ସମସ୍ତଙ୍କର ଇଚ୍ଛା ଥାଏ ଭାରତ ପାଇଁ ଖେଳିବା। ୨୦୧୩ରେ ଭାରତକୁ ପ୍ରତିନିଧିତ୍ବ କରିସାରିଥିଲି, କିନ୍ତୁ ଆଉ ସୁଯୋଗ ମିଳିନଥିଲା। ଏଥିପାଇଁ ପ୍ରତ୍ୟେକ ବର୍ଷ ପରିଶ୍ରମ କରିଚାଲିଥିଲି। ଆଗକୁ ବଢିବା ଭଳି କୌଣସି ବାଟ ଦେଖାଯାଉନଥିଲା। ଚ୍ୟାଲେଞ୍ଜର ଟ୍ରଫି ହେଉ କି ମହିଳା ପ୍ରିମିୟର ଲିଗ୍ କେଉଁଥିରେ ବି ଆଉ ଆଗେଇବା ପାଇଁ ସୁଯୋଗ ଆସୁନଥିଲା। ତେଣୁ ଖେଳିବା ଛାଡ଼ି ପ୍ରଶିକ୍ଷଣ ଦେବା ଉପରେ ଅଧିକ ଧ୍ୟାନ ଦେବାକୁ ଚାହିଁଥିଲି। ଏଥିପାଇଁ କିଛି ଦିନ ଆଗରୁ ଯାଜପୁର ଜିଲ୍ଲା କ୍ରିକେଟ୍ ସଂଘର ସମ୍ପାଦକ ତଥା ମୋର ପ୍ରଥମ ପ୍ରଶିକ୍ଷକ ଜ୍ଞାନଚାନ୍ଦ ଦାସଙ୍କ ସହିତ ଆଲୋଚନା କରିଥିଲି। ସଂପର୍କରେ ସେ ମୋର ମଉସା ହୋଇଥିବାରୁ ସବୁବେଳେ ଉଚିତ୍ ମାର୍ଗଦର୍ଶନ ଦେଇଥା’ନ୍ତି। ସେ ହିଁ ମୋ ମତକୁ ସମର୍ଥନ ଦେଇଥିଲେ ଏବଂ ଓଡ଼ିଶା କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉତ୍ସାହିତ କରିଛନ୍ତି।
ପ୍ରଶ୍ନ: ଓଡ଼ିଶାରୁ କ୍ରିକେଟ୍ ଖେଳିଥିଲେ, ଏବେ ଓଡ଼ିଶାକୁ ପୁଣି ଫେରିବାକୁ ଇଚ୍ଛା ଦେଖାଇଛନ୍ତି। ରେଲୱେ ଓ ଓଡ଼ିଶା ଦଳ ଭିତରେ କ’ଣ ଫରକ ଦେଖୁଛନ୍ତି?
ଉତ୍ତର: ଓଡ଼ିଶା ପାଇଁ କ୍ରିକେଟ୍ ଖେଳିବା ଓ ରେଲୱେ ପାଇଁ ଖେଳିବା ଉଭୟଟି ମଧ୍ୟରେ ବହୁତ ଫରକ ରହିଛି। ଓଡ଼ିଶାରେ ୩-୪ ଜଣ ଅଭିଜ୍ଞ ହୋଇଥିଲା ବେଳେ ଅଧା ନୂଆ କ୍ରିକେଟର ରହୁଥିଲେ। କିନ୍ତୁ ରେଲୱେରେ ସମସ୍ତେ ସଂପୂର୍ଣ୍ଣ ଭାବେ ପେସାଦାର ମନୋଭାବ ନେଇ ଖେଳନ୍ତି। ନିଜ ନିଜ ଦାୟିତ୍ବକୁ ସଂପାଦନ କରିବା ଦିଗରେ ମନ ଦିଅନ୍ତି। ଯଦି ଜଣେ ବ୍ୟାଟର ଶତକ ମାରେ, ତାହେଲେ ସେଥିରେ ଖୁସି ହେବା ଆବଶ୍ୟକ ନାହିଁ। ବରଂ ଯଦି କମ୍ ରନ୍ କରି ଆଉଟ୍ ହୁଏ, ତାଙ୍କୁ କିପରି ପରବର୍ତ୍ତୀ ମ୍ୟାଚ୍ରେ ତାହାକୁ ବଡ଼ ରନ୍ରେ ପରିଣତ କରିବାକୁ ପଡ଼ିବ, ସେ ବିଷୟରେ ସେମାନେ ମନ ଦେଇଥା’ନ୍ତି। ସେ ଦୃଷ୍ଟିରୁ ଓଡ଼ିଶା କ୍ରିକେଟ୍ ସଂପୂର୍ଣ୍ଣ ଭିନ୍ନ। ତେଣୁ ଓଡ଼ିଶାରୁ ଯାହା ଶିଖିଛି, ତାହାଠୁ ଅଧିକ ଓଡ଼ିଶା କ୍ରିକେଟ୍କୁ ସେବା ଦେବା ପାଇଁ ଚିନ୍ତା କରିଛି।
ପ୍ରଶ୍ନ: ରେଲୱେ ପାଇଁ ଖେଳୁଥିବା ବେଳେ ଏକାଧିକ ଆନ୍ତର୍ଜାତିକ କ୍ରିକେଟରଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କଠୁ କ’ଣ ଶିକ୍ଷା ପାଇଛନ୍ତି?
ଉତ୍ତର: ରେଲୱେର ପ୍ରାୟ ସମସ୍ତ ଖେଳାଳି ଭାରତ ପାଇଁ ଖେଳିସାରିଛନ୍ତି ଓ ଏବେ ବି ଅନେକ ଖେଳୁଛନ୍ତି। ସମସ୍ତଙ୍କ ସହିତ ସବୁବେଳେ କଥାବାର୍ତ୍ତା ପାଇଁ ସୁଯୋଗ ଥାଏ। କିନ୍ତୁ କାହାକୁ ନିଜର ପ୍ରେରଣା ଭାବି ଅନୁସରଣ କରିବା ଅପେକ୍ଷା ନିଜ ନିୟମ ନିଜେ ତିଆରି କରିବାକୁ ଭଲପାଏ। ଲକ୍ଷ୍ୟ ହାସଲ ଦିଗରେ ସବୁବେଳେ ପରିଶ୍ରମ କରିବାକୁ ପଡ଼େ। ତେଣୁ ଅନ୍ୟମାନଙ୍କଠୁ ଯାହା ଶୁଣିବାକୁ ଭଲ ଲାଗେ, ତାହା ଶୁଣେ। କିନ୍ତୁ କାମ ନିଜ ଅନୁସାରେ କରିଥାଏ।
ପ୍ରଶ୍ନ: ମହିଳା ପ୍ରିମିୟର ଲିଗ୍ରେ ଆପଣଙ୍କ ନାଁ ଥିଲା, କିନ୍ତୁ ଖେଳିପାରିଲେନି। ସେଥିପାଇଁ କିଛି ଅବସୋସ ରହିଗଲା କି?
ଉତ୍ତର: ଜଣେ କ୍ରିକେଟର ଭାବେ ସବୁବେଳେ ଉଚ୍ଚସ୍ତରରେ ଖେଳିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ଭାରତୀୟ ଦଳକୁ ଫେରିପାରିଲିନି। କିନ୍ତୁ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଆଶା ରଖିଥିଲି। ହେଲେ ସେଠାରୁ ନିରାଶ ହେବା ପରେ ମହିଳା ପ୍ରିମିୟର ଲିଗ୍ରେ ଖେଳିବାକୁ ଇଚ୍ଛା ଥିଲା। ନିଲାମ ତାଲିକାରେ ନାଁ ଆସିବା ପରେ ଭାବିଥିଲି, ଏଥର ସୁଯୋଗ ମିଳିବ। ବୋଧହୁଏ ଭଗବାନଙ୍କ ଇଚ୍ଛା ନଥିଲା। ଯେତେବେଳେ ସବୁପଟୁ ଫଳ ବାହାରିବା ବନ୍ଦ ହୋଇଗଲା, ସେହିଠାରୁ ଅବସର ନେବା ପାଇଁ ଚିନ୍ତା କରିଥିଲି। ତେଣୁ ଅବସୋସ କରିକି ଆଉ କିଛି ଲାଭ ନାହିଁ।