ପେନି ୱେଷ୍ଟ୍‌ଇଣ୍ଡିଜ ଦଳର ସହକାରୀ ପ୍ରଶିକ୍ଷକ

ଆଣ୍ଟିଗୁଆ : ଭାରତର ପୂର୍ବତନ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟ୍ରେଭର ପେନିଙ୍କୁ କ୍ରିକେଟ୍ ୱେଷ୍ଟ୍‌ଇଣ୍ଡିଜ (ସିଡବ୍ଲୁଆଇ) ତା’ର ସୀମିତ ଓଭର (ଦିନିକିଆ ଓ ଟ୍ବେଣ୍ଟି-୨୦) ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଛି। ପେନି ଧଳା ବଲ୍‌ ଫର୍ମାଟ୍‌ରେ ଦୁଇ ବର୍ଷ ପାଇଁ ୱେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷଣ ଦାୟିତ୍ବରେ ରହିବେ। ୫୧ ବର୍ଷୀୟ ପେନି ଜାନୁଆରି ୨ ତାରିଖରୁ ଦଳରେ ଯୋଗଦେଇ ଆଗାମୀ ୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିବେ। ଆୟର୍ଲାଣ୍ଡ୍‌ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ନୂଆ ବର୍ଷ ଆରମ୍ଭରୁ ତିନିଟି ଲେଖାଏଁ ଦିନିକିଆ ଓ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ପେନିଙ୍କ ନିଯୁକ୍ତିରେ ୱେଷ୍ଟ୍‌ଇଣ୍ଡିଜର ମୁଖ୍ୟ ପ୍ରଶିକ୍ଷକ ଫିଲ୍ ସିମନ୍ସ ଖୁସି ଅଛନ୍ତି ଏବଂ ସେ ଜଣେ ଅଭିଜ୍ଞ ପ୍ରଶିକ୍ଷକ ହୋଇଥିବାରୁ ଦଳ ଆହୁରି ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଗକୁ ଦୁଇଟି ଟ୍ବେଣ୍ଟି-୨୦ ବିଶ୍ବକପ୍‌ (୨୦୨୦ ଅଷ୍ଟ୍ରେଲିଆ ଓ ୨୦୨୧ ଭାରତ) ରହିଥିବାରୁ ଦଳକୁ ମଝବୁତ୍‌ କରିବା ପାଇଁ ପ୍ରୟାସ କରିବି ବୋଲି କହିଛନ୍ତି ପେନି। ୱର୍କସାୟାର ପାଇଁ ୧୫୮ ପ୍ରଥମ ଶ୍ରେଣୀ ଓ ୨୯୧ ଲିଷ୍ଟ ଏ ମ୍ୟାଚ୍‌ ଖେଳିଥିବା ପେନି ଏହା ପୂର୍ବରୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ, ଡେକାନ୍‌ ଚାର୍ଜର୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସର ସହକାରୀ ପ୍ରଶିକ୍ଷକ ଦୟିତ୍ବ ତୁଲାଇ ସାରିଛନ୍ତି। ଏହା ବ୍ୟତୀତ କାରବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ମଧ୍ୟ ପ୍ରଶିକ୍ଷକ ରହିଥିଲେ।

ସମ୍ବନ୍ଧିତ ଖବର