ଭୁବନେଶ୍ବର: ରାଜ୍ୟ ଦୁଃସାହସିକ କ୍ରୀଡ଼ାର ଅନନ୍ୟ ପ୍ରତିଭା ତଥା ପ୍ରଥମ ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କୁ ରବିବାର ରାଜ୍ୟ ତାଙ୍କ ଅପ୍ରତ୍ୟାଶିତ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ। ଦୁଇଟି ତାରିଖ ସର୍ବଦା କଳ୍ପନାଙ୍କ ମାଇଲଖୁଣ୍ଟ ଓ ଦୁଃଖଦ ବିଦାୟର ସ୍ମରଣୀୟ ହୋଇ ରହିଛି ଓ ରହିବ। ୨୦୦୮ ମେ’ ୨୧ରେ ପ୍ରଥମ ଓଡ଼ିଆ ଭାବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ ଏବଂ ୨୦୧୯ ମେ’ ୨୩ରେ ଦ୍ବିତୀୟ ଥର ଏଭେରେଷ୍ଟ ଆରୋହଣ ପରେ ଇହଲୀଲା ସମ୍ବରଣ। ଗୋଟିଏ ଦିନ ବ୍ୟବଧାନରେ ଏହି ଦୁଇଟି ଦିବସଟି ପଡୁଥିବାରୁ ଓଡ଼ିଶା କ୍ରୀଡ଼ା ଦୁନିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କଳ୍ପନା ଦାସ ଓଡିଶାର ପର୍ବତାରୋହଣ କ୍ଷେତ୍ରରେ ଏକ ଅନନ୍ୟ ନାମ ଏବଂ ଏକ ଅନନ୍ୟ ପ୍ରତିଭା। ସେ ଥିଲେ ଓଡ଼ିଶାର ଯୁବ ପର୍ବତାରୋହୀ ମାନଙ୍କର ଏକ ଆଦର୍ଶ। ସେ ଥିଲେ ଓଡ଼ିଶାର ପ୍ରଥମ ତଥା ଦୁଇଦୁଇ ଥର ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟକୁ ସଫଳତାର ସହ ଆରୋହଣ କରିଥିବା ପ୍ରଥମ ଓଡ଼ିଆ। କଳନାଙ୍କ ଜନ୍ମ ୭ ଜୁଲାଇ ୧୯୬୬ ମସିହା ଢେଙ୍କାନାଳ ଜିଲ୍ଲା ସାରିଆପଦା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ମା’ ଶୈଳବାଳ ଦାସ ଏବଂ ପିତା ଗୁଣନିଧି ଦାସଙ୍କ ଅଲିଅଳି ଝିଅ କଳ୍ପନା ଛୋଟବେଳୁ ଏଭେରେଷ୍ଟ ପାହାଡ଼ ଚଢିବା ନିଶା ତାଙ୍କୁ ଭବିଷ୍ୟତରେ ଏକ ଦକ୍ଷ ପର୍ବତାରୋହୀ ଭାବେ ଠିଆ କରିଥିଲା। ଜଗତରନାଥ ଜଗନ୍ନାଥଙ୍କୁ ଭଲ ପାଉଥିବା କଳ୍ପନା ପତିତପାବନ ବାନାକୁ ଏଭେରେଷ୍ଟର ଶୀର୍ଷରେ ଲଗାଇଥିଲେ। ଏହା ଭିତରେ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ପାହାଡ଼ ଚଢିବା ନିଶାରୁ ସେ ଦୂରେଇ ରହି ପାରି ନଥିଲେ। ମାଉଣ୍ଟ ଏଲବ୍ରସ୍, ମାଉଣ୍ଟ କିଲିମାଂଜୋରୋ, ଆକଙ୍କଗୁଆ ଆଦି ବହୁତ ପର୍ବତ ଆରୋହଣ କରିଥିଲେ। ପୁନର୍ବାର ଏଭେରେଷ୍ଟ ଚଢିବା ନିଶା ତାଙ୍କୁ ବହୁ ସମୟ ଅଟକାଇ ପାରିନଥିଲା। ଶେଷରେ ସେ ୨୦୧୯ ମସିହାରେ ପୁନର୍ବାର ଏଭେରେଷ୍ଟ ଚଢିବା ପାଇଁ ମନବଳାଇଥିଲେ। ଏଥିପାଇଁ ବହୁ ସମ୍ବଳ ଆବଶ୍ୟକତା ଥିବା ବେଳେ ତାଙ୍କ କୌଣସି ଅନୁଷ୍ଠାନରୁ ଅନୁଦାନ ମିଳିନଥିଲା। ଶେଷରେ ସେ ପଟିଆ, ଚନ୍ଦ୍ରଶେଖରପୁରସ୍ଥିତ ବାସଭବନକୁ ବ୍ୟାଙ୍କରେ ବନ୍ଧକ ରଖି ଏଭେରେଷ୍ଟ ଚଢ଼ିବାକୁ ଯାଇଥିଲେ। ହେଲେ ଆଉ ଫେରିନଥିଲେ। ଏ ଋଣ ଏବେବି ଅଶୁଝା ରହିଛି।
ମନରେ ଦୃଢ ଇଛା, ଆଶା ତାଙ୍କୁ ୫୩ ବର୍ଷ ବୟସରେ ମଧ୍ୟ ଅଟକାଇ ପାରିନଥିଲା। ସେ ୨୩ ମଇ ୨୦୧୯ରେ ପୁନର୍ବାର ଏଭେରେଷ୍ଟର ଶୀର୍ଷରେ ସଫଳତାର ସହ ପହଞ୍ଚି ଜଗନ୍ନାଥଙ୍କର ବାନାକୁ ଉଡାଇଥିଲେ। ଏଥିସହ ସେ ଓଡ଼ିଶାର ପ୍ରଥମ ପର୍ବତାରୋହୀ ଭାବେ ଦୁଇଦୁଇ ଥର ଏଭେରେଷ୍ଟ ଚଢି ଏକ ବିରଳ କୀର୍ତ୍ତିମାନ କରିଥିଲେ। ଏହି ଅଭିଯାନ ଶେଷକରି ଆସୁଥିବା ସମୟରେ ଶୀର୍ଷରୁ କିଛି ମିଟର ତଳେ ବାଲକୋନିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏଥିସହ ଓଡ଼ିଶା ହରାଇଥିଲା ତା’ର ଏକ ମହାନ ପର୍ବତାରୋହୀଙ୍କୁ। ରବିବାର ତାଙ୍କର ଦ୍ବିତୀୟ ଏଭେରେଷ୍ଟ ସଫଳତା ତଥା ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଓଡ଼ିଶାର ସମସ୍ତ ପର୍ବତାରୋହୀ ଓ ଅନୁଗାମୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।
କଳ୍ପନାଙ୍କ ଯୁଗାନ୍ତକାରୀ ସଫଳତା ଓ ଦେହାନ୍ତ ପରେ ତାଙ୍କ ପ୍ରଶଂସକ ଗୋଷ୍ଠୀ ପକ୍ଷରୁ ରାଜଧାନୀର ଏକ ସଡ଼କକୁ ତାଙ୍କ ନାମରେ ନାମିତ କରିବାକୁ ଦାବି ଉଠିଥିଲେ ମଧ୍ୟ ଏହା ୨ ବର୍ଷ ଭିତରେ ହୋଇପାରିନାହିଁ। ଏ ସମ୍ପର୍କରେ ଏକ ସ୍ବାକ୍ଷର ଅଭିଯାନ ଜରିଆର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ନମିଳିବାରୁ କଳ୍ପନାଙ୍କ ଅନୁଗାମୀମାନେ ନିରାଶ ହୋଇଛନ୍ତି।