କ୍ରାଏଷ୍ଟଚର୍ଚ୍ଚ: ଚଳିତ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନ ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରିଥିବା ଏହି ଏସୀୟ ଦଳ ଶନିବାର ଆୟୋଜକ ନ୍ୟୁଜିଲାଣ୍ଡ୍କୁ ୬ ୱିକେଟ୍ରେ ପରାସ୍ତ କରିଛି। ବୋଲରମାନଙ୍କ ମିଳିତ ପ୍ରଦର୍ଶନ ପରେ ଅଧିନାୟକ ବାବର ଆଜମ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଦଳକୁ ୧୦ ବଲ୍ ପୂର୍ବରୁ ବିଜୟୀ କରାଇଛନ୍ତି। ହାରିସ୍ ରୌଫ (୩/୨୮), ମହମ୍ମଦ ୱାସିମ୍ (୨/୨୦), ମହମ୍ମଦ ନୱାଜ (୨/୪୪), ସାହନୱାଜ ଦହାନି (୧/୨୨)ଙ୍କ ଚମତ୍କାର ବୋଲିଂ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍ ୧୪୭/୮ରେ ସୀମିତ ରହିଯାଇଥିଲା। ଡେଭନ୍ କନୱେ (୩୬), କେନ୍ ୱିଲିୟମସନ୍ (୩୧), ମାର୍କ ଚୋପ୍ମ୍ୟାନ୍ (୩୨) ଭଲ ବ୍ୟାଟିଂ କରିଥିଲେ ମଧ୍ୟ କେହି ଅର୍ଦ୍ଧଶତକ ପୂର୍ଣ୍ଣ କରିପାରିନଥିଲେ। ଜବାବରେ ପାକିସ୍ତାନ ପାଇଁ ବାବର ଆଜମ (୫୩ ବଲ୍ରୁ ୭୯* ରନ୍, ୧୧ ଚୌକା) ଏବଂ ସଦାବ ଖାନ୍ (୨୨ ବଲ୍ରୁ ୩୪ ରନ୍, ୨ ଚୌକା, ୨ ଛକା)ଙ୍କ ପାଳି ଯଥେଷ୍ଟ ହୋଇଥିଲା। ପାକିସ୍ତାନ ୧୮.୨ ଓଭରରେ ୪ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରି ନେଇଥିଲା। ବ୍ୟକ୍ତିଗତ ଭାବେ ୨୭ ରନ୍ରେ କ୍ୟାଚ୍ ହାତଛଡ଼ା କାରଣରୁ ଜୀବନଦାନ ପାଇଥିବା ବାବର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ବ୍ଲେୟାର୍ ଟିକ୍ନର୍ ୨ ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ ଓ ଟିମ୍ ସାଉଦି ୧-୧ ୱିକେଟ୍ ପାଇଥିଲେ।
କୋହଲି, ରୋହିତଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ ବାବର
ନ୍ୟୁଜିଲାଣ୍ଡ୍ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ଅପରାଜିତ ୭୯ ରନ୍ ପାଳି ଖେଳିଥିବା ପାକିସ୍ତାନ ଅଧିନାୟକ ବାବର ଆଜମ ଦୁଇ ଭାରତୀୟ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିଶ୍ବ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ୨୮ତମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ସହିତ ବାବର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଥିଲେ। ଉଭୟ ସମାନ ୮୪ ପାଳି ଖେଳି ଶୀର୍ଷରେ ଅଛନ୍ତି। ପଶ୍ଚାତଧାବନ ସମୟରେ ୧୨ ଅର୍ଦ୍ଧଶତକ ହାସଲ କରି ବାବର ମଧ୍ୟ ଏହି ଫର୍ମାଟରେ ଯୁଗ୍ମ ତୃତୀୟରେ ରହିଛନ୍ତି। ଏକ୍ଷେତ୍ରରେ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି। ବିରାଟ କୋହଲି (୧୯) ଏବଂ ଡେଭିଡ୍ ୱାର୍ଣ୍ଣର ଆଗରେ ରହିଛନ୍ତି। ବାବରଙ୍କ ୧୨ ପଶ୍ଚାତଧାବନ ପାଳିରୁ ୧୧ଟି ବିଜୟରେ ଲାଗିଛି। ଯାହାକି କୋହଲି (୧୫)ଙ୍କୁ ପଛକୁ ଦ୍ବିତୀୟରେ ରହିଛି।