ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଭାରତୀୟ ଟେବୁଲ ଟେନିସ୍ (ଟିଟି) ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେଇଥିବା ବିଦେଶୀ ମୁଖ୍ୟ ପ୍ରଶିକ୍ଷକ ମାସିମୋ କୋଷ୍ଟାଣ୍ଟିନି ଅଚାନକ ଇସ୍ତଫା ଦେଇଛନ୍ତି। ଏହି ଇଟାଲୀୟ ପ୍ରଶିକ୍ଷକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେବା ଭାରତୀ ଟିଟି ପାଇଁ ବଡ଼ ଝଟ୍କା ଲାଗିଛି। ତାଙ୍କ କାର୍ଯ୍ୟକାଳ ଚଳିତ ମାସ ୩୦ ତାରିଖରେ ପୂରିଯିବାର ଥିଲା। ହେଲେ ଉଭୟ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ଭାରତୀୟ ଟେବୁଲ ଟେନିସ୍ ସଂଘ (ଟିଟିଏଫ୍ଆଇ) ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହିଁଥିଲେ। ହେଲେ ମାସିମୋ ସୋମବାର ନିଜ ଦେଶକୁ ଫେରି ଯାଇଛନ୍ତି। ମାସିମୋ ପ୍ରଥମେ ୨୦୦୯ରୁ ୨୦୧୧ ଏବଂ ପରେ ୨୦୧୬ ଅକ୍ଟୋବରରୁ ଏପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ଭାରତୀୟ ଟିଟି ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଭାରତକୁ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଙ୍ଗକୁ ଜାକର୍ତା ଏସୀୟ କ୍ରୀଡ଼ାରେ ପଦକ ଅମଳରେ ସହାୟତା କରିଥିବା ମାସିମୋ ଅସୁସ୍ଥ ପତ୍ନୀଙ୍କ ଯତ୍ନ ନେବା ପାଇଁ ପଦତ୍ୟାଗ କରିଛନ୍ତିି ବୋଲି କହିଛନ୍ତି। ଏଥି ସହିତ ତାଙ୍କ ପତ୍ନୀଙ୍କ ଦ୍ବାରା ପରିଚାଳିତ ପାରିବାରିକ ରେଷ୍ଟୁରାଣ୍ଟ୍ର ମଧ୍ୟ ଦେଖାଶୁଣା କରିବେ ବୋଲି କହିଛନ୍ତି।