ଷ୍ଟେନ୍‌ଙ୍କ ଆଇପିଏଲ୍‌ ଅଭିଯାନ ଶେଷ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ୍‌ଙ୍କ ଚଳିତ ଆଇପିଏଲ୍‌ରେ ଅଭିଯାନ ‌ଶେଷ ହୋଇଯାଇଛି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିଳମ୍ବରେ ଖେଳିଥିବା ଷ୍ଟେନ୍‌ ମାତ୍ର ଦୁଇଟି ମାଚ୍‌ ଖେଳିଥିଲେ। ସେଥିରେ ଉଭୟ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଦୁଇଟି ଲେଖାଏଁ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ। ସେ ଆହତ ଯୋଗୁଁ ଓହରିଯାଇଥିବା ନାଥନ୍‌ କୁଲ୍‌ଟ ନାଇଲ୍‌ଙ୍କ ବଦଳ ଖେଳାଳି ଭାବେ ସାମିଲ ହୋଇଥିଲେ। ହେଲେ ନିଜେ ମଧ୍ୟ ଆହତ ସମସ୍ୟାରୁ ବର୍ତି ପାରିଲେନି। ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଛି। ଯାହା ଫଳରେ ବୁଧବାର କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ତେଣୁ ଆଇପିଏଲ୍‌ର ଅବଶିଷ୍ଟ ଭାଗରେ ଆଉ ତାଙ୍କର ଖେଳିବା ସମ୍ଭାବନା କମ୍‌ ଥିବାରୁ ତାଙ୍କୁ ପୂରା ବାଦ୍‌ ଦିଆଯାଇଛି ବୋଲି ଆର୍‌ସିବି ଅଧ୍ୟକ୍ଷ ସଂଜୀବ ଚୁରିୱାଲା କହିଛନ୍ତି। ସେ କେବେ ସଂପୂର୍ଣ୍ଣ ସୁସ୍ଥ ହେବେ ତାହା ସ୍ପଷ୍ଟ ହୋଇନଥିବାରୁ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ଦଳରେ ସାମିଲ ଥିବା ଷ୍ଟେନ୍‌ଙ୍କୁ ନେଇ ଆଶଙ୍କା ଉପୁଜିଛି।

ସମ୍ବନ୍ଧିତ ଖବର