ନୂଆଦିଲ୍ଲୀ : ସମ୍ଭବତଃ ଭାରତୀୟ କ୍ରୀଡ଼ା ଇତିହାସରେ ଏହା ପ୍ରଥମ ଘଟଣା ହେବ। ନିଶ୍ଚତ ଭାବେ କ୍ରୀଡ଼ା ଇତିହାସରେ ଲିଙ୍ଗଗତ ସମାନତାର ଅନନ୍ୟ ଉଦାହରଣ ହୋଇ ରହିବ। ଦେଶରେ ଟେବୁଲ୍ ଟେନିସ୍ ଖେଳାଳି ମାନେ ଏଣିକି (ପୁରୁଷ ଓ ମହିଳା) ସମାନ ପୁରସ୍କାର ରାଶି ପାଇବେ। ଭାରତୀୟ ଟେବୁଲ ଟେନିସ୍ ସଂଘ (ଟିଟିଏଫ୍ଆଇ) ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦ୍ବାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଗୁରୁବାର ଏଭଳି ଘୋଷଣା କରିଛି। ନୂଆ ଋତୁ (ଜୁନ୍ ୨୦୨୨ରୁ ମାର୍ଚ୍ଚ ୨୦୨୩)ରେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳିମାନେ ସମାନ ପୁରସ୍କାର ରାଶି ପାଇବେ।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ସମିତି ଦେଶରେ ପୁରୁଷ-ମହିଳା, ବାଳକ-ବାଳିକା ଖେଳାଳିଙ୍କୁ ପ୍ରଦତ୍ତ ପୁରସ୍କାର ରାଶିରେ ଥିବା ପ୍ରଭେଦକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏଭଳି ରାୟ ଦେଇଛନ୍ତି। ଗତବର୍ଷ ଏପ୍ରିଲ୍ରେ ସିଲଂରେ ଅନୁଷ୍ଠିତ ୮୩ତମ ବରିଷ୍ଠ ଜାତୀୟ ଓ ଅନ୍ତଃରାଜ୍ୟ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ପୁରୁଷ ଏକକ ବିଜେତାକୁ ୨,୭୫,୦୦୦ ଟଙ୍କା ଏବଂ ମହିଳା ଏକକ ବିଜୟିନୀଙ୍କୁ ୧,୮୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିଭଳି ଉପବିଜେତା-ଉପବିଜୟିନୀଙ୍କ ରାଶି ଯଥାକ୍ରମେ ୧,୩୭,୫୦୦ ଏବଂ ୯୦,୦୦୦ ଟଙ୍କା ଥିଲା। ଯାହାକୁ ନେଇ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ଶେଷରେ ଟିଟିଏଫଆଇର ପ୍ରଶାସନିକ ସମିତି ଖେଳରେ ଥିବା ସମାନ ଅଧିକାର, ସମାନ ପ୍ରାପ୍ୟ, ସମାନ ସ୍ବୀକୃତି ଓ ସ୍ବଛତା ଉପରେ ଗୁରୁତ୍ବ ଦେଇଛନ୍ତି। ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଧାରା ୧୪, ୧୫, ୧୬ ଏବଂ ୧୯ (ଏ)ରେ ‘ସମାନ କାର୍ଯ୍ୟ ସମାନ ପାଉଣା’ ଉଲ୍ଲେଖ ଥିବା ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/manika-batra-delhi.jpg)