ଲକ୍ଷ୍ନୌ: ସ୍ପିନ୍ କିଂବଦନ୍ତି ବିଶନ ସିଂହ ବେଦୀଙ୍କୁ ଭାରତୀୟ ଖେଳାଳି ରବିବାର କଳାପଟି ପିନ୍ଧି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଖେଳାଳିମାନେ ନିଜ ନିଜ ବାହୁରେ ଏହି କଳାପଟି ପିନ୍ଧି ବେଦୀଙ୍କ ପ୍ରତି ଥିବା ଭଲପାଇବା ଓ ସମ୍ମାନକୁ ପରିପ୍ରକାଶ କରିଥିଲେ। ମହାନ ସ୍ପିନର ବେଦୀଙ୍କର ଗତ ସୋମବାର ୭୭ ବର୍ଷ ବୟସରେ ନିଧନ ହୋଇଥିଲା। ଫଳରେ ଭାରତୀୟ ସ୍ପିନ୍ ଇତିହାସରେ ଏକ ଯୁଗର ଅବସାନ ଘଟିଥିଲା। ୧୯୬୭ରୁ ୧୯୭୯ ମସିହା ମଧ୍ୟରେ ୬୭ ଟେଷ୍ଟ୍ ଖେଳି ବେଦୀ ୨୬୬ ୱିକେଟ୍ କରାୟତ୍ତ କରିଥିଲେ। ସେ ମଧ୍ୟ ୧୦ଟି ଦିନିକିଆ ଖେଳି ୭ ୱିକେଟ୍ ଅକ୍ତିଆର କରିଥିଲେ। ଭାରତର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ବିଜୟରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ୧୯୭୫ ମସିହାର ପୂର୍ବ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ବେଦୀ ୧୨ ଓଭରରେ ମେଡେନ୍ ଓ ମାତ୍ର ୬ ରନ୍ ବ୍ୟୟ କରି ଗୋଟିଏ ୱି‌କେଟ୍ ନେଇଥିଲେ। ଫଳରେ ପୂର୍ବ ଆଫ୍ରିକା ମାତ୍ର ୧୨୦ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଘରୋଇ କ୍ରିକେଟ୍‌ର ସେ ମହାବଳ ଥିଲେ। ୩୭୦ ମ୍ୟାଚ୍‌ରୁ ୧୫୬୦ ୱିକେଟ୍ ଶିକାର କରିଥିଲେ। ଇଂଲିସ୍ କାଉଣ୍ଟି କ୍ରିକେଟ୍‌ରେ ମଧ୍ୟ ବେଦୀ ଜଣେ ସଫଳ ଓ ଲୋକପ୍ରିୟ କ୍ରିକେଟର୍ ଥିଲେ।