ତ୍ରିବେଣୀ କପ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌: ମଡର୍ନ ଷ୍ଟାର ବିଜେତା

ଭୁବନେଶ୍ୱର: ମଡର୍ନ ଷ୍ଟାର ଚଳିତ ବର୍ଷର ତ୍ରିବେଣୀ କପ୍‌ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ବିଜେତା ହୋଇଛି। ଏଲ୍‌ଏଲ୍‌ସିସି ଏବଂ ଏସ୍‌ଜେଏସ୍‌ସି ମିଳିତ ଅନୁକୂଲ୍ୟରେ ଆୟୋଜିତ ଏହି ୪ ଦିନିକିଆ ଦିବାରାତ୍ର ପ୍ରତିଯୋଗିତାର ଫାଇନାଲ୍‌ରେ ମଡର୍ନ ଷ୍ଟାର ୮ ଓ୍ଵିକେଟ୍‌ରେ ଜାଗୁଆର୍‌ ଜାଗ୍ରୁତିକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଜାଗୁଆର ଦଳ ନିର୍ଧାରିତ ୬ ଓଭରରେ ୫ ଓ୍ଵିକେଟ୍‌ ହରାଇ ୪୪ ରନ୍‌ କରିଥିଲା। ଜବାବରେ ମଡର୍ନ ଷ୍ଟାର୍‌ ଦଳ ୫.୨ ଓଭରରେ ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରାକେଶ ପାଣ୍ଡେଙ୍କୁ ମିଳିଥିଲା ବେଳେ ଶ୍ରେଷ୍ଠ ଅଧିନାୟକ ପୁରସ୍କାର ସୁଶୀଲ କୁମାର ବାରିକଙ୍କୁ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ତ୍ରିବେଣୀ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସାଗର ରଂଜନ ସ୍ୱାଇଁ ଏବଂ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୧ ଲକ୍ଷ ଓ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଭୁବନେଶ୍ୱର ଉପ ଜିଲ୍ଲାପାଳ ମାନସ ରଂଜନ ସାମଲ, କ୍ରୀଡ଼ା ସାମ୍ବାଦିକ ପ୍ରତାପ ପ୍ରଧାନ, କର୍ପୋରେଟର ମାନସୀରାଣୀ ସୁନ୍ଦରାୟ, ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍‌ ସଂଘର ସଭାପତି ସୂରଜ ମିଶ୍ର, ସମ୍ପାଦକ ସିଥିଲ ପରିଡ଼ା ଏବଂ ଯୁଗ୍ମ ସମ୍ପାଦକ ସୋମନାଥ ପରିଡ଼ା ଅତିଥି ଭାବେ ଉପସ୍ଥିତ ଥିଲେ। ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର