ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା: ହୋପ୍‌ଙ୍କ ଶତକ ଫିକା:ଇଣ୍ଡିଜ୍‌କୁ ହରାଇଲା ବାଂଲାଦେଶ

ଡବଲିନ୍‌: ଆ‌ୟର୍ଲାଣ୍ଡରେ ଚାଲିଥିବା ତ୍ରିରା‌ଷ୍ଟ୍ରୀୟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶ ୮ ୱିକେଟ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ପରାସ୍ତ କରିଛି। ମଙ୍ଗଳବାର ଟସ୍‌ ଜିତି ବ୍ୟାଟିଂ କରିଥିବା ୱେଷ୍ଟ୍‌ଇଣ୍ଡିଜ୍‌ ସାଇ ହୋପ୍‌ (୧୦୯, ୧୩୨ ବଲ୍‌, ୧୧ ଚୌକା, ୧ ଛକା)ଙ୍କ ଶତକ ଏବଂ ରସ୍ତନ ଚେଜ୍‌ (୫୧, ୬୨ ବଲ୍‌, ୨ ଚୌକା, ୧ ଛକା)ଙ୍କ ଅର୍ଧଶତକ ବଳରେ ୨୬୧/୯ କରିଥିଲା। ବାଂଲାଦେଶ ପକ୍ଷରୁ ମସରାଫ୍‌ ମୋର୍ତାଜା ୩ ଏବଂ ମହମ୍ମଦ ସାଇଫୁଦ୍ଦିନ ଓ ମୁସ୍ତାଫିଜୁର ରହମାନ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ତମିମ ଇକ୍‌ବାଲ (୮୦, ୧୧୬ ବଲ୍‌, ୭ ଚୌକା) ଓ ସୌମ୍ୟ ସରକାର (୭୩, ୬୮ ବଲ୍‌, ୯ ଚୌକା, ୧ ଛକା) ନିଜ ଅର୍ଧଶତକ ହାସଲ କରିବା ସହ ପ୍ରଥମ ୱକେଟ୍‌ରେ ୧୪୪ ରନ୍ ଯୋଡ଼ି ବାଂଲାଦେଶ ଲାଗି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ ସକିବ ଅଲ୍‌ ହାସନ (୬୧*, ୬୧ ବଲ୍‌, ୩ ଚୌକା, ୨ ଛକା) ଏବଂ ମୁସଫିକର ରହିମ (୩୨*, ୨୫ ବଲ୍‌, ୨ ଚୌକା, ୨ ଛକା) ୫ ଓଭର ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଥିଲେ। ସାନନ ଗାବ୍ରିଏଲ୍‌ ଓ ଚେଜ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ପରାଜୟ ସତ୍ବେ ଶତକୀୟ ପାଳି ପାଇଁ ସାଇ ହୋପ୍‌ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ହୋପ୍‌ ଶତକୀୟ ପାଳି ଖେଳି ଦଳକୁ ବିଜୟ ଦେଇଥିଲେ। ହେଲେ ଏହି ମ୍ୟାଚ୍‌ରେ ତାଙ୍କ ଶତକ ଫିକା ପଡ଼ିଛି। ଏହି ଶତକ ସହ ‌ହୋପ୍‌ ଏଠାରେ ଲଗାତାର ତିନି ଅଙ୍କ ଅତିକ୍ରମ କରି ଜୀବନର ପଞ୍ଚମ ଦିନିକିଆ ଶତକ ପୂର୍ଣ୍ଣ କରିଥିଲେ।

ସମ୍ବନ୍ଧିତ ଖବର