କଟକ: ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନ୍ (ଓଏଏ)ର କାଉନ୍ସିଲ୍ ବୈଠକ ବାରବାଟୀ ଷ୍ଟାଡିୟମସ୍ଥିତ ବାରବାଟୀ ଗେଷ୍ଟହାଉସ୍ରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଥ୍ଲେଟିକ ଏକାଡେମୀ ଅଫ୍ ଓଡ଼ିଶା ଶୁଭାରମ୍ଭ ହୋଇଛି। ଏହି ଏକାଡେମିରେ ପ୍ରଥମ ପର୍ଯ୍ୟାୟରେ ୧୪ ଜଣ ଖେଳାଳି ରହିବେ। ସାଇ ହଷ୍ଟେଲ ତଳ ମହଲାରେ ଖେଳାଳିଙ୍କ ରହିବା ବ୍ୟବସ୍ଥା କରାଯିବାକୁ ଚୂଡାନ୍ତ ହୋଇଛି। କାଉନ୍ସିଲ୍ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଏଏ ପକ୍ଷରୁ ୪୯ ଲକ୍ଷ ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି। ଓଏଏ ସଭାପତି ଡକ୍ଟର ଜିଏସ୍ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଓଡ଼ିଶା ଆଥ୍ଲେଟିକ୍ ସଂଘ ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଅଭିଜିତ ପାଲ୍, ଉପସଭାପତି ଦୁଲାଲ ପ୍ରଧାନ, ନଳିନୀ କୁମାର ଦାସ, ଡକ୍ଟର ଜନାର୍ଦ୍ଦନ ଦାସ, ତାପସ କୁମାର ରାୟ ଚୌଧୁରୀ, ରଘୁନନ୍ଦନ ପାଢ଼ୀ, ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ, ରବି ନାୟକ, ସହସଂପାଦକ ବିଭୂତି ଭୂଷଣ ପଣ୍ଡା, କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀଙ୍କ ସମେତ କାଉନ୍ସିଲ ସଦସ୍ୟ, ବୈଷୟିକ କମିଟି ସଦସ୍ୟମାନେ ଯୋଗଦେଇଥିଲେ।
କାଉନସିଲ ବୈଠକ ପୂର୍ବରୁ ଉଭୟ ଓଡ଼ିଶା ଅଲିମ୍ପିକ୍ ସଂଘ ଓ ଓଡ଼ିଶା ଆଥଲେଟିକ୍ ସଂଘ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ ପ୍ରତିଷ୍ଠାରେ ଉଲ୍ଲେଖନୀୟ ଅବଦାନ ରଖିଥିବା ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଓଡ଼ିଶା ଅଲିମ୍ପିସ ସଂଘ ସଭାପତି ସମୀର ମହାନ୍ତି ଭୈରବ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ରାଜ୍ୟ କ୍ରୀଡ଼ାର ବିକାଶରେ ତାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ।