ରାଉରକେଲା: ୭ ବର୍ଷ ପରେ ଫେରିଥିବା ‘ହକି ଇଣ୍ଡିଆ ଲିଗ୍’ର ଷଷ୍ଠ ସଂସ୍କରଣରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ବିଜେତା ହୋଇଛି। ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଆୟୋଜିତ ଏହି ୮ ଦଳୀୟ ପେସାଦାର ହକି ଲିଗ୍ର ଘଡ଼ିକୁୁ ଘଡ଼ି ମୋଡ଼ ବଦଳାଉଥିବା ଏବଂ ଜବରଦସ୍ତ ଲଢ଼େଇ ଭରା ଫାଇନାଲ୍ରେ ଶନିବାର ବେଙ୍ଗଲ ଟାଇଗର୍ସ ୪-୩ ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ଶିକାର କରି ଆକର୍ଷଣୀୟ ଟ୍ରଫି ସହ ୩ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଜିତିଛି। ତୁଫାନ୍ସ ପ୍ରଥମ ତିନି କ୍ବାର୍ଟରରେ ତୁଫାନି ହକି ଖେଳି ଟାଇଗର୍ସକୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଶେଷ କ୍ବାର୍ଟରରେ ମ୍ୟାଚ୍ ହାତଛଡ଼ା କରିଛି। ଫଳରେ ରନର୍ ଅପ୍ ଟ୍ରଫି ସହ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାରରେ ସନ୍ତୁଷ୍ଟ ରହିଛି। ତୃତୀୟ ସ୍ଥାନରେ ରହିଥିବା ସୁର୍ମା ହକି କ୍ଲବ୍ କାଂସ୍ୟ ପଦକ ସହ ୧ କୋଟି ଟଙ୍କା ପାଇଛି।
ଦର୍ଶକଙ୍କ ପ୍ରବଳ ଉତ୍ସାହ ତଥା ମନ୍ତ୍ରମୁଗ୍ଧକଲା ଭଳି ପରିବେଶରେ ଖେଳାଯାଇଥିବା ଫାଇନାଲ୍ ଆରମ୍ଭରୁ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ୮ ମିନିଟ୍ର ଗତିରୋଧ ପରେ ନବମ ମିନିଟ୍ରେ ଗଞ୍ଜାଲୋ ପେଲେଟ୍ ପ୍ରଥମ ଗୋଲ୍ ଦେବା ପରେ ଉଭୟ ଦଳ ଫାଷ୍ଟ୍ ହକିର ବଳିଷ୍ଠ ନମୂନା ଦେଖାଇ ଦର୍ଶକଙ୍କୁ ବିମୋହିତ କରିଥିଲେ। ତେବେ ବେଙ୍ଗଲ ଟାଇଗର୍ସର ଯୁଗରାଜ ସିଂହ ଦୁଇ ଦଳ ମଧ୍ୟରେ ପ୍ରମୁଖ ଫରକ ପାଲଟିଥିଲେ। ବ୍ୟକ୍ତିଗତ ଭାବେ ତିନିଟି ଗୋଲ୍ ଦେଇ ହ୍ୟାଟ୍ରିକ୍ (୨୫, ୩୨, ୩୫ ମିନିଟ୍) କରିବାର ଅଭୁଲା ସଫଳତା ପାଇବା ସହ ପୂରା ଋତୁରେ ଭଲ କରି ଟାଇଗର୍ସର ଟ୍ରଫି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅନ୍ୟପକ୍ଷରେ ତୁଫାନ୍ସ ଲଢ଼ୁଆ ହକି ଖେଳିଥିଲେ ମଧ୍ୟ ଗଞ୍ଜାଲୋଙ୍କ ଦ୍ବିତୀୟ ଗୋଲ୍ (୩୯ ମିନିଟ୍) ଓ ଓଡ଼ିଆ ପୁଅ ଅମନଦୀପ ଲାକ୍ରା (୨୬ ମିନିଟ୍)ଙ୍କ ପ୍ରଥମ ଗୋଲ୍ ବଳରେ ସ୍ଥିତି ସମାନ ସ୍ଥରକୁ ଆଣିଥିଲେ। ୫୬ ମିନିଟ୍ରେ ଟାଇଗର୍ସର ଗୋଲ୍ରକ୍ଷକ ଜାମି କାର୍ ଗଞ୍ଜାଲୋଙ୍କ ଏକ ଲକ୍ଷ୍ୟଭେଦୀ ପେନାଲ୍ଟି ସଟ୍କୁ ନିଷ୍ଫଳ କରିବା ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ୍ ଥିଲା।
ବିତରଣୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସଂପାଦକ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା, ଓଡ଼ିଶା ହକି ବିକାଶ ପରିଷଦର ସିଇଓ ଦୀପଙ୍କର ମହାପାତ୍ର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ସଭାପତି କ୍ରିସ୍ ଜେନକିନ୍ସ, ମୁଖ୍ୟ କାର୍ଯ୍ୟନିର୍ବାହୀ କାଟି ସାଡଲେର, ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ, ଫ୍ରାଞ୍ଚାଇଜ ମାଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଆଫ୍ରିକାନ୍ ଟୋକା ମୁହଁରେ ‘ଏକ ଦେଶ ଏଇ ମାଟି’
ଦେବାଶିଷ ସୁନ୍ଦରାୟ
ହକି ଇଣ୍ଡିଆ ଲିଗ୍ ଫାଇନାଲ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ୟୁଟ୍ୟୁବର ତର୍ସ। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଭାରତୀୟ ବାପା ଓ ଆଫ୍ରିକୀୟ ମା’ଙ୍କ ୟୁଟ୍ୟୁବର ପୁଅ ତର୍ସ ହକିକୁ ମନ ଭରି ଉପଭୋଗ କରୁଥିଲା ବେଳେ ଦର୍ଶକ ଓ ଗଣମାଧ୍ୟମପ୍ରେମୀ ତର୍ସ ସ୍ପଷ୍ଟ ଭାବେ ହିନ୍ଦୀ ଓ ଓଡ଼ିଆ କହୁଥିବା ଦେଖି ତାଜୁବ ହୋଇ ଯାଇଥିଲେ। ସାଙ୍ଗରେ ଥିବା ପିତା ଦୀନେଶ ଲାଇଚିଟି ମଧ୍ୟ ନିଜ ଜନ୍ମ ମାଟିରେ ପୁଅକୁ ଏଭଳି ଭଲପାଇବା ମିଳିବା ଦେଖି ଭାବବିହ୍ବଳ ହୋଇଯାଇଥିଲେ। ତର୍ସ ରାଉରକେଲାସ୍ଥିତ କନକ ମଞ୍ଜରୀ ଇଂରାଜୀ ମାଧ୍ୟମ ସ୍କୁଲ୍ରେ ପାଠ ପଢ଼ୁଥିଲା ବେଳେ ତାଙ୍କ ମୁହଁରୁ ‘ଏଇଦେଶ ଏଇ ମାଟି, ମମତାମୟୀ ମା’ଟି’ ଗୀତ ସମସ୍ତଙ୍କୁ ପ୍ରଭାବିତ କରିଥିଲା। କେବଳ ହିନ୍ଦୀ, ଓଡ଼ିଆ ନୁହେଁ ତର୍ସ ପର୍ତ୍ତୁଗିଜ୍, ଇଂରାଜୀ ଓ ସ୍ପାନିସ୍ ଭଳି ପାଞ୍ଚଟି ଭାଷା ପ୍ରାଞ୍ଜଳ ଭାବେ କହିପାରନ୍ତି। ୟୁଟ୍ୟୁବ୍ରେ ତାଙ୍କର ‘ଆଫ୍ରିକାନ୍ ଟୋକା’ ନାଁରେ ଏକ ଚ୍ୟାନେଲ୍ ରହିଛି। ୯ ବର୍ଷ ବୟସ୍କ ତର୍ସଙ୍କର ୩୮,୦୦୦ରୁ ଅଧିକ ଅନୁଗାମୀ ଅଛନ୍ତି। ବେଙ୍ଗଲ ଟାଇଗର୍ସ ଦଳକୁ ସମର୍ଥନ କରୁଥିବା ତର୍ସଙ୍କ ପସନ୍ଦର ଫୁଟବଲର୍ ହେଉଛନ୍ତି ମେସି। ଆଗକୁ ତାଙ୍କ ଚ୍ୟାନେଲ୍ରେ ୧୦ ଲକ୍ଷ ଅନୁଗାମୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ତର୍ସ ମଧ୍ୟ ଫ୍ରିଷ୍ଟାଇଲ୍ ଡ୍ୟାନ୍ସ କରିବାକୁ ଭଲ ପାଆନ୍ତି। କେବଳ ଓଡ଼ିଆ ସଂସ୍କୃତି ନୁହେଁ, ଦେବ ଦେବ ମହାଦେବଙ୍କ ଉପରେ ତାଙ୍କର ଅଗାଢ଼ ବିଶ୍ବାସ ରହିଛି ବୋଲି ଓଡ଼ିଆରେ କୁହନ୍ତି ତର୍ସ। ଆଗାମୀ ସମୟରେ ଓଡ଼ିଶାକୁ କ୍ରୀଡ଼ା ଓ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ।
ରାଉରକେଲାର ବାସନ୍ତୀ କଲୋନିର ମୂଳ ବାସିନ୍ଦା ଦୀନେଶ ‘ସମ୍ବାଦ’କୁ ଦେଇଥିବା ସୂଚନା ଅନୁସାରେ ପ୍ରାୟ ୨୦ବର୍ଷ ତଳେ ପୂର୍ବ ଆଫ୍ରିକାର ଆଙ୍ଗୋଲା ଚାଲିଯାଇ ସେଠାରେ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଆରମ୍ଭ କରିଥିଲେ। ସେଠାରେ ରହୁଥିଲା ବେଳେ ପତ୍ନୀ ଜଜେଲାଙ୍କୁ ବିବାହ କରିଥିଲେ। ଜଜେଲା ଏବେ ପର୍ତ୍ତୁଗାଲରେ ରହୁଥିଲା ବେଳେ ଦୀନେଶ ଗତ ଦୁଇବର୍ଷ ହେବ ନିଜ ଜନ୍ମମାଟି ରାଉରକେଲା ଫେରି ଆସି ଏଠାରେ ବସବାସ କରୁଛନ୍ତି। ଦୁଇ ପୁଅ ତାଙ୍କ ସହ ରହୁଛନ୍ତି। ବଡ଼ ପୁଅ ଡିପିଏସ୍ରେ ଯୁକ୍ତ ଦୁଇ ପଢ଼ୁଛନ୍ତି। ୨୦୧୫ରେ ଜନ୍ମଗ୍ରହଣ କରିଥିବା ସାନ ପୁଅ ତର୍ସ ଦ୍ବିତୀୟ ଶ୍ରେଣୀର ଛାତ୍ର। ତର୍ସକୁ ପିଲାବେଳୁ ଓଡ଼ିଆ ଶିଖାଇଛନ୍ତି। ତର୍ସ ମଧ୍ୟ ଓଡ଼ିଆ ଗୀତ ବିଶେଷ କରି ଦେଶାତ୍ମବୋଧ ଗୀତ ଗାଇବାକୁ ଭଲପାଆନ୍ତି। ସବୁଠୁ ବଡ଼ କଥା ହେଲା ତର୍ସ ଆଫ୍ରିକାରେ ରହିବା ଅପେକ୍ଷା ଓଡ଼ିଶାରେ ରହିବାକୁ ଅଧିକ ଭଲ ପାଆନ୍ତି। ନିଆରା ଓ କୌତୁକିଆ ଚେହେରା ହୋଇଥିବାରୁ ଜୁଆଡ଼େ ଯାଆନ୍ତି, ଆକର୍ଷଣର କେନ୍ଦ୍ରରେ ରହିଥାନ୍ତି।