ତ୍ରିରାଷ୍ଟ୍ରୀୟ ନିଦାସ ଟ୍ରଫି ସୂଚୀରେ ପରିବର୍ତନ : ଭାରତ-ଶ୍ରୀଲଙ୍କା ଉଦ୍‌ଘାଟନୀ ମୁକାବିଲା ୬ରେ

କଲମ୍ବୋ: ଶ୍ରୀଲଙ୍କା ସ୍ୱାଧୀନତାର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଯାଉଥିବା ତ୍ରିରାଷ୍ଟ୍ରୀୟ ନିଦାସ ଟ୍ରଫି ସୂଚୀରେ ପରିବର୍ତନ ଘଟିଛି। ପୂର୍ବରୁ ମାର୍ଚ ୮ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିଲା ବେଳେ ଏବେ ଦୁଇଦିନ ଆଗରୁ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଙ୍ଗଳବାର ଘୋଷଣା କରିଛି। ଫଳରେ ମାର୍ଚ ୬ରେ ଶ୍ରୀଲଙ୍କା ଓ ଭାରତ ମ୍ୟାଚ୍‌ ସହିତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ବାଂଲାଦେଶ ତୃତୀୟ ଦଳ ଭାବେ ଏଥିରେ ଭାଗ ନେବ। ଫାଇନାଲ୍‌ ସମେତ ସମସ୍ତ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ। ପୂର୍ବ ନିର୍ଧାରିତ ମଙ୍ଗଳବାର ପରିବର୍ତେ ରବିବାର (ମାର୍ଚ ୧୮) ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଉଭୟ ଭ୍ରମଣକାରୀ ଦଳ ଭାରତ ଓ ବାଂଲାଦେଶ ମାର୍ଚ ୪ ତାରିଖରେ ଶ୍ରୀଲଙ୍କା ପହଞ୍ଚିବେ। ବାଂଲାଦେଶ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୂଚୀ ରହିଥିଲା ବେଳେ ଭାରତୀୟ ଦଳ ବିନା ଅଭ୍ୟାସରେ ସିଧାସଳଖ ପ୍ରତିଯୋଗିତାକୁ ଓହ୍ଲାଇବ ବୋଲି ସିଂହଳୀ କ୍ରିକେଟ୍‌ ବୋର୍ଡ କହିଛି। ପ୍ରତିଯୋଗିତାରେ ମୋଟ ୭ ମ୍ୟାଚ୍‌ ଖେଳାଯିବ। ୬ ତାରିଖରେ ଭାରତ-ଶ୍ରୀଲଙ୍କା ମୁକାବିଲା ପରେ ୮ରେ ଭାରତ-ବାଂଲାଦେଶ, ୧୦ରେ ଶ୍ରୀଲଙ୍କା-ବାଂଲାଦେଶ, ୧୨ରେ ଭାରତ-ଶ୍ରୀଲଙ୍କା, ୧୪ରେ ଭାରତ-ବାଂଲାଦେଶ ଓ ୧୬ରେ ଶ୍ରୀଲଙ୍କା-ବାଂଲାଦେଶ ମୁହାଁମୁହିଁ ହେବେ। ୧୮ ତାରିଖରେ ଫାଇନାଲ୍‌ ଖେଳାଯିବ। ପୂର୍ବରୁ ଶ୍ରୀଲଙ୍କା ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୧୯୯୮ରେ ଆୟୋଜିତ ନିଦାସ ଟ୍ରଫିରେ ଭାରତ ବିଜେତା ହୋଇଥିଲା। ସେଥର ତୃତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ୍‌ ସାମିଲ ଥିଲା।

ସମ୍ବନ୍ଧିତ ଖବର