ଲଫ୍ବର୍ଗ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ୧୯ବର୍ଷରୁ କମ୍ ଦଳର ୱିକେଟ୍ରକ୍ଷକ ବ୍ୟାଟର୍ ହରବଂଶ ପଙ୍ଗାଲିଆ ଅନେକ ଆଇପିଏଲ୍ ତାରକାଙ୍କୁ ପଛରେ ପକାଇଛନ୍ତି। ଭାରତୀୟ ୧୯ବର୍ଷରୁ କମ୍ ଦଳରେ ଆୟୁଷ ମହାତ୍ରେ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଖେଳାଳି ଥିଲେ ମଧ୍ୟ ହରବଂଶଙ୍କ ୫୨ ବଲ୍ ୧୦୩ ରନ୍ ପାଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ୨୭ ତାରିଖରୁ ଇଂଲଣ୍ଡ ୧୯ବର୍ଷରୁ କମ୍ ଦଳ ବିପକ୍ଷରେ ୫ଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ୍ ଖେଳିବା ପୂର୍ବରୁ ମଙ୍ଗଳବାରର ଅଭ୍ୟାସ ମ୍ୟାଚ୍ରେ ସେ ଏହି ଶତକ ଅର୍ଜନ କରିଥିଲେ। ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ହରବଂଶ ଏହି ଦୁର୍ଦ୍ଧର୍ଷ ପାଳି ଖେଳିଥିଲେ। ନିଜର ଏହି ବିସ୍ଫୋରକ ପାଳି ଭିତରେ ସେ ୮ଟି ଦର୍ଶନୀୟ ଚୌକା ଏବଂ ୯ଟି ବିଶାଳ ଛକା ମାରିଥିଲେ।
ଗୁଜରାଟର ରଣ ଅଫ୍ କଚ୍ସ୍ଥିତ ଛୋଟ ସହର ଗାନ୍ଧୀଧାମରୁ ଆସିଥିବା ହରବଂଶ ହେଉଛନ୍ତି ସେଠାକାର ଡିପିଏଲ୍ସ୍ ପବ୍ଲିକ୍ ସ୍କୁଲର ପୂର୍ବତନ ଛାତ୍ର। ମାତ୍ର ୫ବର୍ଷ ପୂର୍ବେ ନକୁଳ ଆୟାଚୀ ନାମକ ଜଣେ ସ୍ଥାନୀୟ କ୍ରିକେଟ୍ ପ୍ରଶିକ୍ଷକଙ୍କ ନୀଳକଣ୍ଠ କ୍ରିକେଟ୍ ଏକାଡେମୀରୁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଗତବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ-ଏ’ ଦଳ ବିପକ୍ଷରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮ବର୍ଷୀୟ ହରବଂଶ ମଧ୍ୟ ବାଂଲାଦେଶ, ଶ୍ରୀଲଙ୍କା, ଜାପାନ ଓ ୟୁଏଇ ୧୯ବର୍ଷରୁ କମ୍ ଦଳ ବିପକ୍ଷରେ ଖେଳି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ମହାତ୍ରେ ଓ ସୂର୍ଯ୍ୟବଂଶୀ ପାଳି ଆରମ୍ଭ କରି କେବଳ ୧୮ ରନ୍ ଭିତରେ ଆଉଟ୍ ହୋଇଯାଇଥିଲେ। ହରବଂଶଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪୪୨ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୧୯ବର୍ଷରୁ କମ ଦଳ ମାତ୍ର ୨୧୧ ରନ୍ କରିପାରିଥିଲା।