ଏମ୍‌ସିଜିରେ ଜୋନ୍ସଙ୍କୁ ଶ୍ରଦ୍ଧାଞ୍ଜଳି

ମେଲବର୍ନ: ନିକଟରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ତଥା ଭାଷ୍ୟକାର ଡିନ୍‌ ଜୋନ୍ସଙ୍କୁ ତାଙ୍କ ପରିବାର ସଦସ୍ୟ ମେଲ୍‌ବର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଅଶ୍ରୁଳ ବିଦାୟ ଦେଇଛନ୍ତି। ଏମ୍‌ସିଜିରେ ଏକ ଛୋଟକାଟର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଭିଡିଓକୁ ବୁଧବାର ଅନ୍‌ଲାଇନ୍‌ରେ ଛଡ଼ାଯାଇଛି। ଭିକ୍ଟୋରିଆ ରାଜ୍ୟର ରାଜଧାନୀ ମେଲ୍‌ବର୍ନରେ କରୋନା କଟକଣା ଯୋଗୁଁ ଅନ୍ତେଷ୍ଟିକ୍ରିୟାରେ ମାତ୍ର ୧୦ ଜଣ ଯୋଗଦେବାର ଅନୁମତି ରହିଛି। ଫଳରେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ‌ଜେନ୍‌, ଝିଅ ଇସାବେଲା ଓ ଫୋଏବେଙ୍କ ସହ ଅନ୍ୟ କିଛି ଘନିଷ୍ଠ ସଦସ୍ୟ ଯୋଗ ଦେଇଥିଲେ। ଭାରତରୁ ଆସିଥିବା ଜୋନ୍ସଙ୍କ କଫିନ ଏକ ଶବଯାନରେ ଏମ୍‌ସଜିରେ ପହଞ୍ଚିଥିଲା। ସେଥିରେ ତାଙ୍କ ଅଷ୍ଟ୍ରେଲୀୟ ଟେଷ୍ଟ୍‌ କ୍ୟାପ୍‌ ନମ୍ବର ‘୩୨୪’ ଫୁଲରେ ଲେଖାଯାଇଥିଲା। କଫିନ ଉପରେ ଅଷ୍ଟ୍ରେଲିଆ ଜାତୀୟ ପତାକା ଘୋଡ଼ାଯାଇଥିଲା। ସୂଚନାଯୋଗ୍ୟ ଯେ ଟିଭି ଭାଷ୍ୟକାର କାର୍ଯ୍ୟ ଯୋଗୁଁ ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ଜୋନ୍ସ ଭାରତର ଏକ ହୋଟେଲରେ ରହୁଥିଲେ। ଗତ ମାସ ୨୪ ତାରିଖରେ ତାଙ୍କର ହୃଦଘାତ‌ରେ ମୃତ୍ୟୁ ହୋଇଥିଲା। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

ସମ୍ବନ୍ଧିତ ଖବର