ଭୁବନେଶ୍ବର: ଓଡ଼ିଶା, ପୁଦୁଚେରୀ ଓ କେରଳକୁ ନେଇ ପୁଦୁଚେରୀଠାରେ ଆୟୋଜିତ ତ୍ରିକୋଣୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହେବାର ଗୌରବ ଅର୍ଜନ କରିଛି। ଶୁକ୍ରବାର ଫାଇନାଲ୍ରେ ଏହି ଦଳ ୭ ୱିକେଟ୍ରେ କେରଳକୁ ପରାସ୍ତ କରିଥିଲା।
ଟସ୍ ଜିତି ଅଧିନାୟକ ନକୁଳ ବଡ଼ନାୟକ କେରଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଫାରାନଙ୍କ ୪୭ ରନ୍ ସତ୍ତ୍ବେ କେରଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଓଡ଼ିଶା ପକ୍ଷରୁ ଜାଫର, ତପନ, ରଘୁରାମ ଓ ବିଶୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ଆକାଶ ରାଉତଙ୍କ ଅପରାଜିତ ୬୭ ଏବଂ ନକୁଳଙ୍କ ୨୬ ରନ୍ ବଳରେ ୧୬.୧ ଓଭରରେ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଆକାଶ ରାଉତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବି-୧ ବର୍ଗରେ ଜାଫର, ବି-୨ ବର୍ଗରେ ନକୁଳ ବଡ଼ନାୟକ ଓ ବି-୩ ବର୍ଗରେ ପୁଦୁଚେରୀର କେ ନିନାଗାରନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସଫଳତା ଲାଗି ଓଡ଼ିଶା ଦଳକୁ ସନ୍ୟାଶୀ କୁମାର ବେହେରା, ପ୍ରକାଶ କୁମାର ରଥ, ବିରଞ୍ଚି ନାରାୟଣ ସାହୁ, ଯୋଗେନ୍ଦ୍ର ଜାନି, ଅର୍ପିତା ମହାପାତ୍ର, ପ୍ରଜ୍ଞାପାରମିତା ବେହେରା, ସୁଖରାମ ମାଝୀ, ଦିବାକର ସ’ ଓ ଦେବାଶିଷ ଜେନା ଅଭିନନ୍ଦନ ଜଣାଇଛନ୍ତି।