ଟ୍ରଫି ଲଢ଼େଇରେ ଓସାକା-କ୍ବିତୋଭା, ଫାଇନାଲ୍‌ରେ ନାଦାଲ

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ଏକକ ଟ୍ରଫି ପାଇଁ ଦୁଇଥରର ଗ୍ରାଣ୍ଡ୍ ସ୍ଲାମ୍‌ ବିଜୟିନୀ ପେଟ୍ରା କ୍ବିତୋଭା ଏବଂ ୟୁଏସ୍‌ ଓପନ୍‌ ବିଜୟିନୀ ନାଓମି ଓସାକା ଲଢ଼ିବେ। ଦୁଇ ଥର ୱି‌ମ୍ବଲ୍‌ଡନ୍‌ ଟ୍ରଫି ଜିତିଥିବା ‌ଚେକ୍‌ ଗଣରାଜ୍ୟର କ୍ବିତାଭା ୨୦୧୨ ମସିହା ପରେ ପ୍ରଥମ ଥର ଲାଗି ‌ରଡ୍‌ ଲାଭେର୍‌ ଏରେନାରେ ସେମିଫାଇନାଲ୍‌ ଖେଳିଥିଲେ। ଗୁରୁବାରର ସେମିଫାଇନାଲ୍‌ରେ ଅଷ୍ଟମ ମାନ୍ୟତା କ୍ବିତୋଭା ୭-୬, ୬-୦ ସିଧାସଳଖ ସେଟ୍‌ରେ ଅଣମାନ୍ୟତା ଆମେରିକାର ଡାନିଏଲି କଲିନ୍ସଙ୍କୁ ହରାଇ ୫ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏଥି ସହିତ କ୍ବିତୋଭା ମଧ୍ୟ ୧୯୯୧ ପରେ ପ୍ରଥମ ଚେକ୍‌ ଗଣରାଜ୍ୟ ମହିଳା ଭାବେ ମେଲ୍‌ବର୍ନ ପାର୍କରେ ଫାଇନାଲ୍‌ ଖେଳିବେ। ଚେକ୍‌ ଗଣରାଜ୍ୟର ଜାନା ନୋଭାତ୍‌ନା ୧୯୯୧ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ଆମେରିକାର ମୋନିକା ସେଲେସ୍‌ଙ୍କୁ ନିକଟରୁ ହାରିବା ପରଠୁ ଏପର୍ଯ୍ୟନ୍ତ ଆଉ କୌଣସି ଚେକ୍‌ ମହିଳା ଫାଇନାଲ୍‌ ପହଞ୍ଚିନଥିଲେ। ସେହିପରି ପୂର୍ବତନ ଶୀର୍ଷ ମାନ୍ୟତା ତଥା ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଆମେରିକାର ସେରେନା ୱିଲିୟମ୍ସଙ୍କୁ ହରାଇ ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିବା ଜାପାନ ଲଳନା ଓସାକା ୬-୨, ୪-୬, ୬-୪ ସେଟ୍‌ରେ ସପ୍ତମ ମାନ୍ୟତା ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭାଙ୍କୁ ପରାସ୍ତ କରିଦେଇଛନ୍ତି। ଏହି ବିଜୟ ସହ ଚତୁର୍ଥ ମାନ୍ୟତା ଓସାକା ଲଗାତାର ଦ୍ବିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ହେଲେ ଓସାକା ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ ଯୋଗ୍ୟତା ହାତେଇଛନ୍ତି।

ଫାଇନାଲ୍‌ରେ ନାଦାଲ
ମେଲ୍‌ବର୍ନ: ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ସ୍ପେନ୍‌ ତାରକା ରାଫେଲ୍‌ ନାଦାଲ ବିଜୟ ଜାରି ରଖି ଚତୁର୍ଥ ଥର ଲାଗି ଏଠାରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ୨୦୦୯ ବିଜେତା ‌ନାଦାଲ ସିଧାସଳଖ ୬-୨, ୬-୪, ୬-୦ ସେଟ୍‌ରେ ଚତୁର୍ଦଶ ମାନ୍ୟତା ଗ୍ରିସ୍‌ର ଷ୍ଟିଫାନୋସ ସିସିପାସ୍‌ଙ୍କୁ ପରାସ୍ତ କରି ଅଷ୍ଟାଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲର ନିକଟତର ହୋଇଛନ୍ତି। ପ୍ରଥମ ଥର ଲାଗି ଏଠାରେ ସେମିଫାଇନାଲ୍‌‌ ଖେଳିଥିବା ୨୦ ବର୍ଷୀୟ ସିସିପାସ୍‌ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ସ୍ବିଜରଲାଣ୍ଡର ‌ରୋଜର ଫେଡେରର୍‌ଙ୍କୁ ହରାଇ ବିଦା‌ୟ ରାସ୍ତା ଦେଖାଇଥିଲେ। ହେଲେ ନାଦାଲଙ୍କ ବିପକ୍ଷରେ ସେହି ସଫଳତା ହାତେଇବାରେ ସମର୍ଥ ହୋଇନଥିଲେ। ନାଦାଲ୍‌ ଟ୍ରଫି ଲାଗି ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ସର୍ବିଆର ନୋଭାକ ଜୋକୋଭିକ ଓ ୨୮ ମାନ୍ୟତା ଫ୍ରାନ୍ସର ଲୁକାସ ପୌଲିଙ୍କ ମଧ୍ୟରେ ହେବାକୁଥିବା ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ର ବିଜେତାଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର