ଭାରତରୁ ନ୍ୟୁଜିଲାଣ୍ଡ ଯାତ୍ରା ଉପରେ କଟକଣା, ଆଇପିଏଲ୍‌ ଖେଳାଳିଙ୍କ ପାଇଁ ସମସ୍ୟା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାକୁ ନଜରରେ ରଖି ନ୍ୟୁଜିଲାଣ୍ଡ ସରକାର କଟକଣା ଲଗାଇଛନ୍ତି। ଭାରତରୁ ଯାଉଥିବା ଯାତ୍ରୀମାନଙ୍କୁ ନ୍ୟୁଜିଲାଣ୍ଡରେ ପ୍ରବେଶ ଅନୁମତି ନଦେବାକୁ ସେଠାକାର ସରକାର ଘୋଷଣା କରିଛି। ଭାରତରୁ ଫେରୁଥିବା ନିଜ ଦେଶବାସୀଙ୍କ ପାଇଁ ମଧ୍ୟ ନ୍ୟୁଜିଲାଣ୍ଡ ଏହି କଟକଣା ଲାଗୁ କରିଛି। ହେଲେ ଏବର ନିଷ୍ପତ୍ତି ଅନୁଯାୟୀ ଏହି କଟକଣା ଆସନ୍ତା ୧୧ ତାରିଖରୁ ଏପ୍ରିଲ ୨୮ ଯାଏ ରହିବ। କିନ୍ତୁ ଏହି କଟକଣା ଯଦି ବୃଦ୍ଧି ପାଏ ତାହାଲେ ଆଇପିଏଲ୍‌‌ ଖେଳିବା ଲାଗି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍‌ ଖେଳାଳିମାନେ ଅସୁବିଧାରେ ପଡ଼ିବାର ସମ୍ଭାବନା ଦେଖାଦେଇଛି।

ଆଇପିଏଲ୍‌ ଲାଗି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌, ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ‌କାଇଲ ଜାମିସନଙ୍କ ସହ ମୋଟ ୧୦ ଖେଳାଳି ଭାରତରେ ରହିଛନ୍ତି। ‘‘ଆମେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ ଏବଂ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସହ ଆଲୋଚନା ଚାଲିଛି। ବହୁଦିନ ଧରି ଆଇପିଏଲ୍‌ ଖେଳାଯିବାର ଥିବାରୁ ଆଲୋଚନା ପାଇଁ ସବୁ ବାଟ ଖୋଲା ରହିଛି’’ ବୋଲି ନ୍ୟୁଜିଲାଣ୍ଡ ଦଳର ଜନସମ୍ପର୍କ ପ୍ରବନ୍ଧକ ରିଚାର୍ଡ ବୁକ୍‌ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି। ନ୍ୟୁଜିଲାଣ୍ଡ ମେ’ ୨୫ରୁ ଜୁନ୍‌ ୧୪ ତାରିଖ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ୍‌ ଖେଳିବ। ଏହା ପରେ ସେହି ଇଂଲଣ୍ଡରେ ଜୁନ୍‌ ୧୮ରେ ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର